କନକ ବ୍ୟୁରୋ : ଗୋଟିଏ ପଟେ ସୁନ୍ଦର ବେଳାଭୂମି। ଆଉ ଗୋଟିଏ ପଟେ ଧସେଇ ପଡ଼ିଛି ବନ୍ଧ। ଏ ହେଉଛି ବିଶ୍ବ ପ୍ରସିଦ୍ଧ ଚାନ୍ଦିପୁର ବେଳାଭୂମିର ଦୃଶ୍ୟ। ଏଠାକାର ଉଚ୍ଚ ଜୁଆର ଓ ସୌନ୍ଦର୍ୟ୍ୟ ପର୍ୟ୍ୟଟକଙ୍କୁ କରିଥାଏ ଖୁବ୍ ଆକର୍ଷିତ। ବେଳାଭୂମିର ଉନ୍ନତିକରଣ ପାଇଁ ଖର୍ଚ୍ଚ ହୋଇଥିଲା ୩୦ କୋଟି ଟଙ୍କା। ପଥର ପ୍ୟାଚିଙ୍ଗ, ବନ୍ଧ ଉପରେ ଫେବର ବ୍ଲକ୍, ରାସ୍ତା, ଲାଇଟ୍ ଓ ଗଛ ଲଗାଯାଇ ସୌନ୍ଦର୍ୟ୍ୟକରଣ କରାଯାଇଥିଲା। କିନ୍ତୁ କାମ ସରିବାର ୬ ମାସ ନପୁରୁଣୁ ବର୍ଷାରେ ବନ୍ଧ ଓ ଫାବୋର୍ ବ୍ଲକ୍ ଧୋଇ ବିରାଟ ଗାତ ସୃଷ୍ଟି ହୋଇ ଯାଇଛି। କେବଳ ସେତିକି ନୁହେଁ, ବେଳାଭୂମିରେ ଲାଗିଥିବା ଲାଇଟ୍ ପୋଷ୍ଟ ଗାୟବ ହୋଇଯାଇଛି। ଗଛ ଗୁଡ଼ିକ ମରିଗଲାଣି। ଫାବୋର ବ୍ଲକ୍ ରାସ୍ତାରେ ଘାସ ଉଠି ଗଲାଣି। ପଥର ପ୍ୟ।ଚିଂରୁ ପଥର ଖସି ପଡ଼ିଛି। ବେଳାଭୂମିର ଏପରି ଅବସ୍ଥା ଦେଖି ପର୍ୟ୍ୟଟକ ନିରାଶ ହୋଇ ଫେରୁଛନ୍ତି।

Advertisment

ଜଳସେଚନ ବିଭାଗ ଅଧିନରେ ଏହି ଉନ୍ନତିକରଣ କାମ ହୋଇଛି। କାମକୁ ଦେଖିଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା ଥିବା ବେଶ୍ ବାରି ହେଉଛି। ଅସରାଏ ବର୍ଷାରେ ଯଦି ବନ୍ଧ ଧସିଯାଏ, ତେବେ ଜୋର୍ ବର୍ଷା କିମ୍ୱା ସମୁଦ୍ରର ଲହଡ଼ି ଆସିଲେ ସବୁ ଧୋଇଯିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଅନ୍ୟପଟେ ସଦର ବିଧାୟକ ମାନସ୍ ଦତ୍ତଙ୍କୁ ପଚାରିବାରୁ ଜିଲ୍ଲାପାଳଙ୍କ ସହ କଥା ହୋଇ ଯଥା ଶୀଘ୍ର ଯାଞ୍ଚ୍ କରାଯାଇ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।