୪ବର୍ଷ ପରେ ବିମୁଦ୍ରାକରଣକୁ ନେଇ ଥମିନି ବିତର୍କ । ବିରୋଧୀଙ୍କ ଅଭିଯୋଗ, ଏବେ ବି ଭରିନି ଦେଶର ଅର୍ଥନୀତିରେ ସୃଷ୍ଟି ହୋଇଥିବା କ୍ଷତ । ମୋଦୀ କହିଲେ କଳାଧନ କମିଛି, ଟିକସ ଆଦାୟ ବଢ଼ିଛି, ବିକାଶରେ ସହାୟକ ହୋଇଛି ବିମୁଦ୍ରାକରଣ ।

370

କନକ ବ୍ୟୁରୋ : ଡି-ମୋନିଟାଇଜେସନ ବା ବିମୁଦ୍ରାୟନକୁ ୪ବର୍ଷ ପୁରିଛି । ବିରୋଧୀଙ୍କ କହିବା ହେଲା ଦେଶର ଅର୍ଥନୀତିକୁ କ୍ଷତି ପହଂଚାଇଛି, ବିମୁଦ୍ରାୟନ । ଅନ୍ୟପକ୍ଷରେ ମୋଦି ଟୁଇଟ କରି କହିଛନ୍ତି, ଟିକସ ଦେଉନଥିବା ଲୋକେ ଟିକସ ଦେଇଛନ୍ତି, କଳାଧନ କମିଛି ଏବଂ ଦେଶର ବିକାଶରେ ବିମୁଦ୍ରାୟନ ସହାୟ ହେଉଛି ।

ନଭେମ୍ବର ୮, ୨୦୧୬ । ରାତି ୮ଟାରେ ମୋଦିଙ୍କ ବଡ ଘୋଷଣା । ଆଜିକୁ ୪ବର୍ଷ ତଳେ ଆଜିର ଦିନରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାୟନ ନେଇ ଘୋଷଣା କରିଥିଲେ ସଙ୍ଗେ ସଙ୍ଗେ ଦେଶର ପ୍ରମୁଖ ବ୍ୟାଙ୍କ ଏଟିଏମ ଆଗରେ ଧାଡି ଲାଗିଗଲା । ପ୍ରାୟ ୩ ମାସ ଧରି ସ୍ୱାଭାବିକ ହୋଇପାରିଲା ନାହିଁ ସ୍ଥିତି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ ଲୋକେ । ଆଜି ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ୪ବର୍ଷ ତଳେ ହୋଇଥିବା ଏହି ବିମୁଦ୍ରାକରଣ ସ୍ୱଚ୍ଛତା ଆଣିଛି ।

ଟୁଇଟରେ ମୋଦି ଉଲ୍ଲେଖ କରିଛନ୍ତି
-କଳାଧନ କମିଛି
-ଟିକସ ଆଦାୟ ବଢିଛି
-ଦେଶର ବିକାଶରେ ସହାୟକ ହୋଇଛି

ଟିକସ ଦେଉନଥିବା ୩ଲକ୍ଷ ଲୋକ ୧୩ହଜାର କୋଟି ଟଙ୍କାର ଟିକସ ଦେଇଛନ୍ତି । ଯାହାକି ବିମୁଦ୍ରାକରଣର ପ୍ରଭାବ ବୋଲି କହିଛନ୍ତି ମୋଦି । ଅନ୍ୟପକ୍ଷରେ ବିରୋଧିଙ୍କ କହିବା ହେଲା ବିମୁଦ୍ରାୟନ ଅର୍ଥନୀତିକୁ କ୍ଷତି ପହଂଚାଇଛି । ଦେଶରୁ କଳାଧନ ବାହାର କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା ବିମୁଦ୍ରାକରଣ । କିନ୍ତୁ ଏହାର କଣ ପ୍ରଭାବ ପଡିଲା ଏବଂ କେତେ କଳାଧନ ଧରାପଡିଲା, ତାର କୌଣସି ତଥ୍ୟ ମିଳିପାରିନାହିଁ ।