କନକ ବ୍ୟୁରୋ : ପଦ୍ମପୁରରେ ଏଡିଏମ୍ ନିଯୁକ୍ତି ପରେ ଜୋର ଧରିଛି ଜିଲ୍ଲା ଦାବି ରାଜନୀତି । ଜିଲ୍ଲା ଘୋଷଣା ନକରି ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି କରିବା ପଦ୍ମପୁର ବାସୀଙ୍କ ପାଇଁ ଲଲିପପ୍ ବୋଲି କହିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ୍ କହିଛନ୍ତି, ଲୋକଙ୍କ ଦୀର୍ଘବର୍ଷର ଦାବି ପୁରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଇଚ୍ଛା ନାହିଁ । ଲୋକଙ୍କୁ ଭୂତେଇବା ପାଇଁ ୩ ମାସିଆ ଏଡିଏମ୍ ନିଯୁକ୍ତ କରି ପଦ୍ମପୁରବାସୀଙ୍କ ସହ ପ୍ରତାରଣା କରିଛନ୍ତି ସରକାର । ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜ କଥାକୁ ନିଜେ ରଖିପାରିଲେ ନାହିଁ । ଓଡିଶାରେ ଜିଲ୍ଲା ଗଠନ ବେଳେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବାକୁ ଦାବି ହୋଇଥିଲା । ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିନଥିଲେ, ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେଇଆ କରିଛନ୍ତି । ପଦ୍ମପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରି ଏଡିଏମ୍ ନିଯୁକ୍ତି ଦେଇ ଲଲିପପ୍ ଧରାଇ ଦେଇଛନ୍ତି । ସେପଟେ ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି ପଦ୍ମପୁରର ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଏଡିଏମ୍ ନିଯୁକ୍ତି ଦିଆଯାଇଛି । ବିରୋଧୀ ସବୁ କଥାରେ ବିରୋଧ କରିବେ, କିନ୍ତୁ ସରକାର ଲୋକଙ୍କ ପାଇଁ କାମ କରିବେ ।

Advertisment