କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ପାକିସ୍ତାନର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଏଯାଏଁ ୭ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ସେମିଫାଇନାଲ ଟିକେଟ ନିଶ୍ଚିତ କରିପାରିନି । ବରଂ ଦଳର ସେମିଫାଇନାଲ ଖେଳିବା ନେଇ ସସପେନ୍ସ ଲାଗି ରହିଛି । ପରବର୍ତ୍ତୀ ୨ଟି ମ୍ୟାଚରେ ପାକିସ୍ତାନ ବିଜୟ ହାସଲ ନ କଲେ ବିଶ୍ୱକପ ଅଭିଯାନ ଶେଷ କରିବ ଦଳ । ବାଂଲାଦେଶ ବିପକ୍ଷରେ ବିଜୟୀ ହେବା ପରେ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶା କିଛି ମାତ୍ରାରେ ଉଜ୍ଜିବୀତ ହୋଇଛି ସତ କିନ୍ତୁ ପରବର୍ତ୍ତୀ ୨ଟି ମ୍ୟାଚ୍ ବାବରଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ତେବେ ପାକିସ୍ତାନର ପ୍ରଦର୍ଶନକୁ ନେଇ ବର୍ଷିଛନ୍ତି ଦଳର ପୂର୍ବତନ ଖେଳାଳୀ ସାହିଦ ଆଫ୍ରିଦି । ଖାସକରି ବାବରଙ୍କ ଖେଳିବାର ଶୈଳୀକୁ ନେଇ ପ୍ରଶ୍ନ କରିଛନ୍ତି ସାହିଦ ।

Advertisment

ସାହିଦ କହିଛନ୍ତି, ବାବରଙ୍କ ବ୍ୟାଟରୁ ରନ୍ ଆସିବା ଏବଂ ବାବର ଦଳକୁ ବିଜୟୀ କରାଇବା ୨ଟି ଭିନ୍ନ ଭିନ୍ନ କଥା । ଭାରତୀୟ ବ୍ୟାଟରଙ୍କ ଉଦାହରଣ ରଖି ସାହିଦ କହିଛନ୍ତି, ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ଦେଖନ୍ତୁ ସେମାନେ ନିଜ ଟିମ୍ ପାଇଁ କଣ କରୁଛନ୍ତି । ସେମାନେ ମୈଦାନରେ ରହୁଛନ୍ତି, ରନ୍ କରୁଛନ୍ତି ଏବଂ ମ୍ୟାଚ୍ ଜିତାଇ ଫେରୁଛନ୍ତି । କିନ୍ତୁ ବାବର ଆଜମଙ୍କ କ୍ଷେତ୍ରରେ ସେଭଳି କିଛି ଦେଖିବାକୁ ମିଳୁନାହିଁ । ବାବର ଆଜମ ପଡିଆକୁ ଆସିଲେ ମଧ୍ୟ ଲାଗୁନି ଯେ, ସେ ମ୍ୟାଚ୍ ଜିତାଇ ଯାଇପାରିବେ ବୋଲି । ଏମିତି ଲାଗୁଛି ବାବର ୫୦ ରନ୍ କରି ପ୍ୟାଭିଲିୟନ ଫେରିବେ । ଆମକୁ ଏଭଳି ଏକ ଖେଳାଳୀଙ୍କର ଆବଶ୍ୟକତା ରହିଛି ଯିଏ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ମ୍ୟାଚ୍ ଜିତାଇ ପାରୁଥିବ । ଦଳକୁ ଜଣେ ମ୍ୟାଚ୍ ୱିନର ଖେଳାଳୀଙ୍କର ଆବଶ୍ୟକତା ରହିଛି । ମୁଁ ବାବରଙ୍କର ବଡ ପ୍ରଂଶସକ । କିନ୍ତୁ ବାବର ନିଜର ପ୍ରଦର୍ଶନରେ ବାରମ୍ବାର ନିରାଶ କରି ଆସୁଛନ୍ତି । ଯଦି ଶ୍ରେଷ୍ଠ ଖେଳାଳୀ ତାଲିକାରେ ସାମିଲ ହେବାକୁ ଇଚ୍ଛା ଅଛି ତେବେ ଶ୍ରେଷ୍ଠ ପ୍ରଦର୍ଶନ କରିବାର ମଧ୍ୟ ଆବଶ୍ୟକତା ରହିଛି ।

ବାବର ବିଶ୍ୱର ଏକ ନମ୍ବର ବ୍ୟାଟର ହୋଇଥିଲେ ମଧ୍ୟ ଚଳିତ ବିଶ୍ୱକପରେ ତାଙ୍କ ବ୍ୟାଟରୁ ବଡ ଇନିଂସ ଦେଖିବାକୁ ମିଳୁନାହିଁ । ଏବେ ପର୍ଯ୍ୟନ୍ତ ବାବର ୭ଟି ମ୍ୟାଚରୁ ୨୧୬ ରନ କରିଛନ୍ତି । କିନ୍ତୁ ବାବରଙ୍କ ବ୍ୟାଟରୁ ଏଯାବତ କୌଣସି ମ୍ୟାଚ୍ ବିଜୟୀ ଇନିଂସ ଦେଖିବାକୁ ମିଳିନାହିଁ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ବାବରଙ୍କୁ ଟ୍ରୋଲ କରିଛନ୍ତି ୟୁଜର୍ସ । ସତରେ କଣ ବାବର ବିଶ୍ୱର ଏକ ନମ୍ବର କ୍ରିକେଟର କି ବୋଲି ପ୍ରଶ୍ନ କରିଛନ୍ତି ୟୁଜର୍ସ । ଅନ୍ୟପଟେ ପାକିସ୍ତାନ ନିଜର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଖେଳିବ । ଏହି ୨ ମ୍ୟାଚରେ ପାକିସ୍ତାନକୁ ନିଶ୍ଚିତ ବିଜୟ ଆବଶ୍ୟକ । ନଚେତ ପାକିସ୍ତାନର ବିଶ୍ୱକପ ଅଭିଯାନ ଲିଗ୍ ପର୍ଯ୍ୟାୟରୁ ହିଁ ଶେଷ ହେବ ।