କନକ ବ୍ୟୁରୋ : ଚୋରି କଲା ଆଉ ଭୁଲ ବି ମାଗିଲା । ଭୁଲ ମାଗିବା ପରେ ସେଠାରୁ ଚମ୍ପଟ ମାରିଲା ଚୋର । ଜଣେ ବ୍ୟବସାୟୀଙ୍କ ଘରୁ ଚୋରି କରିବା ପରେ ତାଙ୍କ ପତ୍ନୀଙ୍କ ପାଦ ଧରି ଭୁଲ ମାଗିଥିଲା ଚୋର । ଆଉ କହିଥିଲା ମତେ କ୍ଷମା କରିଦିଅନ୍ତୁ । ଭଉଣୀ ବାହାଘର ପାଇଁ ମତେ ଚୋରି କରିବାକୁ ପଡିଲା । ଆପଣ ମୋ ମା ସମାନ ।
ଏହି କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ପୂରା ସତ । ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିୟର ସହରରେ । ଏହି ଘଟଣା ପରେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଅଭିଯୋଗ ପରେ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଗ୍ୱାଲିୟର ସହରର ଜନକଗଞ୍ଜର ନିବାସୀ ଦିଲ୍ଲୀପ କୁକରେଜା । ଦିଲ୍ଲୀପ ପେଶାରେ ଜଣେ ବ୍ୟବସାୟୀ । ପ୍ରତିଦିନ ସକାଳୁ ଦିଲ୍ଲୀପ ଓ ତାଙ୍କ ପୁଅ ଉମେଶ ଦୋକାନକୁ ଚାଲିଯାଆନ୍ତି । ଆଉ ଘରେ ତାଙ୍କ ପତ୍ନୀ ବନ୍ଦନା ରୁହନ୍ତି । ତେଣୁ ଏକୁଟିଆର ଫାଇଦା ନେଇ ଚୋର ଲୁଟ କରିବାର ଯୋଜନା କରିଥିଲା । ଡେଲିଭରି ବୟ ରୂପରେ ଦିଲ୍ଲୀପଙ୍କ ଘରେ ପ୍ରବେଶ କରିଥିଲା ଚୋର । ଆଉ ପ୍ଲାଷ୍ଟିକ ବନ୍ଧୁକ ଦେଖାଇ ବନ୍ଦନାଙ୍କୁ ଭୟଭୀତ କରାଇଥିଲା । ଏହି ସମୟରେ ବନ୍ଦନାଙ୍କ ସହ ଚୋରର ସଂଘର୍ଷ ମଧ୍ୟ ହୋଇଥିଲା । ଆଉ ପ୍ଲାଷ୍ଟିକ ବନ୍ଧୁକ ତଳେ ପଡି ଭାଙ୍ଗି ଯାଇଥିଲା । ଏହାପରେ ଛୁରୀ ସାହାଯ୍ୟରେ ବନ୍ଦନାଙ୍କୁ କାବୁ କରିଥିଲା ଚୋର । ପରେ ତାଙ୍କ ଗୋଡ ହାତ ବାନ୍ଧି ଘରୁ ୪ ଲକ୍ଷ ଟଙ୍କାର ଜିନିଷ ଲୁଟି ନେଇଥିଲା ।
ଆଉ ଏହା ପରେ ଘଟିଥିଲା ଏହି ନାଟକୀୟ ଘଟଣା । ଚୋରି କରିସାରିବା ପରେ ବନ୍ଦନାଙ୍କ ପାଦ ଛୁଇଁ ଭୁଲ ମାଗିଥିଲା ଚୋର । ଭୁଲ ମାଗିସାରିବା ପରେ ସେଠାରୁ ଚମ୍ପଟ ମାରିଥିଲା ଲୁଟେରା । ପରେ ବନ୍ଦନା ନିଜ ସ୍ୱାମୀଙ୍କୁ ଫୋନ କରିଥିଲେ । ଆଉ ଘଟଣା ସମ୍ପର୍କରେ ସବୁ କହିଥିଲେ । ବନ୍ଦନାଙ୍କ ସ୍ୱାମୀ ଏନେଇ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଦିଲ୍ଲୀପଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଉ ଚୋରକୁ ଧରିବାକୁ ଆଖପାଖର ସିସିଟିଭି ମଧ୍ୟ ଯାଞ୍ଚ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/03/22.png)