କନକ ବ୍ୟୁରୋ: ୨୯ ଅକ୍ଟୋବର ୧୯୯୯ । ଏଭଳି ପ୍ରାକୃତିକ ଦୁର୍ବିପାକ କେବେ ଆଗରୁ ଦେଖି ନଥିଲା ଓଡିଶା । ଉପକୂଳିଆ ଅଞ୍ଚଳକୁ ଓଡିଶା ମାନଚିତ୍ରରୁ ପୂରା ନିଶ୍ଚିହ୍ନ କରିଦେବାକୁ ସମୁଦ୍ରରୁ ମାଡିଆସୁଥିଲା ମହାବାତ୍ୟା । ୨୬୦ କିଲୋମିଟର ବେଗରେ ପବନ ବହିବାକୁ ଲାଗିଲା ଆଉ କୋଟି କୋଟି ଟଙ୍କାର ସମ୍ପତ୍ତି, ଧନ ଜୀବନ ଭସାଇ ନେଲା ସମୁଦ୍ର । ୨୧ ବର୍ଷ ତଳର ସେ ଆତଙ୍କିତ କାହାଣୀ ଏବେବି ଭୁଲି ପାରିନି ଓଡିଶା ।

Advertisment

ମହାବାତ୍ୟା ପରେ ବଦଳିଗଲା ସରକାର । ନୂଆ ସରକାରର ମଙ୍ଗ ଧରିଥିଲେ ନବୀନ ପଟ୍ଟନାୟକ । ମହାବାତ୍ୟାର କାଳ ଫାସରେ ଫସି, ଚାଲିଯାଇଥିବା ହଜାର ହଜାର ଜୀବନ ନବୀନଙ୍କୁ ବ୍ୟଥିତ କରିଥିଲା । ଆଉ ରାଜ୍ୟରେ ଏହାର ପୁନରାବୃତି କରା ନଦେବାକୁ ସଙ୍କଳ୍ପ କରିଥିଲେ ନବୀନ । ଫାଇଲିନ, ହୁଡୁହୁଡ, ତିତଲି, ଅମ୍ଫାନ ଏବଂ ପ୍ରଳଙ୍କାରୀ ବାତ୍ୟା ଫନିର ଫଣାରୁ ମଧ୍ୟ ହଜାର ହଜାର ଜୀବନ ବଞ୍ଚାଇଥିଲେ ନବୀନ । ଆଉ ମହାବାତ୍ୟା ପରେ ପ୍ରାକୃତିକ ଦୁର୍ବିପାକର ମୁକାବିଲାରେ ସଫଳ ହୋଇ ଚାଲିଲା ତାଙ୍କ ସରକାର ।

ବାତ୍ୟା ବନ୍ୟାରୁ ଲୋକଙ୍କୁ ବଞ୍ଚାଇବାକୁ ମୁକାବିଲାକୁ ମିଶନ ଭାବେ ନେଇ ୧୯୯୯ ପରେ ରାଜ୍ୟ ସରକାର ଗଠନ କରିଥିଲେ ଓସଡମା । ବିପର୍ଯ୍ୟପ ପରିଚାଳନା ପାଇଁ ସରକାର ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ନିର୍ମାଣ କଲେ ବାତ୍ୟା ଆଶ୍ରୟସ୍ଥଳୀ । ବିପଦ ଆସିବା ଆଗରୁ ଲୋକଙ୍କୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖାଗଲା ଆଉ ସମସ୍ତଙ୍କୁ ରନ୍ଧାଖାଦ୍ୟ ଦେବାର ବ୍ୟବସ୍ଥା କରାଗଲା ।

ଖାଲି ସେତିକି ନୁହେଁ ପାଣି ପାଟିରେ ପଶି ଯାଇଥିବା ଜୀବନ, ବାତ୍ୟା ବଳରେ ଫଶି ରହିଥିବା ମଣିଷଙ୍କୁ ଉଦ୍ଧାର ପାଇଁ ଗଠନ ହେଲା ଓଡ୍ରାଫ ଟିମ । ଯେତେବଡ ବନ୍ୟା ହେଉ କି ବାତ୍ୟା ଝଡ ମୁହଁକୁ ସାହସର ସହ ଡେଇଁ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ । ସମ୍ଭାବ୍ୟ ବାତ୍ୟାର ଖବର ପାଇ ତୁରନ୍ତ ମୁକାବିଲା ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ହେଉ କିମ୍ବା ବନ୍ୟା ଘେରରେ ଜଳବନ୍ଦୀ ଥିବା ଲୋକଙ୍କୁ ଉଦ୍ଧାର କରିବା ହେଉ ଯୁଦ୍ଧକାଳୀନ ଭିତ୍ତିରେ ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ଜୀବନକୁ ଏବେ ରକ୍ଷା କରାଯାଉଛି । କାରଣ ସରକାରଙ୍କ ଗୋଟିଏ ଲକ୍ଷ୍ୟ ୧୯୯୯ର ସେ କଳା କାହାଣୀ ଆଉ ଥରେ ପୁନରାବୃତି ହେବନି ।

ଖାଲି ଓଡିଶା କାହିଁକି ବିହାର, ଆସାମ, କେରଳର ଭୟଙ୍କର ବନ୍ୟାରେ ବି ନିଜ ସାହସ ଦେଖାଇ ହଜାର ହଜାର ଲୋକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଓଡିଶା ଟିମ୍ । ତେବେ ନିକଟରେ ପ୍ରଳୟଙ୍କାରୀ ବାତ୍ୟା ଫନିର ଫେଣାରେ ଯେତେବେଳେ ସବୁକିଛି ଛାରଖାର ହେବାକୁ ଲାଗିଥିଲା ଠିକ ସେତିକି ବେଳେ ଜିରୋ କାଜୁଆଲିଟିର ନାରା ଦେଇ ଅଳ୍ପ ସମୟରେ ବଡ ଚାଲେଞ୍ଜ ନେଇ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଯେଉଁଥିପାଇଁ ଏକ ବଡ ବିପଦରୁ ରକ୍ଷା ପାଇଗଲା ଓଡିଶା । କ୍ଷୟକ୍ଷତି ସିନା ହେଲା ହେଲେ ଅନେକ ଜୀବନ ବଞ୍ଚିଗଲା ।

ଫନି ମାଡରେ ଉଜୁଡିଯାଇଥିବା ଅଧା ଓଡିଶାକୁ ସଜାଡିବା ସହ ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭୁରି ଭୁରି ପ୍ରଶଂସା କରିଥିଲେ ଆଉ ଓଡିଶାର ମୁକାବିଲା କଳାକୁ ଜାତିସଙ୍ଘରେ ବି ପ୍ରଶଂସା କରାଯାଇଥିଲା ।
ତେବେ ୧୯୯୯ରେ ଅନେକ କିଛି ହରାଇଥିବା ଓଡିଶା ମହାବାତ୍ୟା ପରେ ମୁକାବିଲାରେ ନମ୍ବର ୱାନ ହୋଇଚାଲିଛି । ଯାହାର ମଡେଲକୁ ଏବେ ଅନେକ ରାଜ୍ୟ ଆପଣାଉଛନ୍ତି ।