ଦେଶରେ ୩ମାସ ପରେ ଆର ଭାଲ୍ୟୁ ଟପିଲା ୧: ମଙ୍ଗଳବାର ତୁଳନାରେ ବୁଧବାର ଦେଶରେ ସଂକ୍ରମଣ ହାର ୬୫ ପ୍ରତିଶତରୁ ଅଧିକ

134

କନକ ବ୍ୟୁରୋ: ଦେଶରେ ପୁଣି ଉପର ମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ । ଏନେକ ଦିନ ତଳ ମୁହଁ ଥିବା କୋଭିଡ ସଂକ୍ରମଣ ପୁଣି ବଢିବାରେ ଲାଗିଛି । ବୁଧବାର ଦେଶର ଚିହ୍ନଟ ହୋଇଥିବା କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ପ୍ରତିଶତ କେବଳ ରାଜଧାନୀ ଦିଲ୍ଲୀରୁ ହୋଇଥିବା ଜଣାପଡିଛି । ସେପଟେ କରୋନା ନିୟନ୍ତ୍ରଣ ପାଇଁ ନୂଆ ଗାଇଡ ଜାର କଲେ ଦିଲ୍ଲୀ ସରକାର । ଏଣିକି ମାସ୍କ ନ ପିନ୍ଧିଲେ ଗଣିବାକୁ ପଡିବ ୫୦୦ ଟଙ୍କା ଫାଇନ ।

ଅନେକ ଦିନର ବ୍ୟବଧାନ ପରେ ଦେଶରେ ପୁଣି ଉପର ମୁହାଁ ହେବାରେ ଲାଗିଛି କୋଭିଡ ସଂକ୍ରମଣ । ଦେଶରେ ଦୈନିକ ସଂକ୍ରମଣ ପୁଣି ୨ହଜାର ପାର କରିଛି । ଗତ ୨୪ ଘଂଟାରେ ୨୦୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ ୬୫.୭ ପ୍ରତିଶତ ଅଧିକ । ମଙ୍ଗଳବାର ୧୨୪୭ ଓ ସୋମବାର ୨୧୮୩ ପଜିଟିଭ ଚିହ୍ନଟ ହୋଇଥିଲେ । ଦିନକ ପରେ ପୁଣି ୨ ହଜାର ଉପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟାରେ ୪୦ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ସକ୍ରିୟ ମାମଲା ୧୨୩୪୦ ରହିଥିବା ବେଳେ ଆରୋଗ୍ୟ ହାର ରହିଛି ୯୮.୭୬ ପ୍ରତିଶତ । ଡେଲି ପଜିଟିଭିଟି ରେଟ୍ ୦.୪୯ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭିଟି ରେଟ୍ ରହିଛି ୦.୩୮ ପ୍ରତିଶତ । ଏହାରି ଭିତରେ ଦେଶରେ ଆର ଭାଲ୍ୟୁ ମଧ୍ୟ ବୃଦ୍ଧି ପାଇଛି । ଏପ୍ରିଲ ୧୨ରୁ ୧୮ ମଧ୍ୟରେ ଆର ଭାଲ୍ୟୁ ୧.୦୭ ପ୍ରତିଶତ ରହିଛି । ଆର ଭାଲ୍ୟୁ ଦର୍ଶାଇ ଥାଏ ସଂକ୍ରମଣର ସ୍ଥିତି ।

ଏବେ ପୁଣି ଥରେ କରୋନା ସଂକ୍ରମଣ ନେଇ ଚିନ୍ତା ବଢାଇଛି ରାଜଧାନୀ ଦିଲ୍ଲୀ । ଦେଶରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୦ ପ୍ରତିଶତ ମାମଲା କେବଳ ଦିଲ୍ଲୀରୁ ଆସିଛି । ଯାହାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିବା ସହ କୋଭିଡ କଟକଣାକୁ କଡାକଡି କରିଛନ୍ତି ଦିଲ୍ଲୀ ସରକାର ।

ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବଢୁଥିବାରୁ ପୁଣିଥରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ସରକାର । ମାସ୍କ ନପିନ୍ଧିଲେ ୫୦୦ ଟଂକା ଜରିମାନା ଦେବାକୁ ହେବ । ନିକଟରେ ସଂକ୍ରମଣ କମିବା ପରେ ମାର୍ଚ୍ଚ ୩୦ରେ ମାସ୍କ ପିନ୍ଧିବା ଇଛାଧୀନ କରିଥିଲା ପ୍ରଶାସନ । ଦିଲ୍ଲୀ ପୂର୍ବରୁ ୟୁପି ସରକାର ଦିଲ୍ଲୀ ଏନସିଆର ଏବଂ ଲକ୍ଷେ୍ନøରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ ।

କୋଭିଡ ସ୍ଥିତି ନେଇ ବସିଥିବା ବୈଠକରେ ଉପରାଜ୍ୟପାଳ ଅନୀଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମତେ ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ଦିଲ୍ଲୀରେ ସଂକ୍ରମଣ ବଢୁଥିଲେ ମଧ୍ୟ ସ୍କୁଲ ଖୋଲା ରଖିବାକୁ ନିଷ୍ପତି ନିଆଯାଇଛି । ଗତ ୨୪ ଘଂଟାରେ ଦିଲ୍ଲୀରେ ୬୩୨ ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ଫେବୃଆରୀ ୧୭ ପରେ ସର୍ବାଧିକ । ତେବେ ଆଶ୍ୱସ୍ତିକର କଥା ହେଲା ଗତ ୨୪ ଘଂଟାରେ ରାଜଧାନୀରେ ପଜିଟିଭ୍ ହାର କମିଛି । ସଂକ୍ରମଣ ହାର ୭.୭୨ ପ୍ରତିଶତରୁ ହ୍ରାସ ପାଇ ୪.୪୨ ପ୍ରତିଶତ ହୋଇଛି ।

ବିଶ୍ୱର ଅନ୍ୟ ଦେଶଗୁଡିକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଦୃତ ଗତିରେ ବ୍ୟାପୁଥିବା ସଂକ୍ରମଣ ଚୀନରେ ହାଲ ବେହାଲ ହେବାରେ ଲାଗିଛି । ଚୀନର କଠୋର କଟକଣା ଲୋକଙ୍କ ମାନସିକ, ସାମାଜିକ ଓ ଆର୍ଥିକ ସମସ୍ୟା ବଢାଇ ଦେଇଛି । ସେହିପରି ଦକ୍ଷିଣ କୋରିଆରେ ମଧ୍ୟ ବଳବତର ରହିଛି କୋଭିଡ କଟକଣା । ଦେଶରେ ମାସ୍କ ଲଗାଇବା ବାଧ୍ୟତା ମୂଳକ ରହିଛି ।