୨୭ ବର୍ଷର ଅପେକ୍ଷା, ପାରିତ ନହୋଇ ପଡିରହିଛି ମହିଳା ସଂରକ୍ଷଣ ବିଲ।

101

କନକ ବ୍ୟୁରୋ: କୌଣସି ଗୋଟିଏ ବିଧେୟକକୁ ପାସ ହେବାକୁ କେତେ ସମୟ ଲାଗିଥାଏ? ଆମେ କହୁଛୁ ମହିଳା ସଂରକ୍ଷଣ ବିଲର କଥା ଯାହା ୧୯୯୬ରୁ ୨୦୨୩ ଯାଏ ପାସ ହୋଇପାରୁନାହିଁ । ଆପଣ ଭାବୁଥିବେ ନିହାତି ବିଲରେ କିଛି ଅସୁବିଧା ଅଛି ଯେଉଁକାରଣ ପାଇଁ ଏହା ପାରିତ ହୋଇପାରୁନାହିଁ । ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ ମହିଳା ସଂରକ୍ଷଣ ବିଲ ଲୋକସଭା, ରାଜ୍ୟସଭାରେ ମହିଳାଙ୍କୁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ପ୍ରସ୍ତାବ ରଖାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ବିଧେୟକ କଣ? ଏହାର ଇତିହାସ କଣ? କିଏ ଏହାର ସମର୍ଥନ କରିଥିଲେ କିଏ ଏହାର ବିରୋଧ କରିଥିଲେ? ଏହା ଛଡା ଲୋକସଭା ଏବଂ ରାଜ୍ୟସଭାରେ ବର୍ତ୍ତମାନ ମହିଳାଙ୍କ ସଂଖ୍ୟା କେତେ ରହିଛି ।

ଆପଣଙ୍କୁ ପ୍ରଥମେ କହିରଖିବାକୁ ଚାହୁଛୁ ଯେ ୨୦୧୪ରେ ଲୋକସଭାରେ ୧୨.୬ ପ୍ରତିଶତ ଏବଂ ରାଜ୍ୟସଭାରେ ୧୧.୪ ପ୍ରତିଶତ ମହିଳା ଥିଲେ । ପରେ ୨୦୧୯ରେ ହୋଇଥିବା ନିର୍ବାଚନରେ ଲୋକସଭାରେ ୧୪.୯ ପ୍ରତିଶତ ଏବଂ ରାଜ୍ୟସଭାରେ ୧୪.୫ ପ୍ରତିଶତ ମହିଳା ଥିଲେ । ତେବେ ଏହା ନୁହେଁ ଯେ ମହିଳା ସଂରକ୍ଷଣ ବିଲ ବାବଦରେ ଆଜି ଚର୍ଚ୍ଚା ହେଉଛି । ପୂର୍ବରୁ ମଧ୍ୟ ଅନେକ ଥର ଏହି ବିଧେୟକ ବାବଦରେ ଚର୍ଚ୍ଚା ହୋଇଛି । ଏହି ବିଧେୟକକୁ ୨୦୦୮ରେ ୟୁପିଏ ସରକାର ସମୟରେ ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିଲା । ସେଠାରୁ ଏହାକୁ ସ୍ଥାୟୀ ସମିତି ବା ଷ୍ଟାଣ୍ଡିଂ କମିଟିକୁ ପଠାଇଦିଆଯାଇଥିଲା । ୨୦୧୦ରେ ଏହି ବିଧେୟକକୁ ରାଜ୍ୟସଭାରେ ମଞ୍ଜୁରୀ ମିଳିଯାଇଥିଲା । ସେଠାରୁ ଲୋକସଭାକୁ ମଞ୍ଜୁରୀ ଦେବା ପାଇଁ ପଠାଇଦିଆଯାଇଥିଲା । ତେବେ ଏହି ସମୟରେ ଲୋକସଭା ଭଙ୍ଗ ହୋଇଥିଲା ଯାହା ଫଳରେ ଏହାର ଅବଧି ଶେଷ ହୋଇଯାଇଥିଲା ।

ପୁଣି ଥରେ ଏହି ବିଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଆରଏସ ନେତ୍ରୀ କେ କବିତା ଏହାକୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି । ସେ ଏହାକୁ ନେଇ ଧାରଣାରେ ବସିଯାଇଛନ୍ତି । ତଥ୍ୟକୁ ଯଦି ଦେଖିବା ମହିଳାଙ୍କ ପ୍ରତିନିଧିତ୍ୱ ମାମଲାରେ ଭାରତ ୧୯୩ ଦେଶ ମଧ୍ୟରେ ୧୪୮ ତମ ସ୍ଥାନରେ ରହିଛି । ଲୋକସଭାରେ ୫୪୩ ସାଂସଦଙ୍କ ମଧ୍ୟରୁ ୭୮ ଜଣ ମହିଳା ସଦସ୍ୟ ରହିଛନ୍ତି । ଯାହା ମୋଟ ସାଂସଦଙ୍କ ୧୪.୪ ପ୍ରତିଶତ । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏହି ବିଧେୟକକୁ କାହିଁକି ପାରିତ କରାଯାଇପାରୁନାହିଁ । କେଉଠି ଅସୁବିଧା ରହୁଛି ଯେଉଁ କାରଣରୁ ସଂସଦରେ ଏହି ପ୍ରସ୍ତାବ ପାସ ହେବା ପାଇଁ ୨୭ ବର୍ଷ ଧରି ଅପେକ୍ଷା କରିବାକୁ ପଡିଛି ।

ଆସନ୍ତୁ ପ୍ରଥମେ ଜାଣିବା ମହିଳା ସଂରକ୍ଷଣ ବିଲ କଣ?
୧୯୯୩ ମସିହାରେ ଯେତେବେଳେ ସମ୍ବିଧାନ ସଂଶୋଧନ କରାଯାଇଥିଲା ସେତେବେଳେ ଏହି ବିଲ ବାବଦରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ବିଧେୟକ ଜରିଆରେ ଲୋକସଭା, ରାଜ୍ୟସଭର ସମସ୍ତ ବିଧାନସଭା କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନର ସଂରକ୍ଷଣ କରିଥାଏ । ଏହାକୁ ସମସ୍ତ ଅଞ୍ଚଳରେ ଆବଣ୍ଟିତ କରାଯାଇଥାଏ । ଏହି ଆଇନ ଲାଗୁ ହେବା ପରେ ୧୫ ପରେ ମହିଳାଙ୍କ ହୋଇଥିବା ସଂରକ୍ଷଣ ଶେଷ ହୋଇଯିବ ।

ଏହି ବିଲକୁ କଂଗ୍ରେସ, ଆପ, ଶିବସେନା, ଅକାଳୀ ଦଳ, ପିଡିପି, ନ୍ୟାସନାଲ କନଫରେନ୍ସ, ଟିଏମସି, ଜେଡିୟୁ, ସିପିଆଇ, ସିପିଏମ, ଏନସିପି, ସପା, ଆରଜେଡି ଆଜି ବି ଏହାକୁ ସମର୍ଥନ କରୁଛନ୍ତି । ୨୦୧୦ରେ ଏହାକୁ ସମାଜବାଦୀ ପାର୍ଟି, ଜେଡିୟୁ, ଆରଜେଡି, ଏଆଇଏମଆଇଏମ, ବିଏସପି ବିରୋଧ କରୁଥିଲେ । ସେହିଭଳି ଆରଜେଡି, ଶିବସେନା, ଟିଡିପି ଏଆଇଏଡିଏମକେ, ବିଜେଡି, ଆସାମ ଗଣପରିଷଦ ଏହାକୁ ସମର୍ଥନ କରିଥିଲେ ।
ଏବେ କଥା ହେବା ୧୯୯୬ରେ ଯେତେବେଳେ ଏହି ବିଧେୟକୁ ଉପସ୍ଥାପନା କରାଯାଇଥିଲା । ଏହି ବିଲ ୨୭ ବର୍ଷ ଧରି ପାରିତ ହୋଇନପାରି ପଡିରହିଛି ।

ପ୍ରଶ୍ନ ଉଠୁଛି କାହିଁକି ଏହି ବିଲ ଜରୁରୀ ?
ଗ୍ଲୋବାଲ ଜେଣ୍ଡର ଗ୍ୟାପ୍ ରିପୋର୍ଟ ୨୦୨୧ ଅନୁସାରେ ଭାରତରେ ପଲିଟିକାଲ ଏମପାୱାରମେଣ୍ଟ ଇଣ୍ଡେକ୍ସରେ ୧୩.୫ ପ୍ରତିଶତର ହ୍ରାସ ଦେଖିବାକୁ ମିଳିଛି । ଯଦି ମହିଳା ମନ୍ତ୍ରୀଙ୍କ କଥା ଦେଖିବା ୨୦୧୯ରେ ଏହା ୨୩.୧ ପ୍ରତିଶତ ଥିଲା ଯାହା ୨୦୨୧ରେ କମି ୯.୧ ପ୍ରତିଶତରେ ପହଞ୍ଚିଯାଇଛି । ସରକାର ଏହାକୁ ମଧ୍ୟ ଗ୍ରହଣ କରିଛନ୍ତି ଯେ ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ କମ ହେବାରେ ଲାଗିଛି । ୧୯୯୬ରୁ ନେଇ ୨୦୧୦ ମଧ୍ୟରେ ୮ ଥର ଏହି ବିଧେୟକକୁ ପାସ ପାଇଁ ଉଦ୍ୟମ କରାଯାଇଥିଲା । କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା ।