୪ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ । ବଦଳିବ କି ଓଡିଶାର ରାଜନୀତି ?

434

କନକ ବ୍ୟୁରୋ : ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରାଦେଶ ସମେତ ଓଡିଶାର ବି ନଜର ରହିଥିଲା । ଆଉ ଫଳାଫଳ ଆସିବା ପରେ ଆରମ୍ଭ ହୋଇଯାଇଛି ଆଲୋଚନା । ବିଶେଷକରି ପଡୋଶୀ ରାଜ୍ୟ ଛତିଶଗଡରେ ବିଜେପି ବିଜୟୀ ହେବା ଓ ତେଲେଙ୍ଗାନାରେ କଂଗ୍ରେସକୁ ବହୁ ମତ ମିଳିବା ରାଜ୍ୟ ରାଜନୀତିକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ତିନି ରାଜ୍ୟରେ ବିଜେପି ବିଜୟୀ ହେବା ପରେ, ଓଡିଶା ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜୟର ପର୍ବ । ଉତ୍ସବ ମନାଉଛନ୍ତି ଭାରତୀୟ ଜନତା ପାର୍ଟିର ସାଂସଦ, ବିଧାୟକ, ନେତା ଓ କର୍ମୀ । ବାଜା ବଜାଇ ନାଚିବା ସହ ପରସ୍ପରକୁ ମିଠା ଖୁଆଇ ଶୁଭେଛା ଜଣାଇଛନ୍ତି ।

ତିନି ରାଜ୍ୟରେ ବିଜୟୀ ହେବା ପରେ ବିଜେପି ନେତା ଓ କର୍ମୀଙ୍କ ମନୋବଳ କେମିତି ଅଛି ଏହି ଦୃଶ୍ୟ ତାର ସଂକେତ ଦେଉଛି । ତେବେ ଓଡିଶା ରାଜନୀତିକୁ ବିଜେପିର ଏହି ବିଜୟ ଓ ବିଜେପି ନେତା କର୍ମୀଙ୍କ ଜୋଶ, କେତେ ପ୍ରଭାବିତ କରିବ ତାହା ସ୍ପଷ୍ଟ ହୋଇନଥିଲେ ବି ଆରମ୍ଭ ହୋଇଯାଇଛି ଆଳୋଚନା । ଆଉ ଓଡିଶା ଉପରେ ଏହାର ପ୍ରଭାବ ପଡିବ ବୋଲି ବିଜେପି ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସେହିପରି ପଡୋଶୀ ରାଜ୍ୟ ତେଲେଙ୍ଗାନାରେ ବିଆରଏସକୁ କଂଗ୍ରେସ ପରାଜିତ କରିବା, ଭିନ୍ନ ବାର୍ତା ଦେଉଛି । ଜାତୀୟ ଦଳ କଂଗ୍ରେସ ତେଲେଙ୍ଗାନା ଆନ୍ଦୋଳନରୁ ଆରମ୍ଭ ହୋଇଥିବା ଦଳକୁ ହରାଇବା ପରେ, ରାଜନୀତିରେ ସବୁକିଛି ସମ୍ଭବ ବୋଲି କୁହାଯାଉଛି । ତେବେ ଓଡିଶା ଉପରେ ଏହି ନିର୍ବାଚନର କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି ବିଜେଡି ବିଧାୟକ ।

ଦୀର୍ଘ ୨୩ବର୍ଷ ହେଲା ଓଡିଶାର ଅପରାଜେୟ ନେତା ହୋଇ ରହି ଆସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାରମ୍ବାର ଲୋକପ୍ରିୟତାର ପ୍ରମାଣ ଦେଇ କ୍ଷମତା ଦଖଲ କରିଛନ୍ତି । ଆଗାମି ୨୦୨୪ ନିର୍ବାଚନରେ ମଧ୍ୟ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ନବୀନ ପ୍ରସ୍ତୁତି ଚଳାଇଛନ୍ତି । ହେଲେ, ଆଗକୁ ରାଜ୍ୟରେ ନୂଆ ସମୀକରଣ ସୃଷ୍ଟି ହେବା ନେଇ ଆଶା ବାନ୍ଧିଛନ୍ତି ବିରୋଧୀ ।