ଚୀନ ଉପରେ ଭାରତର ଦ୍ୱିତୀୟ ଡିଜିଟାଲ ଷ୍ଟ୍ରାଇକ୍! ଟିକଟକ, ୟୁସି ବ୍ରାଉଜର ପରେ ପୁଣି ୪୭ ଆପ ବ୍ୟାନ କଲେ ମୋଦି ସରକାର । ରାଷ୍ଟ୍ରୀୟ ସୁରକ୍ଷାକୁ ଆଖିରେ ନିଆଗଲା ପଦକ୍ଷେପ, ପବଜି ସମେତ ୨୭୫ ଚୀନ ଆପ ଉପରେ ରଖାଯାଇଛି ନଜର ।

636

କନକ ବ୍ୟୁରୋ: ହିମାଳୟ ସୀମାରେ ଉତେଜନା ଭିତରେ ଚୀନ ଉପରେ ଭାରତ କରିଛି ଦ୍ୱିତୀୟ ଡିଜିଟାଲ ଷ୍ଟ୍ରାଇକ । ଚୀନର ୪୭ଟି ମୋବାଇଲ ଆପକୁ ବ୍ୟାନ ଘୋଷଣା କରିଛି ଭାରତ । ଗତ ମାସରେ ଭାରତ ସରକାର ୫୯ଟି ଚୀନ ଆପକୁ ବ୍ୟାନ କରିଥିଲେ । ଯେଉଁଥିରେ ରହିଥିଲା ଟିକଟକ, ସେୟାର ଇଟ୍ ଓ ୟୁସି ବ୍ରାଉଜର ଭଳି ଲୋକପ୍ରିୟ ଆପ । ଏବେ ବ୍ୟାନ ହୋଇଥିବା ୪୭ ଆପ ପୂର୍ବରୁ ପ୍ରତିବନ୍ଧକ ଲାଗିଥିବା ୫୯ଚୀନ ଆପର କ୍ଲୋନ ଭାବେ କାମ କରୁଥିଲା । ଏହି ଆପ ୟୁଜର୍ସଙ୍କ ତଥ୍ୟ ଚୋରି କରୁଥିବା ଅଭିଯୋଗ ହୋଇଛି । ଗଲୱାନ ଘାଟି ସଂଘର୍ଷ ପରେ ଚୀନ ଆପ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ଭାରତ ।

ଭାରତ ସରକାର କହିଛନ୍ତି, ଚୀନ ଆପ୍ ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିିବାରୁ ବ୍ୟାନ କରାଯାଇଛି । ଟିକଟକ ସମେତ ୫୯ଟି ଆପକୁ ପୂର୍ବରୁ ବ୍ୟାନ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ଏବେ ନଜର ରହିଛି ଚୀନର ୨୭୫ଟି ଆପ ଉପରେ । ଯେଉଁଥିରେ ଲୋକପ୍ରିୟ ମୋବାଇଲ ଗେମିଂ ଆପ୍ ପବଜି ରହିଛି । ତେବେ ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ତେବେ ମାମଲା ସହ ସଂପୃକ୍ତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଚୀନ ଆପ୍ ଗୁଡିକର ନିୟମିତ ସମୀକ୍ଷା କରାଯାଉଛି । ଆଉ ଏହାମଧ୍ୟ ଜାଣିବାକୁ ଚେଷ୍ଟା କରାଯାଉଛି ଆପ ନିର୍ମାଣକାରୀଙ୍କୁ ଫଣ୍ଡିଂ କେଉଁଠାରୁ ମିଳୁଛି ।

ଚାଇନାର କିଛି ଆପ୍ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ କେତେକ ଆପ୍ ୟୁଜର୍ସଙ୍କ ଡାଟା ଚୋରି ଓ ବ୍ୟକ୍ତିଗତ ଗୋପନୀୟତା ନିୟମକୁ ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ରହିଛି । ଭାରତ ସରକାର ବର୍ତମାନ ସୁଦ୍ଧା ୧୦୬ଟି ଚୀନ ଆପକୁ ପ୍ରତିବନ୍ଧକ କରିଛନ୍ତି । ପୂର୍ବରୁ ୫୯ ଓ ଏବେ ୪୭ ଚୀନ ଆପ ବ୍ୟାନ ହୋଇଛି । ତେବେ ବ୍ୟାନ ଘୋଷଣା ହୋଇଥିବା ୪୭ ଆପର ସୂଚନା ଶୀଘ୍ର ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।