କନକ ବ୍ୟୁରୋ: ୱଣ୍ଡ୍ି ସର୍ଫିଂ ପରି ଖେଳ ଖେଳିବା ବହୁ କଷ୍ଟ ଦାୟକ । ବହୁ କମ ଖେଳାଳି ଏହି ଖେଳ ଖେଳିଥାନ୍ତି । ଓଡ଼ିଶାର ଜଣେ ମାତ୍ର ଝିଅ ମନସ୍ୱିନୀ ମହାରଣା ଏହି ଖେଳ ଖେଳି ୨୦୧୫ରୁ ୨୦୨୨ ଭିତରେ ରାଜ୍ୟ ପାଇଁ ୨୮ ପଦକ ଜିତିଛନ୍ତି । ହେଲେ ପରର୍ବତି ସମୟରେ ସହାୟତା ଅଭାବରୁ ଖେଳଠାରୁ ଦୂରେଇ ଯାଇଥିଲେ । ଦିର୍ଘ ୪ ବର୍ଷ ପରେ ବିନା ଅଭ୍ୟାସରେ ପୁଣି ସମୁଦ୍ରରେ ନୌ-ଚାଳନା କରି ଗୋଟି ମାସରେ ଜାତୀୟସ୍ତରରେ ୨ ପଦକ ହାସଲ କରିଛନ୍ତି । କିନ୍ତୁ ଏହିି ଖେଳାଳୀଙ୍କ ଉପରେ ସରକାରଙ୍କ ନଜର ପଡ଼ୁନାହିଁ । ଫଳରେ ପରିବାର ଚଳାଇବା ଖଲିପତ୍ର ସିଲେଇ କରୁଛନ୍ତି ମନସ୍ୱିନୀ ମହାରଣା ।
ଗଭୀର ସମୁଦ୍ରରେ ପାଲ ବନ୍ଧା ଡ଼ଙ୍ଗା ଧରି ଖେଳ ପଦର୍ଶନ କରୁଛନ୍ତି ଗଞ୍ଜାମ ଜିଲ୍ଲା ପାଣିବନ୍ଦ ଗାଁର ମନସ୍ୱିନୀ ମହାରଣା । ସମୁଦ୍ର ନୀଳଜଳ ରାଶିରେ ଦୁଃସାହସିକ ନୌ-ଚାଳନା କରି ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ପଦକ ଜଣିଛନ୍ତି । ସମୁଦ୍ର କୂଳରେ ଘର ହୋଇଥିବାରୁ ସମୁଦ୍ର ଢେଉରେ ଖେଳିବା ପାଇଁ ଖୁବ୍ ଭଲ ପାଆନ୍ତି ମନସ୍ୱିନୀ । ପରେ ଏହି କ୍ରୀଡାକୁ ଜାତୀୟସ୍ତରରେ ପ୍ରଦର୍ଶନ କରି ୨୮ଟି ପଦକ ହାସଲ କରିଛନ୍ତି । ୧୬ଟି ସ୍ୱର୍ଣ୍ଣର୍, ୫ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ହାସଲ କରିଥିବା ମନସ୍ୱିନୀ ଖେଳ ପ୍ରଦର୍ଶନ ଯେତେ କଠିନ, ତାଙ୍କ ଜୀବନ ଯାତ୍ରା ବି ସେତେ କଷ୍ଟକର ।
ଅର୍ଥାଭାବ ପାଇଁ ଖେଳ ଛାଡ଼ି ୨୦୧୮ ମସିହାରେ ବିବାହ କରିଥିଲେ ମନସ୍ୱିନୀ । ବିବାହ ପରେ ବି ଅର୍ଥାଭାବ ଦୂର ହୋଇପାରିଲାନାହିଁ । ତେଣୁ ଉଇଣ୍ଡ ସର୍ଫିଙ୍ଗ୍ ଠାରୁ ୪ ବର୍ଷ ଯାଏଁ ଦୂରେଇ ଯାଇଥିଲେ । ଚଳିତ ବର୍ଷ ସରକାରୀ ସୂତ୍ରରୁ କିଛି ଅର୍ଥିକ ସାହାର୍ଯ୍ୟ ମିଳିବାରୁ କୋଚ୍ ସବିର ବକ୍ସଙ୍କ ସହାୟତାରେ ପୁଣି ଡଙ୍ଗା ଧରି ସମୁଦ୍ରକୁ ବାହାରି ପଡିଛନ୍ତି ମନସ୍ୱିନୀ । ବିନା ଅଭ୍ୟାସରେ ଗୋଆ ଠାରେ ଆୟୋଜିତ ପ୍ରତିଯୋଗିତାରେ ରୌପ୍ୟ ଓ ମହାରଷ୍ଟ୍ରରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ହେଲେ ଆର୍ଥାଭାବ କିନ୍ତୁ ଦୂର ହୋଇପାରିନାହିଁ । ପେଟ ପାଇଁ ବାପାଙ୍କ ଘରେ ରହି ଖଲିପତ୍ର ସିଲେଇ କରି ବିକ୍ରି କରୁଛନ୍ତି କ୍ରୀଡା ପ୍ରତିଭା ମନସ୍ୱିନୀ ।
ଉଇଣ୍ଡ ସର୍ଫିଙ୍ଗରେ ୧୦ ବର୍ଷର ସଫଳ ଯାତ୍ରାରେ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିଛନ୍ତି ମନସ୍ୱିନୀ । ହେଲେ ଏଯାଏଁ ତାଙ୍କ ଉପରେ ଯେମିତି କାହାର ନଜର ପଡିନାହିଁ । କ୍ରୀଡାକୁ ପ୍ରାଧାନ୍ୟ ଦେଉଥିବା ସରକାରଙ୍କ ନଜର ଯଦି ମନସ୍ୱିନୀଙ୍କ ଉପରେ ପଡିଥାନ୍ତା, ତେବେ ସେ କଣ ଆଜି ପେଟ ପାଇଁ ଖଲିପତ୍ର ସିଲେଇ କରୁଥାନ୍ତି ।