ଆଶାୟୀ ଅନେକ, ଆସନ ଏକ । ବାଲେଶ୍ୱର ପରେ ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ଛକାପଞ୍ଝା, ଟିକେଟକୁ ନେଇ ବିଜେଡିରେ ଟଣାଓଟଣା, ବିଜେପିରେ ବି ସମାନ ସ୍ଥିତି, କଂଗ୍ରେସ ସାମ୍ନାକୁ ଆଣିପାରେ ନୂଆ ଚେହେରା ।

774

କନକ ବ୍ୟୁରୋ : ଓଡିଶାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ଟିକେଟ୍ ପାଇବା ପାଇଁ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଯେମିତି ବାଲେଶ୍ୱରରେ ଟିକେଟ ପାଇଁ ଦଳ ଭିତରେ ବିବାଦ ଦେଖାଦେଲାଣି ସେମିତି ଜଗସିଂହପୁରର ତିର୍ତ୍ତୋଲରେ ମଧ୍ୟ ବିଜେଡିରେ ବିବାଦ ଆରମ୍ଭ ହୋଇଗଲାଣି । ଗୋଟିଏ ପଟେ ଅଛନ୍ତି ସ୍ୱର୍ଗତ ବିଷ୍ଣୁ ଦାସଙ୍କ ସମର୍ଥକ ଏବଂ ଅନ୍ୟପଟେ ଅଛନ୍ତି, ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ । ସେପଟେ ବିଜେପିରେ ମଧ୍ୟ ଟିକେଟ ପାଇଁ ବିବାଦ ଦେଖାଦେଲାଣି ।

ପ୍ରାୟ ଦୁଇ ସପ୍ତାହ ତଳେ ଘଟିଥିବା ଏହି ଘଟଣା, ବାଲେଶ୍ୱର ପରେ ଏହି ନିର୍ବାଚନ ମଣ୍ଡଳୀରେ ବି ବିଜେଡି ପାଇଁ ମୁଣ୍ଡବ୍ୟଥା ବଢ଼ାଇବାକୁ ଯାଉଛି, ଏହା ସହଜରେ ଅନୁମାନ କରିହେବ । ଏହି ଘଟଣା ପରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ସମର୍ଥକମାନେ ଆହୁରି ସକ୍ରିୟ ହୋଇ ଉଠିଛନ୍ତି । ଏମିତି କି ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ତିର୍ତୋଲ ଉପ-ନିର୍ବାଚନରେ ପ୍ରାର୍ଥୀ କରିବାକୁ ଦାବି କରୁଛନ୍ତି । ହେଲେ ଏଥିରେ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକମାନେ ଅସୁବିଧା କରିପାରନ୍ତି ବୋଲି ଆଶଙ୍କା କରୁଛନ୍ତି ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଅନୁଗତ ତଥା ବିଜୟ ଦାସଙ୍କ ସମର୍ଥକ ।

ପୂର୍ବରୁ ବିଷ୍ଣୁ ଦାସ ଏବଂ ରାଜଶ୍ରୀ ମଲ୍ଲିକଙ୍କ ଭିତରେ ଥିବା ଛକାପଞ୍ଝା କଥା ସମସ୍ତେ ଜାଣନ୍ତି । ଆଉ ବିଷ୍ଣୁ ଦାସଙ୍କ ଅବର୍ତମାନରେ ସାଂସଦଙ୍କ ସମର୍ଥକମାନେ ଆହୁରି ସଂଗଠିତ ହୋଇଯାଇଥିବା ଚର୍ଚ୍ଚା ହେଉଛି । ଆଉ ଏମାନେ ବିଷ୍ଣୁ ଦାସଙ୍କ ପୁଅଙ୍କୁ ତିର୍ତୋଲର ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁ ନଥିବା ଅଭିଯୋଗ ହେଉଛି । ଯାହାର ଝଲକ ମୁନିଗୋଛିଆ ମଠର ଘଟଣା, ପ୍ରମାଣ କରୁଛି । ଏପଟେ ତାରିଖ ଘୋଷଣା ହେବା ପୂର୍ବରୁ ତିର୍ତୋଲ ରାଜନୀତି ସରଗରମ ହୋଇଛି । ଆଉ ଏହାରି ଭିତରେ ବିଜୟ ଦାସ କହିଛନ୍ତି, ସେ ଉପନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଅଛନ୍ତି ।

ଗୋଟିଏ ଆସନ ପାଇଁ ଏକାଧିକ ଆଶାୟୀ । ଆଉ ଏହି ସ୍ଥିତିରେ କେବଳ ବିଜେଡି ଛନ୍ଦି ହୋଇଛି ତାହା ନୁହେଁ । ବିଜେପିରେ ମଧ୍ୟ ଛକାପଞ୍ଝା ଆରମ୍ଭ ହୋଇଛି । ଗତ ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇଙ୍କ ବ୍ୟତୀତ ଆଉ କାହାକୁ ଟିକେଟ୍ ଦେଲେ ବିଜେପି ନେତାଙ୍କୁ ପୁରାଇ ଦେବେ ନାହିଁ ବୋଲି ରମାକାନ୍ତଙ୍କ ସମର୍ଥକ ଅଡିବସିଛନ୍ତି । ଏପଟେ କଂଗ୍ରେସ, ତିର୍ତୋଲରେ ନୂଆ ଚେହେରାକୁ ମୈଦାନକୁ ଓହ୍ଳାଇବା ନେଇ ଚର୍ଚ୍ଚା ଜୋର ଧରିଛି । ଦେବୀ ପ୍ରସାଦ ମଲ୍ଲିକଙ୍କ ବଦଳରେ କଂଗ୍ରେସ ଜଣେ ଯୁବ ନେତାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି ।