୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ । ୨୪ ଘଂଟାରେ ୧୮ ଲକ୍ଷ ୫୦ ହଜାର ୧୧୦ ନମୁନା ପରୀକ୍ଷା । ୩ଲକ୍ଷ ୨୯ ହଜାର ୯୪୨ପଜିଟିଭ

239

କନକ ବ୍ୟୁରୋ: ଦୁଇ ସପ୍ତାହ ପରେ ସାରାଦେଶରେ କମିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ଦେଶରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଡକଥା ହେଉଛି ଗୋଟିଏ ଦିନରେ ମୋଟ୍ ୧୮ଲକ୍ଷ ୫୦ହଜାର ୧୧୦ଟି ନମୂନା ପରୀକ୍ଷା ହୋଇଥିଲା । ଅର୍ଥାତ ଗତ ୨୪ ଘଂଟାରେ ଟେଷ୍ଟ ପଜିଟିଭିଟି ରେଟ ୧୭.୮୩ ପ୍ରତିଶତ ରହିଛି ।

ଏପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ବର୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଲକ୍ଷ ୧୫ ହଜାର ୨୨୧କୁ ଖସିଆସିଛି । ଯାହା ଆଜି ପର୍ଯ୍ୟନ୍ତ ଦେଶରେ ଚିହ୍ନଟ ହୋଇଥିବା ମୋଟ୍ ସଂକ୍ରମଣର ୧୬.୧୬ ପ୍ରତିଶତ । ସେହିପରି ରିକଭରି ରେଟ୍ ଅର୍ଥାତ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ହାର ୮୨.୭୫ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧ କୋଟି ୯୦ ଲକ୍ଷ ୨୭ ହଜାର ୩୦୪ ରହିଛି ।

ବିଭିନ୍ନ ରାଜ୍ୟରେ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଲକଡାଉନ ଓ ସଟଡାଉନ ଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଆଗକୁ ସଂକ୍ରମଣର ହାର କମିବା ସମ୍ଭାବନା ରହିଛି । ଏପଟେ ଦେଶରେ ମୋଟ୍ ୧୭ କୋଟି ୨୭ ଲକ୍ଷ ଡୋଜ୍ ଟିକା ଦିଆସିରିଛି । ଆଗକୁ ଟିକାକରଣ ଜୋରଦାର ହେଲେ ଏହାମଧ୍ୟ ସଂକ୍ରମଣ ରୋକିବା ଦିଗରେ ସହାୟକ ହୋଇପାରେ ।