ତୃତୀୟଥର ଚୀନ୍ ରାଷ୍ଟ୍ରପତି ହେବା ପରେ ସି ଜିନପିଙ୍ଗ ଖେଳିଲେ ବଡ଼ ଚାଲ୍। ଭାରତୀୟ ସୀମାରେ କାର୍ଯ୍ୟରତ ପିଏଲଏର ତିନି ଅଧିକାରୀଙ୍କୁ ଦେଲେ ପଦୋନ୍ନତି।

204

କନକ ବ୍ୟୁରୋ: ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ପୁଣିଥରେ ଦେଶର ନେତୃତ୍ୱ ନେବା ପରେ ନିଜର ଚିରାଚରିତ ଚାଲ ଆରମ୍ଭ କରିଦେଇଛନ୍ତି । କ୍ରମାଗତ ତୃତୀୟଥର ରାଷ୍ଟ୍ରପତି ହେବା ପରେ ଜିନପିଙ୍ଗ ଭାରତୀୟ ସୀମାରେ କାର୍ଯ୍ୟରତ ପିପୁଲ୍ସ ଲିବରେସନ୍ ଆର୍ମି ବା ପିଏଲଏର ତିନିଜଣ ଅଧିକାରୀଙ୍କୁ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ପଦବୀରେ ପଦୋନ୍ନତି ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଭାରତ ସୀମାନ୍ତରେ ଥିବା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡରେ ସେନାର ନେତୃତ୍ୱ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତିନିଜଣ ପିଏଲଏ ଜେନେରାଲଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରାଯାଇଛି ।

ଭାରତୀୟ ସେନା ନିକଟରେ କାର୍ଯ୍ୟ କରୁଥିବା ଜେନେରାଲ ହେ ୱେଇଡାଙ୍ଗଙ୍କୁ ରବିବାର ସେଂଟ୍ରାଲ ମିଲିଟାରୀ କମିସନର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ଜେନେରାଲ ୱେଇଡାଙ୍ଗ ଏବେ ଜୁ କିଲିୟାଙ୍ଗଙ୍କ ସ୍ଥାନ ନେବେ । ଏହାବ୍ୟତୀତ ଚୀନ ରାଷ୍ଟ୍ରପତିଙ୍କ ନିକଟତର କୁହାଯାଉଥିବା ଜେନେରାଲ ଝାଙ୍ଗ ୟୁନିସିୟା ସିଏମସିରେ ଉପାଧ୍ୟକ୍ଷ ପଦରେ ରହିବେ । ସେପଟେ ତୃତୀୟ ପଦୋନ୍ନତି ଭାବେ ମିଲିଟାରୀ ଅଫିସର ଜୁ କିଲିଙ୍ଗଙ୍କୁ ପ୍ରଦାନ କରାଯାଇଛି । ତାଙ୍କୁ ନୂତନ କମ୍ୟୁନିଷ୍ଟ ପାର୍ଟିର ୨୦୫ ଜଣିଆ ସଦସ୍ୟ ବିଶିଷ୍ଟ ସେଂଟ୍ରାଲ କମିଟିର ସଦସ୍ୟ କରାଯାଇଥିଲା । ଜୁ କିଲିଙ୍ଗ ୨୦୨୦ରେ ପଶ୍ଚିମ ଥିଏଟର କମାଣ୍ଡରେ ଆର୍ମି କମାଣ୍ଡର ଭାବେ କାମ କରିସାରିଛନ୍ତି । ପଶ୍ଚିମ ଥିଏଟର କମାଣ୍ଡ ଭାରତ ସହ ସୀମା ବିବାଦର ସମାଧାନ କରିଥାଏ ।