କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଟାର୍ଗେଟ କରିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଶନିବାର ଅପରାହ୍ନରେ ପ୍ରେସମିଟ୍ କରିବା ସହିତ ଭୁବନେଶ୍ୱର ସାଂସଦଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ଶ୍ରୀମୟୀ । ସେ କହିଛନ୍ତି, ବିଜେପି ସାଂସଦ କେବଳ ଗୁରୁତ୍ୱହୀନ ପ୍ରସଙ୍ଗ ଉଠାଇ ବିବାଦ ସୃଷ୍ଟି କରୁଛନ୍ତି । ବିକାଶମୂଳକ କାର୍ଯ୍ୟ ଦେଖି ସେ ଭୟଭୀତ । ତେବେ ବିକାଶମୂଳକ କାର୍ଯ୍ୟ କାହିଁକି ତାଙ୍କୁ ପସନ୍ଦ ଆସୁନି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।
ଶ୍ରୀମୟୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେବେଠୁ ସେ ଚାକିରି ଛାଡି ରାଜନୀତିରେ ସାମିଲ ହୋଇଛନ୍ତି, ସେବେଠୁ ସେ ଜଣେ ରାଜନୈତିକ ବ୍ୟକ୍ତିତ୍ୱ । ହେଲେ ଆଶ୍ଚର୍ଯ୍ୟର କଥା, ସେ ତାଙ୍କ ବ୍ୟୁରୋକ୍ରାଟିକ୍ ମାଇଣ୍ଡସେଟରୁ ବାହାରିପାରିନାହାଁନ୍ତି । ଲୋକଙ୍କ ବିକାଶ ପାଇଁ କାମ କରିବା ହେଉଛି ଜଣେ ରାଜନୈତିକ ଲୋକଙ୍କ ମେନ୍ ଏଜେଣ୍ଡା । ହସ୍ପିଟାଲରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିବା କେଉଁଠି ଭୁଲ ରହିଲା? ପ୍ରକଳ୍ପକୁ ତୁରନ୍ତ ମଞ୍ଜୁରୀ ଦେଇ ନିଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ଶେଷ କରିବାରେ ଭୁଲ କେଉଁଠି ରହିଲା? ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।
ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସାଂସଦ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ବିଜେଡି ନେତ୍ରୀ କହିବା ସହିତ ଅପରାଜିତାଙ୍କୁ ତେରେଛା ତୀର ମାରିଛନ୍ତି । କ୍ୟାପିଟାଲ ରିଙ୍ଗ୍ ରୋଡ୍, ମଡେଲ ରେଲୱେ ଷ୍ଟେସନ୍, କୋଷ୍ଟାଲ ହାଇୱେ ଭଳି ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ରହିଯାଇଛି ବୋଲି ଶ୍ରୀମୟୀ କହିବା ସହିତ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରେସମିଟ୍ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ, ରାଜ୍ୟରେ ଶାସନ ବ୍ୟବସ୍ଥା ହାଇଜାକ ହୋଇଯାଇଛି । ରୁଲ୍ ବୁକର ଉଲଂଘନ କରି ସଚିବ ଜନସଭା କରୁଛନ୍ତି । ଉନ୍ନୟନ ପ୍ରକଳ୍ପର ଘୋଷଣା କରୁଛନ୍ତି । ସଚିବ ପହଁଚିବା ପୂର୍ବରୁ ନିର୍ବାଚିତ ଜନପ୍ରତିନିଧି ତାଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ତେବେ ଏ ସବୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୁଥିବା କହୁଛନ୍ତି ସଚିବ । ତେଣୁ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କି ବୋଲି ପ୍ରଶ୍ନ ଉଠାଇଥିଲେ ଅପରାଜିତା ।