କନକ ନ୍ୟୁଜ ପ୍ରଭାବ, ୧୦୦ ଦିନର ଧାରଣା ପରେ ଗୁହାରି ଶୁଣିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ନିଷିଦ୍ଧ ନୁହେଁ ଏବେ କିଡନୀ ରୋଗୀଙ୍କୁ ମିଳିଲା ଅସଲି ଔଷଧ

102

କନକ ବ୍ୟୁରୋ : ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ପରେ ରାଜ୍ୟ ସରକାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନିସ୍ପତ୍ତି ନେଇଛନ୍ତି । ଦୀର୍ଘଦିନ ହେବ କିଡନୀ ରୋଗୀମାନେ ନିଷିଦ୍ଧ ଔଷଧ ନୁହେଁ ବରଂ ଅସଲି ଔଷଧ ପାଇବା ଦାବିରେ ଦେଇଥିବା ଧାରଣା ଆଜି ଫଳପ୍ରଦ ହୋଇଛି । ୧୦୦ ଦିନର ଧାରଣା ପରେ ସେମାନଙ୍କ ଗୁହାରି ଶୁଣିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏବେ ନିଜର ଭୁଲ ମାନି ଏସସିବି କର୍ତ୍ତୁପକ୍ଷ କିଡନୀ ରୋଗୀମାନଙ୍କୁ ଅସଲି ଔଷଧ ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାର କିଡନୀ ରୋଗୀମାନଙ୍କୁ ନିଷିଦ୍ଧ ଔଷଧ ପ୍ରଦାନ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଏହି ଖବର କନକ ନ୍ୟୁଜରେ ବାରମ୍ବାର ପ୍ରସାରଣ କରାଯାଇଥିଲା । ୨୦୧୮ ମସିହା ଅଗଷ୍ଟ ମାସରେ ଆରଡିଟିଏଲ ବା ରିଜିଓନାଲ ଡ୍ରଗ୍ ଟେଷ୍ଟିଂ ଲ୍ୟାବ୍ ଚଣ୍ଡିଗଡ ରେ ଟାକ୍ରୋଲିମସ କ୍ୟାପସୁଲ ଆଇପି, ନେଫଗ୍ରାଫ ୦.୫ ମେଡିସିନକୁ ରିଜେକ୍ଟ କରିଥିଲା । ହେଲେ ସେହି କମ୍ପାନୀର ମେଡିସିନକୁ କିଣି ରାଜ୍ୟ ସରକାର କିଡନୀ ରୋଗୀମାନଙ୍କୁ ମାଗଣାରେ ଯୋଗାଇ ଦେଉଥିଲେ । ବ୍ଲାକ ଲିଷ୍ଟେଡ ବା ରିଜେକ୍ଟ ମେଡିସିନ୍ ଏସସିବିରେ କିଭଳି ବଣ୍ଟନ କରାଯାଉଥିଲା ତାହା ନେଇ କନକ ନ୍ୟୁଜ୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଶ୍ନ କରିଥିଲା । ଏହାପରେ ସାମ୍ନାକୁ ଆସିଥିଲା ଅନେକ ସାଂଘାତିକ ସତ ।

ଏସବୁ ଖବର ଭିତରେ ରାଜଧାନୀରେ ଧାରଣା ଦେଇଥିଲେ କିଡନୀ ରୋଗୀମାନେ । ୧୦୦ ଦିନର ଧାରଣା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ଦାବିକୁ ମାନି ନେଇଛି । ସେପଟେ ଏନେଇ ଏସସିବି ତରଫରୁ ଏବେ କିଡନୀ ରୋଗୀଙ୍କୁ ଅସଲି ଔଷଧ ବଣ୍ଟନ କରାଯାଇଛି । ଏହାସହ ନେଫ୍ରୋଲୋଜୀ ଓ ୟୁରୋଲୋଜୀ ବିଭାଗରେ କେହି ପ୍ରଫେସର ନଥିବାରୁ ଅନେକ ଦିନ ହେବ ଏହି ପଦବୀ ପୂରଣ ପାଇଁ ଦାବି କରୁଛନ୍ତି କିଡନୀ ରୋଗୀ ।