ପାକିସ୍ତାନ ଲାହୋର ଜେଲରୁ ମୁକ୍ତି ପାଇ ୨୫ ବର୍ଷ ପରେ ଜନ୍ମମାଟି ଫେରିଲେ ବିରଜୁ କୁଲୁ: ଭାବପୂର୍ଣ୍ଣ ପରିବେଶରେ ଭାଇକୁ ଭେଟିଲା ସାନ ଭଉଣୀ

କୁତ୍ରା ବ୍ଲକରେ ସ୍ୱାଗତ ସମ୍ବର୍ଦ୍ଧନା

198

କନକ ବ୍ୟୁରୋ: ୨୫ ବର୍ଷ ପରେ ପାକିସ୍ତାନ ଲାହୋର ଜେଲରୁ ଫେରି କୁତ୍ରାରେ ବିରଜୁ ପହଚିଂବା ପରେ ଏକ ଭାବବିହ୍ୱଳ ପରିବେଶ ଦେଖାଦେଇଛି । ବ୍ଲକ କାର୍ଯ୍ୟାଳୟରେ ବିରଜୁଙ୍କୁ ସମ୍ବର୍ଦ୍ଧନା ବେଳେ ହଠାତ ପହଚିଂଥିଲେ ତାଙ୍କ ସାନ ଭଉଣୀ । ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମର ଭିଡ ଭିତରେ ୨୫ ବର୍ଷ ପରେ ଭାଇକୁ ଭେଟିବା ପାଇଁ ଚାହୁଁଥିଲେ ବି ଭାଇ ପର୍ଯ୍ୟନ୍ତ ପହଚିଂପାରୁନଥିଲେ ଭଉଣୀ । ଆଉ ଏମିତି ସମୟରେ ଭଉଣୀକୁ ଭାଇ ପାଖରେ ପହଚିଂବାରେ ସାହାଯ୍ୟ କରିଥିଲା କନକ ନ୍ୟୁଜ । ମଂଚ ଉପରେ ବସିଥିବା ଭାଇର ବାହୁକୁ ଭିଡି ଧରି ଆଖିର ସବୁ ତକ ଲୁହକୁ ଅଜାଡିଦେଇଥିଲା ଭଉଣୀ । ଜେଲର ଅନ୍ଧାର କୋଠରୀ ଭିତରେ ୨୫ ବର୍ଷ କାଟିସାରିବା ପରେ ବି ରକ୍ତର ଆବେଗକୁ କିନ୍ତୁ ଏଡାଇପାରିନଥିଲେ ବିରଜୁ । ମାନସିକ ଭାରସାମ୍ୟ ଠିକ ନଥିଲେ ବି ସାନ ଭଉଣୀର ପିଠିକୁ ଥାପୁଡେଇ ନେଇ ବୋଧ ବା ଆଶ୍ୱସନା ଦେଇଥିଲେ ବିରଜୁ କୁଲୁ । ବିରଜୁକୁ ଚାହିଁ ଚାହିଁ ବାପା, ମାଆ ଆରପାରିକୁ ଚାଲିଯାଇଥିବା ବେଳେ ପରିବାରରେ ବିରଜୁଙ୍କ ନିଜର କହିଲେ ଏହି ଜଣେ ହିଁ ଭଊଣୀ ।

୨୫ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ଜନ୍ମମାଟିକୁ ଫେରିଛନ୍ତି ବିରଜୁ କୁଲୁ । ପାକିସ୍ତାନ ଲାହୋର ଜେଲରେ ୨୫ ବର୍ଷ କାଟିବା ପରେ ଆଜି ସୁନ୍ଦରଗଡ଼କୁ ଫେରିଛନ୍ତି ବିରଜୁ । କଟଙ୍ଗ ଗାଁରେ ଖୁସିର ପରିବେଶ ଦେଖିବାକୁ ମିଳିଛି । କୁତ୍ରାରେ ବିରଜୁଙ୍କୁ ସ୍ୱାଗତ କରାଯିବା ପରେ ବ୍ଲକ ଅଫିସକୁ ତାଙ୍କୁ ପାଛୋଟି ନିଆଯାଇଥିଲା । ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ କୁତ୍ରାରୁ ବିରଜୁଙ୍କୁ କଟଙ୍ଗ ନିଆଯାଇଥିଲା । ସୁନ୍ଦରଗଡ କୁତ୍ରାରେ ପହଚିଂବା ପରେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ବିରଜୁ । ଅନ୍ୟ ମନସ୍କ ହୋଇ ପାକ ସୀମାକୁ ପଳାଇଥିଲେ । ତାଙ୍କୁ ଜେଲରେ ରୁଟି ଓ ଡାଲି ଖାଇବାକୁ ଦିଆଯାଉଥିଲା ବୋଲି ସେ କହିଛନ୍ତି ।

ବିରଜୁଙ୍କ ମାନସିକ ସ୍ଥିତି ଭଲ ନାହିଁ । ତାଙ୍କ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଡିଓ । ଏହା ସହ ତାଙ୍କ ରହଣି ପାଇଁ ବ୍ୟବସ୍ଥା କରାଯିବା ସହ ତାଙ୍କୁ ରାସନ କାର୍ଡ, ଆଧାର କାର୍ଡ ଯୋଗାଇଦିଆଯିବ ବୋଲି କହିଛନ୍ତି ବିଡିଓ । ଗତକାଲି ସଂଧ୍ୟାରେ ସେ ଝାଡ଼ଖଣ୍ଡର ଗୁମଲାରେ ପହଁଚିଥିଲେ । ୨୫ ବର୍ଷ ତଳେ ବାଟ ଭୁଲି ପାକିସ୍ତାନ ସୀମା ଭିତରକୁ ପଶି ଯାଇଥିଲେ ବିରଜୁ । ପାକିସ୍ତାନ ପୁଲିସ ତାଙ୍କୁ ଧରି ନେବା ପରେ ଆରମ୍ଭ ହୋଇଥିଲା ତାଙ୍କର ଜୀବନ ସଂଘର୍ଷ । ଲାହୋର ଜେଲରୁ ମୁକ୍ତି ପାଇବା ପରେ ପ୍ରଥମେ ଅମୃତସରକୁ ଅଣା ଯାଇଥିଲା । ଏହାପରେ ସୁନ୍ଦରଗଡ଼ ପ୍ରଶାସନର ସହାୟତାରେ ତାଙ୍କୁ ଜନ୍ମମାଟିକୁ ଫେରାଇ ଅଣାଯାଇଛି ।