ଜାମିନରେ ମୁକୁଳିବା ପରେ ସାମନାକୁ ଆସିଲେ ପ୍ରଶାନ୍ତ ଜଗଦେବ: କହିଲେ, ଭୁଲରେ ଏକ୍ସିଲେଟରରେ ପଡ଼ିଯାଇଥିଲା ଗୋଡ଼

134

କନକ ବ୍ୟୁରୋ: ୬ ମାସ ତଳେ ଲୋକଙ୍କ ଉପରେ ମାଡିଯାଇଥିଲା ପ୍ରଶାନ୍ତ ଜଗଦ୍ଦେବଙ୍କ କାର । ଏହି କାରରେ ଥିଲେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ନିଜେ ଡ୍ରାଇଭିଂ ସିଟରେ ବସିଥିଲେ । ଆଉ କାରଟି ଲୋକଙ୍କ ଉପରେ ମାଡି ଯାଇଥିଲା । ଏହି ଲୋମଟାଙ୍କୁରା ଦୃଶ୍ୟ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଆଉ ଜେଲର ଚାରି କାନ୍ଥରୁ ବାହାରିବା ପରେ ଗଣମାଧ୍ୟମରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇ କହିଛନ୍ତି ଏହି ଘଟଣାକୁ ନେଇ ସେ କୌଣସି ଦୁଃଖ ପ୍ରକାଶ କରୁ ନାହାନ୍ତି ।

ବ୍ରେକରେ ଗୋଡ ପକାଉ ପକାଉ ଏକ୍ସିଲେଟରରେ ଗୋଡ ପଡିଗଲା ବୋଲି ନିଜେ କହୁଛନ୍ତି ବିଧାୟକ । କିନ୍ତୁ ଏପରି ଭୁଲକୁ ସେ ଭୁଲ ବୋଲି ଗ୍ରହଣ କରନ୍ତି ନାହିଁ କି ଅନୁତାପ କରନ୍ତି ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି । ସେ ସମୟରେ ବିଜେଡି ପ୍ରେସମିଟ୍ କରି ବିଧାୟକଙ୍କ ଏପରି ଆଚରଣକୁ ନିନ୍ଦା କରିଥିଲା । ଆଉ ରାଜନୀତିରେ ହିଂସାର ସ୍ଥାନ ନାହିଁ ଓ ଦୋଷୀଙ୍କ ବିରୁଦ୍ଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର କହିଥିଲେ । ଏବେ କିନ୍ତୁ ପ୍ରଶାନ୍ତ କହିଛନ୍ତି, ସେ ଦଳରେ ରହିଛନ୍ତି । ପୁଣିଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ୍ ଦେବେ ବୋଲି ଆଶା ରଖିଛନ୍ତି । ସେପଟେ ନିଜ କାରନାମାକୁ ଠିକ୍ କହି ଓଲଟା ବିଜେପି ଷଡଯନ୍ତ୍ର କରି ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲା ବୋଲି ଜଗଦ୍ଦେବ କହିଛନ୍ତି । ଆଉ ନିଲମ୍ବନ ଓ ବହିଷ୍କାର ଗୋଟିଏ ପ୍ରକ୍ରିୟା । ସେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ରହିଛନ୍ତି ବୋଲି କହିଛନ୍ତି ।

ଯେତେ ସଫେଇ ରଖିଲେ ବି ଜଗଦ୍ଦେବ କାହିଁକି କାରରେ ଆଉ ଏକ ନମ୍ବର ପ୍ଲେଟ୍ ରଖିଥିଲେ ତାର ଉତ୍ତର ଦେବା ଦରକାର । ତେବେ ପ୍ରଶାନ୍ତ କେବଳ ଏହି ଘଟଣା ପାଇଁ ନୁହଁ ପୂର୍ବରୁ ଅଫିସରଙ୍କୁ ଗାଳି ଗୁଲଜ, ବିଜେପି ମଣ୍ଡଳ ସଭାପତିଙ୍କ ସହ ମାରପିଟ୍ କରିବା ଆଦି ଅନେକ ଘଟଣାରେ ବିବାଦୀୟ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଯାହା ତାଙ୍କ ରାଜନୈତିକ ଜୀବନରେ ଗୋଟିଏ ବଡ ପ୍ରଭାବ ପକାଇଛି ।