୧୨୯ ବର୍ଷ ପରେ…ଡିସେମ୍ବରରେ ଆସୁଛି ବଡ଼ ବାତ୍ୟା ? ଜାଣନ୍ତୁ କ’ଣ କହିଲେ ପାଣିପାଗ ବିଜ୍ଞାନୀ ।

2,402

କନକ ବ୍ୟୁରୋ : ଓଡ଼ିଶାକୁ ପ୍ରତିବର୍ଷ ଅନେକ ବାତ୍ୟା ଆସେ, ଏବଂ କିଛି ବାତ୍ୟା ତାଣ୍ଡବଲୀଳା ରଚି କ୍ଷୟକ୍ଷତିର ଚିହ୍ନ ଛାଡିଦେଇଯାଏ । କିନ୍ତୁ ଆଗାମୀ ଡିସେମ୍ବର ୩ରୁ ୫ ତାରିଖ ଭିତରେ ଆସୁଥିବା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ଯୱାଦ’କୁ ନେଇ ଏବେ ବଢିଛି ଚର୍ଚ୍ଚା ।

୧୨୯ ବର୍ଷ ପରେ… କୌଣସି ବାତ୍ୟା ଡିସେମ୍ବର ମାସରେ ଉପକୂଳ ଅତିକ୍ରମ କରିବାର ଆଶଙ୍କା କରାଯାଉଛି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ଟ୍ୱିଟ୍ ଅନୁଯାୟୀ, ୧୮୯୧ ମସିହାରୁ ୨୦୨୦ ମଧ୍ୟରେ, ଡିସେମ୍ବର ମାସରେ କୌଣସି ବି ବାତ୍ୟା ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିନାହିଁ । ଯଦି ସମ୍ଭାବ୍ୟ ବାତ୍ୟା ‘ଯୱାଦ’ ଓଡ଼ିଶା ଉପକୂଳ ଅତିକ୍ରମ କରେ, ତେବେ ହୁଏତ ୧୨୯ ବର୍ଷ ପରେ ଡିସେମ୍ବର ମାସରେ ଏକ ବଡ଼ ବାତ୍ୟା ଦେଖିବ ଓଡ଼ିଶା ।

ତେବେ ଆସନ୍ତା ୪ତାରିଖରେ ବାତ୍ୟା ‘ଯୱାଦ’, ଓଡ଼ିଶା ଉପକୂଳ ଛୁଇଁପାରେ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ୨ତାରିଖରେ ଏହି ସାମୁଦ୍ରିକ ଝଡ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ଏବଂ ୪ତାରିଖରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ହେବ । ଆଜି ଦକ୍ଷିଣ ଥାଇଲ୍ୟାଣ୍ଡ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି ଏବଂ ଏହା ଧିରେ ଧିରେ ବଳ ଗୋଟାଇ ‘ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ଅର୍ଥାତ ଅତି ପ୍ରବଳ ସାମୁଦ୍ରିକ ଝଡର ରୂପ ନେବ । ପବନର ଗତି ଘଣ୍ଟାପ୍ରତି ୧୨୦କିଲୋମିଟର ରହିପାରେ ବୋଲି ଅନୁମାନ କରାଯାଉଛି ।