କନକ ବ୍ୟୁରୋ: ବାତ୍ୟା ‘ଫୋନି’କୁ ୮ ଦିନ ବିତିଯାଇଛି । ଗତ ଶୁକ୍ରବାର ମେ’ ୩ ତାରିଖରେ ଓଡ଼ିଶାରେ ତାଣ୍ଡବ ରଚାଇ ଖିନଭିନ୍ କରି ଚାଲିଗଲା । ବାତ୍ୟା ଓଡ଼ିଶା ଛୁଇଁବା ପୂର୍ବରୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲା ପ୍ରଶାସନ। ଭୀଷଣ ରୂପ ‘ଫୋନି’ ସ୍ଥଳଭାଗକୁ ଘାଣ୍ଟି ଚକଟି ଦେଇଥିଲେ ହେଁ ମୃତ୍ୟୁ ସଂଖ୍ୟା ୪୧ରେ ସୀମିତ ରହିଛି । ସେଥିପାଇଁ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି ସରକାର ।

Advertisment

publive-imageଅନ୍ୟପଟେ ବାତ୍ୟା ପରବର୍ତୀ ପରିସ୍ଥିତି ମୁକାବିଲା କ୍ଷେତ୍ରରେ ଅବ୍ୟବସ୍ଥା ସରକାରଙ୍କୁ ଅଣନିଃଶ୍ବାସୀ କରି ଦେଲାଣି। କାରଣ ବିଭିନ୍ନ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡ଼ିକରେ ପ୍ରଭାବିତମାନେ ଧର୍ଯ୍ୟ ହରାଉଛନ୍ତି । ଏପରିକି କିଛି ଜାଗାରେ ଲୋକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଏଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ବିରୋଧୀମାନେ ମଧ୍ୟ ଶାସକ ଦଳକୁ ସମାଲୋଚନା କରିବା ସହ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବାସ୍ତବତା ହେଲା, ‘ଫୋନି’ ଏପରି ପ୍ରଳୟ କରିଛି ଯେ କେଉଁଠି ପ୍ରଥମେ ସଜାଡ଼ିଲେ ଚଳିବ, ଆଉ କେଉଁଠି ପଛରେ ତାହା ଅଧିକାରୀମାନେ ସ୍ଥିର କରିପାରୁନାହାନ୍ତି। କାରଣ ପିଇବା ପାଣିଠାରୁ ଆରମ୍ଭ କରି ବିଦ୍ୟୁତ୍, ପର୍ଯ୍ୟଟନ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟ ସବୁକିଛି ଉଜୁଡ଼ିଯାଇଛି । ଯାହାକୁ ସୁଧାରିବାକୁ ଚାହୁଁଛନ୍ତି, ତାହା ତ ତତ୍କାଳ ସ୍ବାଭାବିକ ଅବସ୍ଥାକୁ ଫେରିବ ତାହା ପ୍ରଶ୍ନ ଉଠୁନି, ଓଲଟା ଅନ୍ୟ ସବୁ କ୍ଷେତ୍ରରୁ ଚାପ ବଢ଼ିବାରେ ଲାଗିଲାଣି ।

publive-imageସବୁଠାରୁ ବଡ଼ କଥା ହେଲା କି, ଆଗକୁ ରଥଯାତ୍ରା । ତା’ ପୂର୍ବରୁ ପୁରୀ ଓ ଭୁବନେଶ୍ବରରେ ପରିବହନଠାରୁ ଆରମ୍ଭ କରି ପରିମଳ ପରର୍ଯ୍ୟନ୍ତ ସବୁକିଛିରେ କେତେ ଶୀଘ୍ର ପରିବର୍ତନ ହୋଇପାରିବ ତାହା ସରକାରଙ୍କ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏ ପର୍ଯ୍ୟନ୍ତ ସରକାର ରାସ୍ତା ସଫା, ବିଦ୍ୟୁତ ଓ ପାଣି ଯୋଗାଣକୁ ସ୍ବାଭାବିକ କରିବା କାର୍ଯ୍ୟରେ ସୀମିତ ଅଛନ୍ତି । ଭିତ୍ତିଭୂମି ସଜାଡ଼ିବାକୁ ଅଧିକରୁ ଅଧିକ ଲୋକଙ୍କୁ ସେସବୁ େକ୍ଷତ୍ରରେ ନିୟୋଜିତ କରାଯାଉଛି । ଅନ୍ୟ ରାଜ୍ୟରୁ ହଜାର ହଜାର ଶ୍ରମିକ, କର୍ମଚାରୀଙ୍କୁ ଅଣାଯାଇ ନିୟୋଜିତ କରିଛନ୍ତି, ଅନ୍ୟ ଜିଲ୍ଲାରୁ ବି। ମାତ୍ର ସେମାନଙ୍କୁ କେଉଁଠି ରଖାଯିବ ଓ କିପରି ଖାଇବାକୁ, ପିଇବାକୁ ଦିଆଯିବ ତାହା ବି ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ପ୍ରବଳ ଖରା ଓ ଗୁଳୁଗୁଳି ସ୍ଥିତିକୁ ଅଧିକ ଜଟିଳ କରିଦେଉଛି।

publive-imageଅନ୍ୟପକ୍ଷରେ ଜନଅସନ୍ତୋଷ ଥମୁନି। କେଉଁଠି ରିଲିଫ୍ ପହଞ୍ଚିନି ବୋଲି ପ୍ରତିବାଦର ସ୍ବର ଶୁଭୁଛି ତ କେଉଁଠି ବିଜୁଳି, ପାଣି ପାଇଁ ଲୋକ ରାସ୍ତାକୁ ଆସିଯାଇଛନ୍ତି । ସଚିବମାନେ ଉପର ସ୍ତରରେ ବସି ଗଣମାଧ୍ୟମକୁ ବିବୃତି ଦେଉଛନ୍ତି । ଅଥଚ ତଳ ସ୍ତରରେ କାମ କରୁଥିବା କର୍ମଚାରୀମାନେ ପ୍ରତିଦିନ ଲୋକଙ୍କ ରୋଷର ଶୀକାର ହେଉଛନ୍ତି । କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଲାଣି । ଦିନ ଯେତିକି ଗଡ଼ୁଛି, ପରିସ୍ଥିତି ସେତିକି ଜଟିଳ ହେବାରେ ଲାଗିଛି । ବିଭିନ୍ନ ଆଡ଼ୁ ସରକାରଙ୍କ ଉପରେ ଚାପ ବଢୁଛି । ନିଜେ ପ୍ରଧାନମନ୍ତ୍ରୀ ଆସି ସ୍ଥିତି ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ବି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି । କ୍ୟାବିନେଟ୍ ସଚିବ ନୂଆଦିଲ୍ଲୀରୁ ପ୍ରତିଦିନ ସ୍ଥିତିର ସମୀକ୍ଷା କରୁଛନ୍ତି। ୧୨ ତାରିଖରେ କେନ୍ଦ୍ରୀୟ ଦଳ ଆସି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ।