ଅଧାବାଟରେ ଅଟକିଛି କେନ୍ଦ୍ରାପଡ଼ା ଟ୍ରେନ । ଇଞ୍ଜିନ ଗଡିବାକୁ ଲାଗିଲା ୨୩ ବର୍ଷ, ଟ୍ରାକରେ ଟ୍ରେନ ଆସିବ କେବେ?

228

କନକ ବ୍ୟୁରୋ : ଖୁବଶୀଘ୍ର କେନ୍ଦ୍ରାପଡ଼ା କାନରେ ଶୁଭିବ ଟ୍ରେନର ଛୁକ୍ ଛୁକ୍ ଶବ୍ଦ । ସ୍ୱାଧୀନତାର ଦୀର୍ଘ ୭୨ ବର୍ଷ ପରେ ସତ ହେବାକୁ ଯାଉଛି କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ । କାରଣ ପାରାଦୀପ-ହରିଦାସପୁର ନବନିର୍ମିତ ରେଲୱେ ଟ୍ରାକ ଉପରେ ଦ୍ରୁତ ଗତିରେ ଧାଇଁବ ଟ୍ରେନ । ଆଉ ଏହା ମଝିରେ କେନ୍ଦ୍ରାପଡ଼ା ମାଟିକୁ ସ୍ପର୍ଶ କରିବ ଟ୍ରେନ । ଟ୍ରାକରେ ଟ୍ରେନ ସିନା ଦ୍ରୁତ ଗତିରେ ଦୌଡିବ, କିନ୍ତୁ କେନ୍ଦ୍ରାପଡ଼ାବାସୀଙ୍କ ଏହି ସ୍ୱପ୍ନ ନିର୍ଦ୍ଦିଷ୍ଟ କେବେ ପୂରଣ ହେବ ତାହା ଏବେ ମଧ୍ୟ ସନ୍ଦିହାନ । କାରଣ ଜିଲ୍ଲାକୁ ରେଳସେବା ଆସିବା ନେଇ ଦୀର୍ଘ ୨୩ ବର୍ଷ ହେଲା ଶୁଣି ଆସୁଛନ୍ତି କେନ୍ଦ୍ରାପଡାବାସୀ ।

କେନ୍ଦ୍ରାପଡାରେ ରେଳସେବା ପହଞ୍ଚିବ, କିଛି ବର୍ଷ ପୂର୍ବରୁ ଏହା ସାତ ସପନ ଭଳି ଲାଗୁଥିଲା । କାରଣ ୧୯୯୬-୯୭ରେ ପାରାଦୀପ-ହରିଦାସପୁର ରେଳୱେ ପ୍ରୋଜେକ୍ଟରେ ମୋହର ବାଜିଥିଲା । ୧୯୯୯ରେ ଏଥିପାଇଁ ଶିଳାନ୍ୟାସ କରାଯାଇଥିଲା । ଲାଗୁଥିଲା ଏକବିଂଶ ଶତାଦ୍ଦୀର ଆରମ୍ଭରୁ ହିଁ କେନ୍ଦ୍ରାପଡ଼ାବାସୀଙ୍କୁ ମିଳିଯିବ ବହୁ ପ୍ରତୀକ୍ଷିତ ରେଳସେବା । ସେତେବେଳେ ରାଜ୍ୟ ରାଜନୀତିରେ କେନ୍ଦ୍ରାପଡ଼ା ଜିଲ୍ଲାର ଦବଦବା ରହିଥିବାରୁ ଏଭଳି ଭାବିବା ମଧ୍ୟ ସ୍ୱାଭାବିକ ଥିଲା । କିନ୍ତୁ ଶିଳନ୍ୟାସ ପରେ ବୋଧହୁଏ ଶୋଇ ପଡିଥିଲେ ସରକାର । ବର୍ଷେ କି ୨ ବର୍ଷ ନୁହେଁ ଦଶନ୍ଧି ପରେ ଦଶନ୍ଧି ବିତିଲା ଆଉ ଏହାସହ ପାରାଦୀପ-ହରିଦାସପୁର ପ୍ରୋଜେକ୍ଟରେ ଧୂଳି ମଧ୍ୟ ଚଢିଯାଇଥିଲା ।

କେନ୍ଦ୍ର ସରକାରଙ୍କ ଉଦାସୀନତା ପାଇଁ ଟ୍ରାକରୁ ଖସି ସାରିଥିଲା ପାରାଦୀପ-ହରିଦାସପୁର ରେଲୱେ ପ୍ରୋଜେକ୍ଟ । ଆଉ ଏହା ଭିତରେ ଶିଳାନ୍ୟାସର ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ କେନ୍ଦ୍ରାପଡାକୁ ଟ୍ରେନ ଗଡିବା ନେଇ ସୁନେଲୀ ସ୍ୱପ୍ନ ଦେଖିଛନ୍ତି ଜିଲ୍ଲାବାସୀ । ଯେତେବେଳେ ଦୁଇ ଦିନ ପୂର୍ବେ ଟ୍ରାକ ଉପରେ ଗଡିଛି ଟ୍ରେନ ଇଞ୍ଜିନ । କିନ୍ତୁ ସବୁଠୁ ବଡ କଥା ହେଲା, ୨୦ ବର୍ଷ ପରେ ମଧ୍ୟ ଟ୍ରାକରେ କେବଳ ଟ୍ରେନର ଇଞ୍ଜିନ ଗଡିଛି । ତାହା ବି ପୁଣି ଅଧା ବାଟରେ ଅଟକିଛି । ଆହୁରି ୧୮ କିଲୋମିଟର ଟ୍ରାକର ନିର୍ମାଣ କାର୍ଯ୍ୟ ଏଯାଏଁ ଶେଷ ହୋଇନାହିଁ । ଆଉ ଏହା କେଉଁଠି ନା କେଉଁଠି କେନ୍ଦ୍ର ସରକାରଙ୍କ ଉଦାସୀନତା ଓ ସ୍ଥାଣୁତାକୁ ପଦାରେ ପକାଇଛି । ଯେତେବେଳେ ଉପକୂଳ ଓଡିଶାର ଏକ ପ୍ରମୁଖ ଜିଲ୍ଲାକୁ ଟ୍ରେନ ସେବା ପହଞ୍ଚିବା ପାଇଁ ୨୦ରୁ ଉଦ୍ଧ୍ୱର୍ ବର୍ଷ ଅପେକ୍ଷା କରିବାକୁ ପଡିଲାଣି । ସେତେବେଳେ ରାଜ୍ୟର ଅପହଞ୍ଚ ଇଲାକା କଥା ନ କହିବା ଭଲ । ତେଣୁ ଏହି ଟ୍ରାକରେ କେବେ ଟ୍ରେନ ଗଡିବ ତାହାକୁ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି ।

କେବଳ କେନ୍ଦ୍ରାପଡା ନୁହେଁ ବରଂ ରାଜ୍ୟର ଆଉ ୫ ଜିଲ୍ଲାକୁ ମଧ୍ୟ ଏଯାଏଁ ରେଳ ସେବା ପହଞ୍ଚି ପାରିନି । ବୌଦ୍ଧ, ଦେଓଗଡ, କନ୍ଧମାଳ,ମାଲକାନଗିରି ଓ ନବରଙ୍ଗପୁର ଭଳି ଜିଲ୍ଲାକୁ ଏଯାଏଁ ଗଡିନି ଟ୍ରେନ । ଯାହା ଦର୍ଶାଉଛି କେଉଁଠି ନା କେଉଁଠି ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ଆନ୍ତରିକତାର ଅଭାବ ରହିଛି ।