ଆଜିର ଦିନରେ ୨୮ ବର୍ଷ ପରେ ଭାରତ ରଚିଥିଲା ଇତିହାସ । ଶ୍ରୀଲଙ୍କାକୁ ହରାଇ ବିଶ୍ୱବିଜେତା ବନିଥିଲା ଟିମ୍ ଇଣ୍ଡିଆ, ପୂରା ହୋଇଥିଲା ସଚିନଙ୍କ ସ୍ୱପ୍ନ ।

894

କନକ ବ୍ୟୁରୋ : ଏପ୍ରିଲ ୨ ତାରିଖ । ଯେବେଯେବେ ଏହି ତାରିଖ ଆସେ ପ୍ରତିଟି ଭାରତୀୟଙ୍କ ମନ ଗର୍ବରେ ଭରି ଉଠେ । କାରଣ ଦୀର୍ଘ ୨୮ ବର୍ଷ ପରେ ଆଜିର ଦିନରେ ଇତିହାସ ରଚିଥିଲା ଭାରତ । କ୍ରିକେଟ୍ ଇତିହାସରେ ଯୋଡି ହୋଇଯାଇଥିଲା ଏକ ନୂଆ ଅଧ୍ୟାୟ ।

ଏପ୍ରିଲ ୨ ତାରିଖ ୨୦୧୧, ଅର୍ଥାତ ଆଜିର ଦିନରେ ଦ୍ୱିତୀୟ ଥର ପାଇଁ ବିଶ୍ୱବିଜେତା ବନିଥିଲା ଭାରତ । ୧୯୮୩ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଥିଲା ଟିମ୍ ଇଣ୍ଡିଆ । ଆଉ ୨୮ ବର୍ଷ ପରେ ୨୦୧୧ରେ ପୁଣି ଥରେ ଇତିହାସ ରଚିଥିଲା ଭାରତ । ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ବନିଥିଲା ବିଶ୍ୱବିଜେତା ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା ୨୦୧୧ ବିଶ୍ୱକପର ଫାଇନାଲ ମ୍ୟାଚ୍ । ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ବିଶ୍ୱର ସବୁ ଶକ୍ତିଶାଳୀ ଦଳକୁ ପଛରେ ପକାଇ ଫାଇନାଲକୁ ଆସିଥିବା ଭାରତ ଏବଂ ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୭୫ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା କୁମାର ସାଙ୍ଗାକାରାଙ୍କର ନେତୃତ୍ୱାଧୀନ ଶ୍ରୀଲଙ୍କା ।

ଜବାବରେ ପ୍ରଥମରୁ ଭାରତକୁ ଲାଗିଥିଲା ଜବରଦସ୍ତ ଝଟକା । ମାତ୍ର ୩୧ ରନରେ ଦଳର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହୱାଗ ଆଉଟ୍ ହୋଇଯାଇଥିଲେ । କିନ୍ତୁ ଗୌତମ ଗମ୍ଭୀରଙ୍କ ଲଢୁଆ ଅର୍ଦ୍ଧଶତକୀୟ ପାଳି (୯୭ ରନ୍) ଏବଂ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଦମଦାର ବ୍ୟାଟିଂ (୯୧ ରନ୍) ବଳରେ ୬ ୱିକେଟରେ ମ୍ୟାଚ୍ ଜିତିନେଇଥିଲା ଭାରତ । ଆଉ ଏହା ସହ ଦ୍ୱିତୀୟ ଥର ପାଇଁ ବିଶ୍ୱବିଜେତା ବନିଥିଲା ଟିମ୍ ଇଣ୍ଡିଆ ।

ତେବେ ମ୍ୟାଚର ଶେଷ ମୁହୂର୍ତ୍ତ ଥିଲା ଅତ୍ୟନ୍ତ ରୋମାଞ୍ଚକର । ଯେତେବେଳେ ବେଷ୍ଟ୍ ଫିନିସର୍ ଭାବେ ଜଣାଶୁଣା ମାହି ଛକା ମାରି ଦଳକୁ ବିଜୟୀ କରାଇଥିଲେ, ସେତେବେଳେ କେବଳ ୱାଙ୍ଖଡେ ଷ୍ଟାଡିୟମ୍ ନୁହେଁ, କମ୍ପିଉଠିଥିଲା ପୂରା ଭାରତ । ଟିଭି ପରଦା ଉଫରେ ପ୍ରତିଟି ଭାରତୀୟଙ୍କ ଆଖି ଲାଖିଯାଇଥିଲା ।

ଅନ୍ୟପଟେ ପଡିଆ ଭିତରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ୍ । ଭାରତୀୟ ଖେଳାଳୀଙ୍କ ଆଖିରେ ଭରିଯାଇଥିଲା ଖୁସିର ଲୁହ । ଉତ୍ସାହ ଭିତରେ କାନ୍ଦି ପକାଇଥିଲେ ଭାରତୀୟ ଖେଳାଳୀ । ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପ ଜିତିବା ସହ ପୂରା ହୋଇଥିଲା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ସ୍ୱପ୍ନ । ସଚିନଙ୍କୁ କାନ୍ଧରେ ବସାଇ ପଡିଆ ସାରା ବୁଲିଥିଲେ ଭାରତୀୟ ଖେଳାଳୀ । ତେବେ ୨୦୧୧ ବିଶ୍ୱକପର ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହୋଇଥିଲେ ଯୁବରାଜ ସିଂହ ।