ଆନନ୍ଦ ମହିନ୍ଦ୍ରାଙ୍କ ଟୁଇଟ ପରେ ଅପହଞ୍ଚ ଇଲାକାରେ ବୋଟ୍ ଦେଲା ମାଲକାନଗିରି ପ୍ରଶାସନ । ତରବରିଆ ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ ସରକାର ତମେ ଶୋଇଥିଲ କି ? ଏତେ ଦିନ ଯାଏଁ କେଉଁଠି ଥିଲ ?

340

କନକ ବ୍ୟୁରୋ: ନିଦରୁ ଉଠିଲା ମାଲକାନଗିରି ପ୍ରଶାସନ । ଆନନ୍ଦ ମହିନ୍ଦ୍ରାଙ୍କ ଟୁଇଟ ପରେ ପଶିଲା ଚେତା । ଟୁଇଟ ହେଲା, ନିଦ ଭାଙ୍ଗିଲା । ଆନନ୍ଦ ମହିନ୍ଦ୍ରାଙ୍କ ଟୁଇଟ ପରେ ମନେପଡିଲା ଲୋକଙ୍କ କଥା । ଲୋକେ ପାଣି ପାର କରି ଯାଉଛନ୍ତି, ପହଁରି ପହଁରି ଯାଉଛନ୍ତି । ମୌଳିକ ସୁବିଧାରୁ ଦୀର୍ଘ ବର୍ଷ ହେଲା ବଞ୍ଚିତ ଅଛନ୍ତି । ଏକଥା ଏତେ ଦିନ ହେବ ଜାଣି ପାରୁନଥିଲା ପ୍ରଶାସନ କି ଜାଣି ପାରୁନଥିଲେ ରାଜ୍ୟ ସରକାର । ଆଉ ଆଦିବାସୀ ମୁଲକର ଅବହେଳିତ ଖବର ଭୁବନେଶ୍ୱରରେ ପହଞ୍ଚିବା ଆଗରୁ ମୁମ୍ବାଇରେ ପହଞ୍ଚିବା ପରେ ହଠାତ ମନେପଡିଗଲା ଲୋକ କଷ୍ଟ, ଆଦିବାସୀ ଲୋକଙ୍କ ଯନ୍ତ୍ରଣାର କଥା । ଆଉ କାଳ ବିଳମ୍ବ ନକରି ସଙ୍ଗେ ସଙ୍ଗେ ସୁବିଧା ଦେବାକୁ ତତ୍ପର ହେଲା, ବୋଟ ଧରି ଚାଲିଲା ମାଲକାନଗିରି ଜିଲ୍ଲା ପ୍ରଶାସନ ।

ଆଉ ଇଏ ହେଉଛି ସେହି ବୋଟ । ଯାହା ଅଥଳ ପାଣିରେ ଲୋକଙ୍କ ଯିବା ଆସିବାରେ କାମରେ ଲାଗିବ । ବୋଟକୁ ଟ୍ରକରେ ବୋହି ସ୍ୱାଭିମାନ ଅଞ୍ଚଳର ନେରୁଡପାଲି ନଦୀରେ ପକାଇବାକୁ ନେଉଛି ଜିଲ୍ଲା ପ୍ରଶାସନ । ଯାହା ଦ୍ୱାରା ନଦୀ ଆରପଟେ ଥିବା ଦୁଇଟି ଅଙ୍ଗନବାଡି କେନ୍ଦ୍ର ସୁଆପାଲି ଓ ନେଡୁପାଲିକୁ ଯାଆସରେ ସୁବିଧା ହେବ ।

ତେବେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ନେରୁଡପାଲି ନଦୀ ଆରପଟେ ରହିଛି ଦୁଇଟି ଗାଁ ସୁଆପାଲି ଓ ନେଡ଼ୁପାଲି । ହେଲେ ଏହି ଗାଁକୁ ଯିବାଆସିବା ପାଇଁ କୌଣସି ସୁବିଧା ନାହିଁ । ଏଭଳି ସ୍ଥିତିରେ ଅଂଟାରେ ଲାଉତୁମ୍ବା ବାନ୍ଧି ଦୁଇ ଅଙ୍ଗନୱାଡି କର୍ମୀ ପ୍ରମିଳା ପେଲମେଲ ଓ ହେମଲତା ସିସା ନିଜ କର୍ତ୍ତବ୍ୟକୁ ଆଗ୍ରାଧିକାର ଦେଇ ଭୟକୁ ଦୁରେଇ ଭରା ନଦୀ ପାର ହେଉଥିଲେ । ଯାହା କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଆଉ ଖବର ପ୍ରସାରଣ ପରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଲୋକଙ୍କ ଦୂଃଖ ଦୂରେଇବାକୁ ନିଜ ଖର୍ଚ୍ଚରେ ଏକ ବୋଟେ ଦେବେ ବୋଲି ଟୁଇଟ କରି ସୂଚନା ଦେଇଥିଲେ । ଆଉ ଆନନ୍ଦଙ୍କ ଟୁଇଟ ଦେଖି ଆଗେଇ ଆସିଛି ଜିଲ୍ଲା ପ୍ରଶାସନ ।

ତେବେ ଏଠି ପ୍ରଶ୍ନ ଉଠୁଛି ଆନନ୍ଦ ମହିନ୍ଦ୍ରାଙ୍କ ଟୁଇଟକୁ ଅପେକ୍ଷା କରିଥିଲା କି ମାଲକାନଗିରି ପ୍ରଶାସନ ? କଣ ପାଇଁ ନିଜ ମୁହଁର ଦାଗ ନିଜକୁ ଦେଖାଯାଏନି ? ଲୋକଙ୍କ ଦୁଃଖ ଅନ୍ୟ ଜଣେ ଦେଖାଇବା ପରେ ହଠାତ କାହିଁକି ଦରଦ ଦେଖାନ୍ତି ସରକାର? ଆନନ୍ଦ ମହିନ୍ଦ୍ରା ବୋଟ୍ ଦେଇଥିଲେ କଣ ପଦାରେ ପଡିଥାନ୍ତା ସରକାରଙ୍କ ପାରିବାପଣିଆ ? ନା ବାଃ ବାଃ ହରାଇଥାନ୍ତେ ସରକାର? ଆଗରୁ ଦୁଃଖ ନବୁଝି ତରବରିଆ ଭାବେ ବୋଟ୍ ଯୋଗାଇ କି ସନ୍ଦେସ ଦେଲେ ସରକାର ? ଖାଲି ସ୍ୱାଭିମାନ ଅଞ୍ଚଳ ଘୋଷଣା କରିଦେଲେ ସରିଯାଏ କି ସମସ୍ୟା ?