ଚିନ୍ତା ବଢାଉଛି ଦିଲ୍ଲୀ ପ୍ରଦୂଷଣ: ଦିପାବଳୀର ୪ ଦିନ ପରେ ବି ବାୟୁର ଗୁଣବତା ମାନକ ୬୦୦ ଉପରେ ରହିଛି, ଯମୁନା ନଦୀ ଜଳ ବି ପାଲଟିଲା ବିଷାକ୍ତ

90

କନକ ବ୍ୟୁରୋ: ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ଚିନ୍ତାର କାରଣ ବନିଲାଣି । ଏବେ ଦିଲ୍ଲୀର ବାୟୁର ଗୁଣବତା ମାନକ ୬୦୦ ଟପିବା ସମସ୍ୟା କେତେ ଗଂଭୀର ତାହାକୁ ସୂଚାଉଛି । ହରିୟାଣା, ପଂଜାବ, ଉତରପ୍ରଦେଶରେ ଜମିରେ ଶସ୍ୟ ଟୁକୁଡା ଅଂଶ ପୋଡିବା ଶୀତ ସମୟରେ ଦିଲ୍ଲୀ ବାୟୁ ପ୍ରଦୂଷଣକୁ ଅଧିକ ଗଭୀର କରିଦେବ । ସେପଟେ ଛଟ୍ ସମୟରେ ଦିଲ୍ଲୀରେ ଯମୂନା ନଦୀରେ ଭାସୁଛି ଧଳା ଫେଣର ବହଳିଆ ଆସ୍ତରଣ । ତେଣୁ କୁହାଯାଇପାରିବ , ଦିଲ୍ଲୀରେ ଏବେ ପାଣି, ପବନରେ ବିଷ । ସାବଧାନ ନହେଲେ ଆଗକୁ ସ୍ଥିତି ପାଲଟିବ ସଂଘାତିକ ।

ଦିଲ୍ଲୀରେ ଦୀପାବଳି ପରେ ଏମିତି ବିଷ ପାଲଟି ଯାଇଛି ଦିଲ୍ଲୀର ବାୟୁମଣ୍ଡଳ । ଖୋଲା ଆକାଶ ତଳକୁ ଆସି ଟିକିଏ ମୁକ୍ତ ଅମ୍ଳଜାନ ପାଇବାକୁ ସାଇକେଲରେ ବାହାରିଥିଲେ ଏହି ଯୁବ ଗୋଷ୍ଠୀ । ହେଲେ ଏବେ ଦିଲ୍ଲୀରେ ଯେଉଁ ଅଂଚଳକୁ ଗଲେ , ମିଳୁଛି ସେହି ବିଷ ପବନ । ଏପରିକି ଶ୍ୱାସରୁଦ୍ଧ ପରି ଅବସ୍ଥା ଆସିଗଲାଣି ।

କାହିଁକି ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ? ଏହାର କାରଣ ଦୁଇଟି । ଦୀପାବଳିରେ ମାତ୍ରାଧିକ ବାଣ ଫୁଟା । ପଡୋଶୀ ରାଜ୍ୟରେ ଜମିରେ ଶସ୍ୟ ପୋଡି । ଏ ହେଉଛି ହରିୟାଣା ଓ ପଂଜାବରେ ଜମିରେ କିପରି ଶସ୍ୟ ଟୁକୁଡା ପୋଡା ଆରମ୍ଭ ହେଲାଣି ତାହାର ଚିତ୍ର । ଜମିରେ ଫସଲ ଅମଳ ପରେ ପ୍ରତ୍ୟକ ବର୍ଷ ଏହିପରି ହରିୟାଣା, ପଂଜାବ ଏବଂ ଉତରପ୍ରଦେଶରେ ଫସଲର ଟୁକୁଡା ଅଂଶକୁ ପୋଡି ଦିଆଯାଇଥାଏ । ଏବେ ଧାନ ଅମଳ ସମୟ ଆସିଯାଇଥିବାରୁ ଏହି ଘଟଣା ଅଧିକ ନଜର ଆସିଥାଏ । ତେବେ ଏହା ଉପରେ ରୋକ୍ ଲଗାଇବାକୁ ରାଜ୍ୟ ସରକାରମାନେ କଟକଣା ଜାରି କରିଥିଲେ ବି ଏଥିରୁ ସୁଫଳ ମିଳିନି ।

-ହରିୟାଣା, ପଂଜାବ, ରାଜସ୍ଥାନ, ୟୁପି ୨୬ ମିଲିୟନ ଏଳର ଧାନଚାଷ ହୋଇଥାଏ
-ପ୍ରତ୍ୟକ ବର୍ଷ ୪୮ ମିଲିୟନ ଟନ୍ ଧାନଗଛର ଅଂଶ ଉତ୍ପାଦନ ହୋଇଥାଏ
-ଏଥିରୁ ୩୯ ମିଲିୟନ ଟନ୍ କେବଳ ପୋଡି ଦିଆଯାଇଥାଏ
-ତାପମାତ୍ରା ଓ ପବନର ବେଗ କମିବା ଧୂଆଁକୁ କିଛି ସ୍ଥାନରେ ଅଟକାଇ ଦେଇଥାଏ

ଦିଲ୍ଲୀରେ ନିର୍ମାଣ ଏବଂ ଗାଡି ମୋଟର ଜନିତ ପ୍ରଦୂଷଣ ବି ଅନ୍ୟ ପ୍ରମୁଖ କାରଣ । ଦିଲ୍ଲୀ ସରକାର ଅଡଇଭିନ୍ ବ୍ୟବସ୍ଥା ଲାଗୁ କରି ଗାଡି ମୋଟର ଜନିତ ପ୍ରଦୂଷଣ ରୋକିବାକୁ ଉଦ୍ୟମ କରିଥାନ୍ତି । ବର୍ତମାନ ସେହି କଟକଣା ପୁଣି ଫେରିବା ସଂଭାବନା ଦେଖାଗଲାଣି । ବାୟୁମଣ୍ଡଳରେ ଘୁରି ବୁଲୁଥିବା ଛୋଟ ଛୋଟ କଣିିକାକୁ ତଳକୁ ଖସାଇବାକୁ ପାଣି ଛିଂଚିବା କାମ କରୁଛି ଦିଲ୍ଲୀ ମହାନଗର ନିଗମ । ଏହା ବି ପ୍ରଦୂଷଣ ରୋକିବାରେ ସହାୟକ ହୋଇଥାଏ ।

ଦିଲ୍ଲୀରେ ଯମୂନା ନଦୀର ଏ ଜଳକୁ ଦେଖିଲେ ଆପଣଙ୍କ ଆଖି ବି ଧୋକା ଖାଇଯିବ । ଲାଗିବ ଆପଣ ଆକାଶରେ ଧଳା ବାଦଲ ଭିତରେ ବୁଲୁଛନ୍ତି । କିନ୍ତୁ ଏହା ହେଉଛି ଦିଲ୍ଲୀର ଯମୂନା ନଦୀର ଦୃଶ୍ୟ । ବର୍ତମାନ ଛଟପୂଜା ସମୟରେ ଏହି ପରି ପାଣିରେ ଗାଧୋଇ ପୂଜା କରିବାକୁ ବାଧ୍ୟ ହେଉଛନ୍ତି ମହିଳା ।

ଦିଲ୍ଲୀରେ ପ୍ରଥମ ଲକଡାଉନ ପରେ ପାଣି ଠାରୁ ପବନ ସବୁ କିଛି ପୁରା ସ୍ୱଛ ହୋଇଯାଇଥିଲା । ଦିଲ୍ଲୀର ବାୟୁର ଗୁଣବତା ମାନକ ୬୦କୁ ବି ଖସି ଆସିଥିଲ।। ହେଲେ ବର୍ତମାନ ଏହା କିଛି ଅଂଚଳରେ ୬୦୦ ଅତିକ୍ରମ କରିବା କେଜ୍ରିୱାଲ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।