ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡ଼ି ଆଗୁଆ: ବାଲେଶ୍ୱରରେ ସ୍ୱରୁପ ଦାସ, ତିର୍ତ୍ତୋଲରେ ବିଜୟ ଶଙ୍କର ଦାସ ଆଗରେ

ଦ୍ୱିତୀୟରେ ବିଜେପି । ପ୍ରତି ରାଉଣ୍ଡରେ ବଢୁଛି ବ୍ୟବଧାନ

203

କନକ ବ୍ୟୁରୋ: ଚାଲିଛି ଗଣତି ଆଉ କିଛି ଘଂଟା ପରେ ସ୍ପଷ୍ଟ ହେବ ଜନା ଜନାର୍ଦ୍ଦନଙ୍କ ରାୟ । ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନରେ ଏଥର କିଏ ମାରିବ ବାଜି । କାହାକୁ ନେତା ବାଛିଛନ୍ତି ଜନତା ତାର ଫଳା ଫଳା ଆଉ ମାତ୍ର କେତେ ସମୟ ପରେ ଜଣାପଡିବ । ତେବେ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ଗଣତିରେ ବାଲେଶ୍ୱରରେ ବିଜେଡିର ଗତି ଧୀମା ପଡିଥିବା ବେଳେ ଅଷ୍ଟମ ଏବଂ ନବମରେ କିନ୍ତୁ ପୂର୍ବ ଟ୍ରେଣ୍ଡକୁ ଫେରିଛି ବିଜେଡି । ଉଭୟ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନରେ ଆଗରେ ରହିଛି ବିଜେଡି ।

ନବମ ରାଉଣ୍ଡ ଶେଷ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୩୨୭୮ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ମିଳିଛି ୧୭୩୮ ଖଣ୍ଡ ଭୋଟ୍ । ସେହିଭଳି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ମିଳିଛି ମାତ୍ର ୧୨୮୮ ଖଣ୍ଡ ଭୋଟ୍ । ଅନ୍ୟପକ୍ଷରେ ନବମ ରାଉଣ୍ଡ ସୁଦ୍ଧା ବିଜେପିଠାରୁ୧୪ ହଜାର ୫୬୧ ଖଣ୍ଡ ଭୋଟ୍ ଅନ୍ତରରେ ଆଗୁଆ ରହିଛି ବିଜୁ ଜନତା ଦଳ ।

ସେହିଭଳି ବାଲେଶ୍ୱର ସଦର ଆସନରେ ବି ସମାନ ଅବସ୍ଥା । ମାତ୍ର ୨ଟି ରାଉଣ୍ଡରେ ବିଜେଡିର ଭୋଟ୍ ସଂଖ୍ୟା କମ୍ ରହିଥିବା ବେଳେ ଏବେ ସୁଦ୍ଧା ମୋଟ୍ ୭ଟି ପର୍ଯ୍ୟାୟ ଗଣତିରେ ବିଜେଡି ମାରିଛି ବାଜି । ବାଲେଶ୍ୱରରେ ନବମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପାଇଛି ୪୨୨୩ଟି ଭୋଟ୍, ବିଜେପିକୁ ୩୪୩୫ଟିି ଭୋଟ୍ ଏବଂ କଂଗ୍ରେସକୁ ମିଳିଛି ମାତ୍ର ୮୦ଖଣ୍ଡ ଭୋଟ୍ । ତେବେ ଏହି ରାଉଣ୍ଡ ଶେଷ ସୁଦ୍ଧା ୪ ହଜାର ୫୫୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେପିଠାରୁ ଆଗରେ ରହିଛି ବିଜୁ ଜନତା ଦଳ ।