‘ବଲ୍ଲେ ବଲ୍ଲେ’ ପରେ ‘କୁସୁମା’: ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଉଠିଲା ପ୍ରଶ୍ନ

689

କନକ ବ୍ୟୁରୋ: ଭୁବନେଶ୍ୱରରେ ବିଧାୟକଙ୍କ ଘରେ ବେଆଇନ ନିର୍ମାଣ ପରେ ଧର୍ମଶାଳରେ ବଲ୍ଲେ ବଲ୍ଲେ ଢ଼ାବା। ଆଉ ଏବେ ଚର୍ଚ୍ଚାରେ ଯାଜପୁରର କୁସୁମାର ଅଟ୍ଟାଳିକା । କୁସୁମା ପୋଖରୀରେ ତିଆରି ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଉଠିଛି ପ୍ରଶ୍ନ । ଏଥିପାଇଁ କିଏ ଅନୁମତି ଦେଇଛି, କେତେ ଟଙ୍କା ଖର୍ଚ୍ଚ ହୋଇଛି ତାକୁ ନେଇ ବଢିଛି ସନ୍ଦେହ । ତେବେ ଏହାକୁ ସର୍ବ ସମ୍ମୁଖ କରାଯିବାକୁ ଦାବି ହୋଇଛି।

ଆକାଶମାର୍ଗରୁ ଦୃଶ୍ୟମାନ ହେଉଥିବା ଏହି ଆଲିସାନ ବଙ୍ଗଳା ଉପରେ ନଜର ପକାନ୍ତୁ। ବିରାଟକାୟ ପୋଖରୀ ସହ ରହିଛି ପାର୍କ। ଆଉ ଭିତରେ ରହିଛି ରହିବା ପାଇଁ ଦାମୀ ଘର। ଯାଜପୁର ଟାଉନରେ ଥିବା କୁସୁମା ଶିଶୁ ଉଦ୍ୟାନକୁ ନେଇ ଉଠୁଛି ବିବାଦ।

– ୫୦ କୋଟିରୁ ଅଧିକ ଟଙ୍କା ନିର୍ମାଣ ହୋଇଛି ବଙ୍ଗଳା
– ୨୦୧୮ ମାର୍ଚ୍ଚ ୨୫ରେ ଲୋକାର୍ପିତ ହୋଇଥିଲା ବଙ୍ଗଳା
– ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ଫୁଲ ବଗିଚା, ଶିଶୁ ଉଦ୍ୟାନ, ବୋଟିଂ ସହ ଭଳିକି ଭଳି ଚିତ୍ରକଳା

ତେବେ ବଙ୍ଗଳାକୁ ଯିବା ପାଇଁ କାହାରିକୁ ଅନୁମତି ନଥିଲା। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ବଡ଼ କଥା ହେଉଛି, ଏଠାରେ ଥିବା ଶିଶୁ ଉଦ୍ୟାନକୁ ୭ ମାସ ବନ୍ଦ କରିଦିଆଯାଇ ମହଲ ନିର୍ମାଣ କରାଯାଇଥିଲା। କୁସୁମା କେତେକ ମୁଷ୍ଟିମେୟ ରାଜନେତା ଓ ପ୍ରଶାସକଙ୍କ ଚିତ୍ତ ବିନୋଦନ କେନ୍ଦ୍ର ପାଲଟିଥିବା କୁହାଯାଉଛି। ତେବେ ଏହି ବଙ୍ଗଳାରେ ରହିବା ପାଇଁ କେତେ ଟଙ୍କା ଦେବାକୁ ପଡୁଛି? କେଉଁମାନେ ଏଠାରେ ରହିପାରିବେ? ଆଜି ପର୍ୟ୍ୟନ୍ତ ଏଠାରେ କେତେ ଜଣ ରହିଛନ୍ତି? ସେନେଇ ପୌର କର୍ତୃପକ୍ଷଙ୍କଠାରୁ ଆରମ୍ଭ କରି ପ୍ରଶାସନ ପାଖରେ କୌଣସି ତଥ୍ୟ ନାହିଁ। ତେବେ ଜିଲ୍ଲାପାଳ କହିଛନ୍ତି ଯେ, ଅଭିଯୋଗ ପରେ ପୂରା ନିର୍ମାଣର ଯାଂଚ ହେଉଛି। ଯଦି କିଛି ତ୍ରୁଟି ସାମ୍ନାକୁ ଆସିବ, କାର୍ୟ୍ୟାନୁଷ୍ଠାନ ନିଆଯିବ।