କିଛି ଦିନ ତଳେ ନିଜେ ସାମ୍ନା କରିଥିଲେ ପୁଲିସର ଦୁର୍ବ୍ୟବହାର: ମୁଖ୍ୟମନ୍ତ୍ରୀ ହେବା ପରେ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ, ପୁଲିସକୁ ଭଲ ବ୍ୟବହାର ପ୍ରଦର୍ଶନ ପାଇଁ କହିଲେ ମୋହନ ମାଝୀ

626

କନକ ବ୍ୟୁରୋ: ଆଇନଶୃଙ୍ଖଳାକୁ ନେଇ ପୋଲିସ ଡିଜି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । କିଛି ଦିନ ତଳେ ଏକ ଥାନାରେ ନବନିର୍ବାଚିତ ବିଧାୟକ ମୋହନ ମାଝିଙ୍କୁ ଥାନାବାବୁ ଚଢା ଗଳାରେ କଥାବାର୍ତ୍ତା କରୁଥିଲେ । ସେହି ସମୟରେ ଭିଡିଓଟି ଭାଇରାଲ ହୋଇଥିଲା । ଆଉ ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ଅଙ୍ଗେ ନିଭାଇଥିବା ତିକ୍ତ ଅନୁଭୂତିରୁ ସାଧାରଣ ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପୋଲିସକୁ ସିଏମ ମୋହନ ମାଝୀ ପରାମର୍ଶ ଦେଇଛନ୍ତି ।

ସମୟ କେତେବେଳେ କାହାକୁ କେଉଁଠି ନେଇ ପହଂଚାଇଦେବ କିଏ କହିପାରିବ । ଦିନେ ଜଣେ ଥାନା ଅଧିକାରୀ, ଯେଉଁ ବିଧାୟକଙ୍କ ସହ ଯୁକ୍ତିତର୍କ କରିବାକୁ ପଛାଉନଥିଲେ, ସେଇ ତକ୍ରାଳୀନ ବିଧାୟକ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ । ନିର୍ବାଚନ ସମୟର ଏହି ଭାଇରାଲ୍ ଭିଡିଓ ଆପଣଙ୍କ ସାମ୍ନାରେ ରଖିବାର ଉଦ୍ଦେଶ୍ୟ ହେଉଛି, ଜଣେ ନିର୍ବଚିତ ବିଧାୟକଙ୍କୁ ଯଦି ଏଭଳି ଆଚରଣର ସାମ୍ନା କରିବାକୁ ପଡ଼ିଛି, ଚିନ୍ତା କରନ୍ତୁ ଥାନାରେ ସାଧାରଣ ଲୋକଙ୍କୁ ପୁଲିସର କେଉଁ ଭଳି ବ୍ୟବହାର ସାମ୍ନା କରିବାକୁ ପଡୁଥିବ ।

ଆପତ୍ତି କିମ୍ବା ଅଭିଯୋଗ ନେଇ ଥାନାକୁ ଆସୁଥିବା ସାଧାରଣ ଲୋକଟିଏକୁ ଭଲ ବ୍ୟବହାର ଦେଖାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ବେଳେ ମୁଖ୍ୟମନ୍ତ୍ରୀ, ପୁଲିସର ଆଚରଣକୁ ନେଇ ଚର୍ଚ୍ଚା କରିଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ନେଇ ପୁଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜୁଲାଇ ପହିଲାରୁ ନୂଆ ଆଇନ ଲାଗୁ ହେବାକୁ ଥିବା ବେଳେ ଏ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ତେବେ ନୂଆ ସରକାର ଆସିବା ପରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ସୁଧାର । ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ବ୍ୟବସ୍ଥା । ଏବଂ ଲୋକଙ୍କ ହାତ ପାଆନ୍ତାରେ ସୁବିଧା ପହଂଚାଇବା, ଉପରେ ସରକାର ଗୁରୁତ୍ୱ ଦେବେ ବୋଲି କହିଛନ୍ତି, କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ପୁଲିସକୁ ନେଇ ସାଧାରଣରେ ଥିବା ଧାରଣାରେ ପରିବର୍ତ୍ତର୍ନ ଆଣିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ଶାସନ ଗାଦିରେ ବସୁ ବସୁ, ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା ନେଇ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଚର୍ଚ୍ଚା କରିଛନ୍ତି ।