ମୋର ଅନ୍ତରାତ୍ମା କହିଲା, କେଦାରନାଥର ପୁନର୍ବିକାଶ ହେଉ : ପ୍ରଧାନମନ୍ତ୍ରୀ ମୋଦି

126

୨୦୧୩ରେ ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବନ୍ୟା ପରେ କେଦାରନାଥର ପୁନର୍ବିକାଶ ହେବ ବୋଲି ମୋର ଅନ୍ତରାତ୍ମା କହିଥିଲା ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୁନଃନିର୍ମିତ ସମାଧି ପରିସରରେ ଆଦିଗୁରୁଙ୍କର ୧୨ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଆପଣମାନେ ଆଜି ଏଠାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧିର ଉନ୍ମୋଚନର ସାକ୍ଷୀ। ଉଚ୍ଛ୍ୱାସର ସହ ତାଙ୍କ ଭକ୍ତଗଣ ଏଠାରେ ଉପସ୍ଥିତ। ଦେଶର ସମସ୍ତ ମଠ ଓ ଜ୍ୟୋତିର୍ଲିଙ୍ଗ ଆଜି ଆମ ସହ ସଂଯୁକ୍ତ ହୋଇଛି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦିନ ଥିଲା ଯେତେବେଳେ ଅଧ୍ୟାତ୍ମିକତା ଏବଂ ଧର୍ମ ଗୋଟିଏ ନିର୍ଦ୍ଧିଷ୍ଟ ଶ୍ରେଣୀ ସହ ସମ୍ପୃକ୍ତ ବୋଲି ମନେକରାଯାଉଥିଲା। କିନ୍ତୁ, ଭାରତୀୟ ଦର୍ଶନ ମାନବ କଲ୍ୟାଣ କଥା ବଖାଣେ, ଜୀବନକୁ ସାମଗ୍ରିକ ଦୃଷ୍ଟିରେ ବିଚାର କରେ। ଏହି ସତ୍ୟତା ପ୍ରତି ସମାଜକୁ ସଚେତନ କରାଇବାକୁ ଆଦି ଶଙ୍କରାଚାର୍ଯ୍ୟ କାର୍ଯ୍ୟ କରିଥିଲେ।

୨୦୧୩ ପ୍ରଳୟ ପରେ କେଦାରନାଥର ପୁନର୍ବିକାଶ ହେବ ବୋଲି ଲୋକେ କଳ୍ପନା କରି ନ ଥିଲେ। କିନ୍ତୁ, କେଦାରନାଥର ପୁନର୍ବିକାଶ ହେବ ବୋଲି ମୋର ଅନ୍ତରାତ୍ମା ସବୁବେଳେ କହୁଥିଲା। ଦିଲ୍ଲୀରେ ଥାଇ ମୁଁ ନିୟମିତ କେଦାରନାଥ ବିକାଶ କାର୍ଯ୍ୟାବଳୀ ସମୀକ୍ଷା କରୁଥିଲି। ଏଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିକୁ ଡ୍ରୋନ୍‌ ଉତ୍ତୋଳିତ ଚିତ୍ରାବଳୀରେ ସମୀକ୍ଷା କରୁଥିଲି। ଏହି ସବୁ କାର୍ଯ୍ୟ ନିମନ୍ତେ ଦିଗ୍‌ଦର୍ଶନ ଦେଇଥିବା ସମସ୍ତ ‘ରାଓ୍ଵଲ’ଙ୍କୁ ମୁଁ ଧନ୍ୟବାଦ ଜଣାଉଛି।

ଚଳିତ ଦଶନ୍ଧି ହେଉଛି ଉତ୍ତରାଖଣ୍ଡର। ବିଗତ ୧୦୦ ବର୍ଷ ମଧ୍ୟରେ ଯେତେ ପର୍ଯ୍ୟଟକ ଆସି ନ ଥିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ତା’ଠାରୁ ଅଧିକ ପର୍ଯ୍ୟଟକ ଆସିବେ।