କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଭିତରେ ଉତ୍କଣ୍ଠା ବଢ଼ି ଚାଲିଛି। ଦୀର୍ଘ ୪୬ ବର୍ଷ ପରେ ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର। ହେଲେ, ରତ୍ନଭଣ୍ଡାର ଖୋଲିବାକୁ ନେଇ ଏକ ବଡ ସଂଯୋଗ ଆପଣଙ୍କ ସାମନାରେ ରଖିବୁ। ବାପା ପରେ ପୁଅ ଖୋଲିବେ ରତ୍ନଭଣ୍ଡାର।
୧୯୭୮ ମସିହା। ଶେଷ ଥର ପାଇଁ ଖୋଲିଥିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର। ମୁଖ୍ୟମନ୍ତ୍ରୀ ଥାନ୍ତି ନୀଳମଣୀ ରାଉତରାୟ। ଆଇନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥାନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ଦୁହିଁଙ୍କ ମିଳିତ ଉଦ୍ୟମରେ ଖୋଲାଯାଇଥିଲା ରତ୍ନଭଣ୍ଡାର। କେବଳ ଖୋଲାଯାଇନଥିଲା, ରତ୍ନ ଅଳଙ୍କାରର ଗଣତି, ମଣତି ବି କରାଯାଇଥିଲା। କୁହାଯାଏ, ଏଥିରେ ବିଶ୍ବଭୂଷଣ ହରିଚନ୍ଦନ ପ୍ରମୁଖ ଭୂମିକା ତୁଲାଇଥିଲେ। ଆଉ ସଫଳତାର ସହ ସବୁ କାର୍ଯ୍ୟ ଶେଷ ହୋଇଥିଲା।
ସଂଯୋଗ ବଶତଃ ଏବେ ପୁଣି ଥରେ ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ଆଉ ବର୍ତ୍ତମାନର ଆଇନମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତାଙ୍କ ନେତୃତ୍ୱରେ ଚାଲିଛି ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତୁତି। ରତ୍ନଭଣ୍ଡାର ଖୋଲିବାରେ ବର୍ତ୍ତମାନର ସରକାର ସଫଳ ହେଲେ, ଏହା ପୃଥ୍ୱୀରାଜଙ୍କ ରାଜନୈତିକ କ୍ୟାରିୟରରେ ବଡ ଫର୍ଦ୍ଦ ଯୋଡି ହେବ।