ବାଲେଶ୍ୱରରେ ପୁଲିସ-ଅପରାଧୀ ମୁହାଁମୁହିଁ: ରେମୁଣା ବ୍ଲକ ଶ୍ୟାମରାଇପୁରରେ ଅପରାଧୀଙ୍କୁ ଧରିବାକୁ ଯାଇ ପୁଲିସ ନାକେଦମ; ୫ ଘଂଟାର କସରତ ପରେ ଧରପଡିଲା ଦୁର୍ବୃତ୍ତ

548

କନକ ବ୍ୟୁରୋ: ବାଲେଶ୍ୱରରେ ପୁଲିସ-ଅପରାଧୀ ମୁହାଁମୁହିଁଁ । ଅପରାଧୀକୁ ଧରିବାକୁ ଯିବା ସମୟରେ ପୋଲିସ ଉପରକୁ ହୋଇଛି କାଚ ବୋତଲ, ସୁତୁଲି ବୋମା, ଭଂଗା ଇଟା , ବାଥ ରୁମ୍ ସଫା କରୁଥିବା ଏସିଡ ମାଡ । ପୋଲିସ ଉପରକୁ ଏସବୁ ମାଡ କରିଛନ୍ତି ଅପରାଧୀଙ୍କ ପରିବାର ଲୋକ । ଫଳରେ ଇଶ୍ୱର ମହାଳିକକୁ ଧରିବାରେ ପୁରା ନାକେଦମ୍ ହୋଇଥିଲା ସହଦେବଖୁଂଟା ଏବଂ ରେମୁଣା ଥାନା ପୋଲିସ । ରେମୁଣା ବ୍ଲକର ଶାମରାଇପୁରରେ ମୋଷ୍ଟ ୱାଂଟେଡ୍ ଅପରାଧୀ ଇଶ୍ୱର ମହାଳିକ ପୋଲିସକୁ ଚକମା ଦେବାକୁ ସବୁ ଉଦ୍ୟମ କରିଥିଲା ।

ତାଙ୍କ ନାଁରେ ଆଗରୁ ରହିଥିଲା ଶତାଧିକ ମାମଲା । ୨ ଦିନ ପୂର୍ବରୁ ରାଜପଥରେ ହୋଇଥିବା ଏକ ଡକାୟତି ମାମଲାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହି ସହିତ ଇଶ୍ୱର ମହାଳିକଙ୍କ ସଂପର୍କ ଅଭିଯୋଗ ରହିଥିବାରୁ ଆଜି ଭୋର ସମୟରେ ଇଶ୍ୱର ମହାଳିକଙ୍କ ଘର ଉପରେ ଚଢଉ କରିଥିଲା ପୋଲିସ । ପ୍ରାୟ ୫ ଘଂଟାର ଅପରେସନ୍ ପରେ ପୋଲିସ ଶେଷରେ ଇଶ୍ୱର ମହାଳିକକୁ ଗିରଫ କରିଛି । ଇଟା ପଥର ମାଡରେ ଦୁଇ ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି । ପୋଲିସ ଇଶ୍ୱର ମହାଳିକଙ୍କୁ ଗିରଫ କରିବା ସହ ତାଙ୍କର କାର ଜବତ କରିଛି ।