ନିର୍ବାଚନକୁ ନେଇ ଆରମ୍ଭ ହେଲା କାଉଣ୍ଟଡାଉନ । ହାତରେ ମାତ୍ର ମାସେ ସମୟ । ଦଳ ଦେଖାଉଛନ୍ତି ବଳ, ଜନତାଙ୍କ ଶରଣରେ ନେତା…

64

କନକ ବ୍ୟୁରୋ: ଏବେ ନିର୍ବାଚନକୁ ନେଇ ମାହୋଲ ଗରମ । ସବୁଠି ରାଜନୀତିର ଚର୍ଚ୍ଚା । ଯେଉଁଠି ଦେଖିବେ ସେଠି ନେତା-ପ୍ରାର୍ଥୀ-ଟିକେଟକୁ ନେଇ ଚର୍ଚ୍ଚା ହେଉଥିବ ନିହାତି । ଚା ଖଟି, ବସଷ୍ଟାଣ୍ଡ, ପରିବା ମାର୍କେଟ, ଗାଁ ହାଟ, ସାହି ଛକ ସବୁଠି ଏବେ ରାଜନୀତି ଏକ ହଟ୍ ଟପିକ୍ । କାହାର ରାଜନୀତି ଉପରେ ଗଭୀର ଜ୍ଞାନ ଥାଉ କି ନଥାଉ- ସିଏ ବି ପଚାରି ଦିଅନ୍ତି ‘ଆଉ ଭାଇନା କଣ ଖବର, ଏଥର କିଏ ଜିତିବ… ? ମୋଦି ନା ନବୀନ ଭୋଟ୍ କାହାକୁ ଦେବ ? ଏଥର କାହାକୁ ଟିକେଟ୍ ମିଳିବନି କାହାକୁ ମିଳିବ, ଏଥର କିଏ ପ୍ରାର୍ଥୀ ହେଲେ ଭଲ ହେବ…’ ଏମିତି କେତେ କଣ । ନେତାଙ୍କ ଭିତରେ ଟିକେଟକୁ ନେଇ ଛନକା ଯେତେ ଜନତାଙ୍କ ଭିତରେ ଟିକେଟକୁ ନେଇ ଚର୍ଚ୍ଚା ସେତେ ।

ଆଉ ୟାରି ଭିତରେ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି କାଉଣ୍ଟଡାଉନ । ମହାସଂଗ୍ରାମ କୁହନ୍ତୁ କି ନିର୍ବାଚନୀ ମହାଯୁଦ୍ଧ- ନେତାଙ୍କ ଭାଗ୍ୟ ପରୀକ୍ଷା ପାଇଁ ଆଉ ହାତରେ ମାତ୍ର ମାସେ ସମୟ । ଅର୍ଥାତ ଓଡିଶାରେ ଆଉ ମାସେ ପରେ ହେବ ଗଣତନ୍ତ୍ରର ମହାନପର୍ବ ନିର୍ବାଚନ । ରାଜ୍ୟରେ ମୋଟ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ମେ’ ୧୩ରୁ ଆରମ୍ଭ ହେଉଛି ଓଡିଶାରେ ମତଦାନ । ମେ’ ୨୦, ମେ’ ୨୫ ଏବଂ ଜୁନ୍ ୧ରେ ମତଦାନ ତାରିଖ ଥିବାବେଳେ ଫଳାଫଳ ଜୁନ୍ ୪ରେ ପ୍ରକାଶ ପାଇବ ।

ତେଣୁ ହାତରେ ମାତ୍ର ଅଳ୍ପ ସମୟ ଥିବାରୁ ପ୍ରଚାରକୁ ଜୋରଦାର କଲେଣି ବିଭିନ୍ନ ସ୍ଥାନର ନେତା । ଯେଉଁଠି ଯେଉଁଠି ପ୍ରାର୍ଥୀ ଘୋଷଣା ସରିଛି ସେଠାରେ କାଳ ବିଳମ୍ବ ନକରି ପ୍ରଚାର କରୁଛନ୍ତି ନେତା । ଘର ଘର ବୁଲି, ରୋଡସୋ କରି ନେତା ଏତେ ପ୍ରଚାରରେ ମସଗୁଲ ଅଛନ୍ତି ଯେ, ଏପ୍ରିଲ ମାସର ଝାଞ୍ଜିପିଟା ଖରାକୁ ବି ଖାତିର କରୁନାହାନ୍ତି । କିଏ ତାତିରେ ବି ଜନ ସମ୍ପର୍କର ଯାତ୍ରା ଜାରି ରଖିଛି । ତ କିଏ ବର୍ଷାରେ ଭିଜି ଭିଜି ପ୍ରଚାର କରୁଛି ପାର୍କରେ ଲୋକଙ୍କ ସହ ଭେଟି, ଲୋକଙ୍କ ସହ ମିଶି ବିଭିନ୍ନ ନେତା ନିଜ ନିଜ ଅନ୍ଦାଜରେ ପ୍ରଚାର କରୁଛନ୍ତି । ରାତିଦିନ ଏକ କରି ଲୋକଙ୍କ ଆଗରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ।

ସେପଟେ ସମୟ ପାଖେଇ ଆସୁଥିବାରୁ ଜନତାଙ୍କ ଘର ମୁହାଁ, ଗାଁ ମୁହାଁ ହେଲେଣି ନେତା । ଆଉ ଅଳ୍ପ ଦିନ ଭିତରେ ବିଭିନ୍ନ ରାଜନୈତିକ ଭୋଟରଙ୍କୁ ପ୍ରଭାବିତ କରିବାକୁ ଲୋଭନୀୟ ଇସ୍ତାହାର ଘୋଷଣା କରିବେ । କିଏ ମହିଳା କାର୍ଡ ଖେଳିବ ତ କିଏ ଆଦିବାସୀ କାର୍ଡ ? ବିଭିନ୍ନ ବର୍ଗର ଲୋକଙ୍କୁ ଖୁସ କରେଇଲା ଭଳି ପ୍ରତିଶ୍ରୁତି ଦିଆଯିବ । ଆମେ ଯଦି ସରକାରକୁ ଆସୁ ତେବେ ଏହା କରିବୁ, ତାହା କରିବୁର ନାରା ଲଗେଇବେ । ଆଉ ଅନେକ ନେତା ଜନତାଙ୍କୁ ଜନାର୍ଦ୍ଦନ କହି ଘର ଦୁଆରେ ମୁଣ୍ଡିଆ ମାରିବେ ।

ତେବେ ନିର୍ବାଚନର ଏହି ଘଟଣାକ୍ରମ ଭିତରେ ଦଳ ଡିଆଁର ପର୍ବ ମଧ୍ୟ ଚାଲିଛି । ଅସନ୍ତୁଷ୍ଟ ନେତା, କୋଣଠେସା ନେତା ଗୋଟିଏ ଦଳ ଛାଡି ଅନ୍ୟ ଦଳକୁ ଯିବାର ନଜିର ରହିଛି । ଅନେକ ବରିଷ୍ଠ, ନବାଗତ ଓ ଅଭିନେତାରୁ ନେତା ବନିଥିବା ଲୋକ ବି ଦଳ ଡେଇଁଛନ୍ତି ଏବଂ ଡେଇଁଥିବା ଦଳରେ ଗୁରୁତ୍ୱ ପାଉଛନ୍ତି ।

ସେପଟେ ଓଡିଶାରେ ମେ ୧୩ରେ ପ୍ରଥମ ମତଦାନ ହେବାକୁ ଥିବା ବେଳେ ଯେଉଁଠି ଯେଉଁଠି ଭୋଟ୍ ହେବାର ଅଛି ସେଠାରେ ବିଜେପି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ଏଯାଏଁ ଦେଇ ନାହାନ୍ତି । ତେବେ ରାଜନୀତିର ଏହି ଲଢେଇ ଭିତରେ, ସାପ ଶିଢିର ଖେଳ ଭିତରେ କିଏ ହେଉଛି ପାସ୍ କିଏ ହେଉଛି ଫେଲ୍ ଦେଖିବାକୁ ଜୁନ ୪କୁ ଅପେକ୍ଷା ।