କିଛି ସମୟ ପରେ ନିର୍ବାଚନ କମିଶନଙ୍କ ପ୍ରେସମିଟ : ଓଡିଶାର ୨ ବିଧାନସଭା ଉପନିର୍ବାଚନର ତାରିଖ ହୋଇପାରେ ଘୋଷଣା; ଭୋଟ ପୂର୍ବରୁ ତିର୍ତ୍ତୋଲ ପାଇଁ ସେତୁ ଘୋଷଣା କଲେ ସରକାର

112

କନକ ବ୍ୟୁରୋ : ଆଜି ଘୋଷଣା ହୋଇପାରେ ବିହାର ବିଧାନସଭା ନିର୍ବାଚନର ତାରିଖ ।  ଏହାସହ ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନର ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ ।  ଆଜି ଦିନ ୧୨ଟା ୩୦ରେ ଦିଲ୍ଲୀରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ ଡାରିଛନ୍ତି । ଆଶା କରାଯାଉଛି,  ଏଠାରେ ତାରିଖ ଘୋଷଣା ହୋଇପାରେ  ।  ତିର୍ତୋଲରୁ ବିଷ୍ଣୁ ଦାସ ଓ ବାଲେଶ୍ୱର ସଦରରୁ ମଦନମୋହନ ଦତଙ୍କ ପରଲୋକ ଯୋଗୁଁ ଏଠାରେ ଉପନିର୍ବାଚନ ହେଉଛି ।  ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ।  ଏପରିକି ବାଲେଶ୍ୱର ସଦର ଆସନକୁ ବିଜେପିଠାରୁ ବିଜେଡି ଛଡାଇଆଣିବ ବୋଲି ରଣନୀତି ତିଆରି କରୁଛି । ଏହାରି ଭିତରେ ଆଜି ନିର୍ବାଚନ କମିଶନଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ  ବିହାର ବିଧାନସଭାର ତାରିଖ ବି ଆଜି ଘୋଷଣା ହୋଇପାରେ ।  ଏଥର ୩ଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ହୋଇପାରେ  ଓ ଦୀପାବଳି ପୂର୍ବରୁ ନୂଆ ବିଧାନସଭା ଗଠନ ହୋଇପାରେ । 

ତିର୍ତୋଲ ବିଧାନସଭା ଉପନିର୍ବାଚନ ଆଗରୁ ତିର୍ତୋଲ ପାଇଁ ସରକାରଙ୍କ ବଡ ଘୋଷଣା । ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର ତିର୍ତୋଲ –ପୋଷଶ-ଶଂଖେଶ୍ୱର ରାସ୍ତାର ମହାନଦୀ ଉପରେ ଉଚ୍ଚ ସେତୁ ନିର୍ମାଣ ପାଇଁ ମଂଜୁରୀ ଦେଇଛନ୍ତି । ୧୧୮ କୋଟି ୫୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ତିଆରି ହେବ ସେତୁ । ସେତୁର ଲଂବ ୮୮୮.୮୯ ମିଟର ରହିବ । ସରକାରଙ୍କ ଅନୁମୋଦନ ପରେ ସେତୁ ପାଇଁ ଟେଂଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ସେତୁ ପାଇଁ ଦୀର୍ଘ ବର୍ଷରୁ ଅଂଚଳବାସୀ ଦାବି କରି ଆସୁଥିଲେ । ଏହି ସେତୁ ହେବା ଫଳରେ ଅଇନ୍ତ, ଗୋପାଳପୁର, କାନିମୂଳ, ବିଶନପୁର,କୃଷ୍ଟନଦେଇପୁର, ପୋଷାଳ, ବିଜିପୁର, ସରଳପୁର, ତେନ୍ତୁଳିପଡା ଆଦି ଗାଁ ବିଶେଷ ଭାବେ ଉପକୃତ ହେବେ । ଏହି ସେତୁ ତିଆରି ହେବା ପରେ ସିଧାସଳଖ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଉପକୃତ ହେବେ ।