୬ମାସ ପାଇଁ ମଣିପୁରରେ ନିର୍ଦ୍ଧାରିତ ହେଲା ଅଶାନ୍ତ କ୍ଷେତ୍ର । ୧୯ଟି ଥାନା କ୍ଷେତ୍ର ବ୍ୟତିତ ଅନ୍ୟ ସମସ୍ତ ଅଂଚଳରେ ଇଂଟରନେଟ ସେବା ଠପ, ସୁରକ୍ଷାବଳୟ ଭିତରେ ସମ୍ପୂର୍ଣ୍ଣ ରାଜ୍ୟ

79

କନକ ବ୍ୟୁରୋ : କିଛି ଦିନର ସ୍ଥିରତା ପରେ ପୁଣି ଅଶାନ୍ତ ହୋଇଛି ମଣିପୁର । ଅକ୍ଟୋବର ୧ରୁ ଆଗାମୀ ୬ମାସ ଯାଏଁ ପୂରା ମଣିପୁରକୁ ଅଶାନ୍ତ ଅଂଚଳଭାବେ ଘୋଷଣା କରାଯିବା ସହ ଆଫସା ବଳବତର ରହିବ । ଏଥିରୁ କେବଳ ୧୯ଟି ଥାନା ଅଂଚଳକୁ ବାଦ ଦିଆଯାଇଛି । ନିକଟରେ ଦୁଇଜଣ ସ୍କୁଲ ପିଲା ନିଖୋଜ ଓ ପରେ ସେମାନଙ୍କ ମୃତ ଦେହ ମିଳିବା ଘଟଣାରେ ରାଜ୍ୟରେ ପୁଣି ହିଂସାପୂର୍ଣ୍ଣ ମାହୋଲ ସୃଷ୍ଟି କରିଛି । ପ୍ରଦର୍ଶନକାରୀ ଓ ପୁଲିସ ମୁହାଁମୁହିଁ ଘଟଣା ହିଂସାକୁ ବୃଦ୍ଧି କରିବା ସହ ମାହୋଲକୁ ପୁଣି ବିଗାଡିଛି । ବୁଧବାର ମଧ୍ୟ ପ୍ରତିବାଦ ଜାରି ରହିଛି । ଶହ ଶହ ସଂଖ୍ୟକ ଲୋକ ଇମ୍ପାଲ ଓ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭ କରିଛନ୍ତି ।ମଣିପୁରରେ ମେ ମାସରୁ ଉତେଜନା ଜାରି ରହିଛି । କୁକି ଓ ମୈଇତି ସମ୍ପ୍ରଦାୟ ମଧ୍ୟରେ ଚାଲିଛି ବିବାଦ । ତେବେ ୫ମାସ ପରେ ସେପ୍ଟେମ୍ବର ୨୩ରେ ରାଜ୍ୟରେ ଇଂଟରନେଟ ସେବା ସ୍ୱାଭାବିକ ହେବା କିଛି ଘଂଟା ପରେ ଦୁଇଜଶ ସ୍କୁଲ ପିଲାଙ୍କ ମୃତ ଦେହ ମିଳିଥିଲା । ଏହି ଘଟଣା ପୁଣି ଥଣ୍ଡା ପଡିଥିବା ହିଂସାରେ ନିଅାଁ ଲଗାଇଛି ।ସେପଟେ କେନ୍ଦ୍ର ଓ ମଣିପୁର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗକୁ ଅଣଦେଖା କରୁଥିବା କହିଛି କଂଗ୍ରେସ । ସେପଟେ ଟୁଇଟ କରି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ପ୍ରଧାନମନ୍ତ୍ରୀ ତୁରନ୍ତ ପଦରୁ ବହିଷ୍କାର କରିବାକୁ ଦାବି କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।