କନକ ବ୍ୟୁରୋ : ଗତ ୫୦ ବର୍ଷ ମଧ୍ୟରେ ଭାରତୀୟ ଉପକୂଳ ପ୍ରତି ବିପଦ ମାଡ଼ି ଆସିଲାଣି। କାରଣ ଏହି ସମୟରେ ସମୁଦ୍ର ଜଳସ୍ତର ୮.୫ ସେଣ୍ଟିମିଟର ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ ଶତାବ୍ଦୀ ଶେଷ ସୁଦ୍ଧା ସମୁଦ୍ର ୪ ଫୁଟ୍ ଫୁଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟୋ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ବିଶ୍ବ ତାପମାତ୍ରା ବୃଦ୍ଧି ଯୋଗୁଁ ଭାରତର ଅନେକ ଉପକୂଳବର୍ତୀ ସହର ସମୁଦ୍ର ଗର୍ଭରେ ଲୀନ ହେବା ସମ୍ଭାବନା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଉପକୂଳରେ ସମୁଦ୍ରର ଜଳସ୍ତର ବାର୍ଷିକ ୧.୭୦ ମିମି ହାରରେ ବୃଦ୍ଧି ପାଉଛି। ଉପଗ୍ରହ ତଥ୍ୟ ଅନୁସାରେ, ଗତ ଦଶନ୍ଧିରେ ଉତ୍ତର ଭାରତ ମହାସାଗରର ବାର୍ଷିକ ଜଳପତ୍ତନ ୬.୧ମି.ମି ହାରରେ ବୃଦ୍ଧି ପାଇଛି। ଏହା ଚିନ୍ତାଜନକ ବୋଲି କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

Advertisment

publive-imageକେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସୁନାମି, ସାମୁଦ୍ରିକ ଝଡ଼, ସମୁଦ୍ର ତଟ କ୍ଷୟ ଓ ବନ୍ୟା ଫଳରେ ନିୟମିତ ଭାବେ ସମୁଦ୍ର ତଟ କ୍ଷୟ ପାଉଛି। ଅପରପକ୍ଷେ, ସମୁଦ୍ର ଜଳସ୍ତର ବୃଦ୍ଧି ପାଇବା ଫଳରେ ଭାରତୀୟ ତଟବର୍ତ୍ତୀ ସହରଗୁଡ଼ିକ ପ୍ରତି ବିପଦ ଦେଖାଦେଇଛି। ସମୁଦ୍ର ଜଳପତ୍ତନ ବୃଦ୍ଧି ଯୋଗୁଁ ଡାଇମଣ୍ଡ ହାର୍ବର,କାଣ୍ଡଲା, ହଳଦିଆ, ମୁମ୍ବାଇ, କୋଲକାତା, ପୋର୍ଟ ବ୍ଲେୟାର ଭଳି ସହର ବୁଡ଼ିଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅପରପକ୍ଷେ, ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ସମଗ୍ର ବିଶ୍ବରେ ସମୁଦ୍ର ପତ୍ତନ ୪ ଫୁଟ ବୃଦ୍ଧି ପାଇବ ବୋଲି ବ୍ରିଟେନର ଏକ ପ୍ରମୁଖ ସାମୁଦ୍ରିକ ବିଜ୍ଞାନ ବିଶେଷଜ୍ଞ ପ୍ରକାଶ କରିଛି। ଅସ୍ବାଭାବିକ ଭାବେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଯୋଗୁଁ ନିୟମିତ ଭାବେ ବିଶ୍ବ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

ଏହା ଫଳରେ ମେରୁ ଅଞ୍ଚଳରେ ବରଫ ତରଳିବା ସହିତ ସମୁଦ୍ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସାମୁଦ୍ରିକ ଜୁଆରର ଉଚ୍ଚତା ବୃଦ୍ଧି ପାଇଛି ବୋଲି ବ୍ରିଟେନର ଇନ୍ଷ୍ଟିଚ୍ୟୁସନ ଅଫ୍ ମେକାନିକାଲ୍ ଇଞ୍ଜିନିୟର୍ସ (ଆଇମେକ୍) କହିଛି। ନିକଟରେ ପ୍ରକାଶ ପାଇଥିବା ମିଳିତ ଜାତିସଂଘର ଶୀର୍ଷ ସରକାରୀ କମିଟି (ଆଇପିସିସି) ରିପୋର୍ଟ ଅନୁସାରେ ୨୧୦୦ ସୁଦ୍ଧା ସମଗ୍ର ବିଶ୍ବରେ ସମୁଦ୍ର ପତ୍ତନ ୩୩ ଇଞ୍ଚ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି। ଏଣୁ ଶକ୍ତି, ଖାଦ୍ୟ ଓ ଔଷଧ ଯୋଗାଣ କ୍ଷେତ୍ରରେ ବଡ଼ ଆହ୍ବାନ ସୃଷ୍ଟି କରିବ। ଏସବୁ ସାମଗ୍ରୀ ପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ଆଇମେକ୍ ପରାମର୍ଶ ଦେଇଛି। ସେହିଭଳି ସମୁଦ୍ର ଜଳସ୍ତର ବୃଦ୍ଧି ବିଶ୍ବର ବଡ଼ ବଡ଼ ପୋଲ, ରାସ୍ତା, ରେଳ ରାସ୍ତା ପ୍ରତି ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଆଇମେକ୍ କହିଛି।