ଭାରତରେ ‘ଆଫ୍ରିକାନ ସ୍ୱାଇନ ଫ୍ଲୁ’ ଆତଙ୍କ: ଆସାମରେ ୨୮ ଶହରୁ ଅଧିକ ଘୁଷୁରି ମୃତ; ଜାଣନ୍ତୁ କରୋନା ସହ କଣ ରହିଛି ଏହି ଭାଇରସର ସଂପର୍କ ଓ ମଣିଷ ପ୍ରତି ରହିଛି କି ବିପଦ ?

1,847

କନକ ବ୍ୟୁରୋ: କରୋନା ମହାମାରୀ ସହ ଲଢେଇ କରୁଛି ସାରା ବିଶ୍ୱ । ଦିନକୁ ଦିନ କରୋନାର ପ୍ରକୋପ ଅତି ଭୟଙ୍କର ହେଉଥିବା ବେଳେ ଏହାକୁ ରୋକିବା ବର୍ତ୍ତମାନ ସମସ୍ତଙ୍କ ପାଇଁ ମୁସ୍କିଲ ହୋଇପଡିଛି । ଆଉ ଏହାରି ଭିତରେ ଦେଶରେ ଆଉ ଏକ ଘାତକ ଭୁତାଣୁ ତଥା ଆଫ୍ରିକାନ ସ୍ୱାଇନ ଫ୍ଲୁ ମାମଲା ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ଆସାମରେ ତାଣ୍ଡବ ରଚିଛି ।

ଆସାମ ସରକାରଙ୍କ ସୂଚନା ଅନୁସାରେ, ଏହି ରୋଗରେ ଶିକାର ହୋଇ ଆସାମରେ ବର୍ତ୍ତମାନ ୨୮ ଶହ ଘୁଷୁରିଙ୍କର ମୃତ୍ୟୁ ଘଟିଲାଣି । ଆସାମର ପଶୁପାଳନ ଏବଂ ପଶୁ ଚିକିତ୍ସା ମନ୍ତ୍ରୀ ଅତୁଲ ବୋରା ଏସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଆଫ୍ରିକାନ ସ୍ୱାଇନ ଫ୍ଲୁ ମାମଲା ଏବେ ନଜରକୁ ଆସିଛି । ଏଯାବତ୍ ଏହି ରୋଗ ଆସାମର ପାଖାପାଖି ୮ଟି ଜିଲ୍ଲାର ୩୦୬ଟି ଗାଁକୁ ବ୍ୟାପିଗଲାଣି । ଫଳରେ ଏହି ରୋଗର ଶିକାର ହୋଇ ୨୮ ଶହ ଘୁଷୁରିଙ୍କ ଜୀବନ ଗଲାଣି । ସେପଟେ ଏନଆଇଏଚଏସଡି ମଧ୍ୟ ଆଫ୍ରିକାନ ସ୍ୱାଇନ ଫ୍ଲୁ ସଂପର୍କରେ ସ୍ପଷ୍ଟ କରିଛି । ତେବେ ଏହି ସଂକ୍ରମଣ ଏତ ଭୟଙ୍କର କି ଏଥିରେ ସଂକ୍ରମିତ ଘୁଷୁରିଙ୍କର ମୃତ୍ୟୁହାର ଶତ ପ୍ରତିଶତ ରହିଥାଏ ।

ସେହିଭଳି ଏହି ଆଫ୍ରିକାନ ସ୍ୱାଇନ ଫ୍ଲୁ ଘୁଷୁରି ମାଂସ, ତାର ଲାଳ, ରକ୍ତ ଏବଂ ଟିସ୍ୟୁ ଦ୍ୱାରା ବ୍ୟାପିଥାଏ । ସରକାରୀ ସୂଚନା ମୁତାବକ, ୨୦୧୯ରେ ଚୀନର ଜିଆଙ୍ଗ ପ୍ରଦେଶର ଏକ ଗାଁରେ ଏହି ରୋଗ ପ୍ରଥମେ ଦେଖାଦେଇଥିଲା । ଯାହାକି ଅରୁଣାଚଳ ପ୍ରଦେଶର ସୀମାବର୍ତ୍ତୀ । ତେବେ ଆସାମରେ ଏହି ରୋଗ ଚଳିତ ବର୍ଷ ଫେବ୍ରୁଆରୀରୁ ହିଁ ଦେଖାଦେଇଛି । ତେଣୁ ରୋଗଟି ଚୀନରୁ ଅରୁଣାଚଳ ପ୍ରଦେଶ ଦେଇ ଆସାମରେ ପହଂଚିଥିବା ନେଇ ଅନୁମାନ କରାଯାଉଛି । ସେପଟେ କରୋନା ମହାମାରୀ ସହ ଏହାର କୌଣସି ସଂପର୍କ ନଥିବା ବେଳେ ଏହା ମଣିଷ ପ୍ରତି କୌଣସି ବିପଦ ନଥିବା ଜଣାପଡିଛି ।