ମହୁମାଛିଙ୍କ ଆକ୍ରମଣରେ ୬୪ ପେଙ୍ଗୁଇନ ମୃତ, କାରଣ ଜାଣି ବୈଜ୍ଞାନିକ ବି ଚକିତ

97

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଯାହାର କାରଣ ଜାଣିବା ପରେ ସେଠିକାର ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣାପଡିନଥିବା ଏକ କାରଣରୁ ମହୁମାଛିମାନେ ରାଗରେ ୬୪ ଟି ଆଫ୍ରିକୀୟ ପେଙ୍ଗୁଇନଙ୍କୁ ହତ୍ୟା କରିଛନ୍ତି । ଯାହାକୁ ନେଇ ପେଙ୍ଗୁଇନ ପ୍ରଜାତି ଏବେ ବିପଦରେ ପଡିଛନ୍ତି । ସୂଚନା ମୁତାବକ ମହୁମାଛିମାନେ କୌଣସି କାରଣରୁ ରାଗିଯାଇ ପେଙ୍ଗୁଇନ ମାନଙ୍କର ଆଖିକୁ ଆକ୍ରମଣ କରିଥିଲେ । ମହୁମାଛିମାନେ ପେଙ୍ଗୁଇନମାନଙ୍କ ଆଖିରେ ଥଣ୍ଟମାରି ସେଠାରେ ବିଷ ଛାଡିଦେଇଥିଲେ । ଏହା ଫଳରେ ୬୪ ଟି ସୁନ୍ଦର ପେଙ୍ଗୁଇନଙ୍କର ମୃତ୍ୟୁ ହୋଇଛି । ପକ୍ଷୀ ବିଶେଷଜ୍ଞଙ୍କ ସୂଚନା ମୁତାବକ ମୃତ୍ୟୁ ହୋଇଥିବା ପେଙ୍ଗୁଇନ ପ୍ରଜାତିର ଏବେ ବିଶ୍ୱରେ ମାତ୍ର ୪୨ ହଜାର ପେଙ୍ଗୁଇନ ଅଛନ୍ତି ।

ଆଫ୍ରିକାନ ବୈଜ୍ଞାନିକମାନଙ୍କ ଭାଷାରେ ପେଙ୍ଗୁଇନକୁ ସ୍ଫେନିସସ୍ ଡେମେରସସ୍ କୁହାଯାଇଥାଏ । ଯେଉଁ ମହୁମାଛି ମାନେ ପେଙ୍ଗୁଇନମାନଙ୍କୁ ମାରିଛନ୍ତି ସେମାନଙ୍କୁ ବିଜ୍ଞାନ ଭାଷାରେ କେପ୍ ହନି ବୋଲି କୁହାଯାଇଥାଏ । ଦକ୍ଷିଣ ଆଫ୍ରିକାର ନ୍ୟାସନାଲ ପାର୍କ ଅର୍ଗାନାଇଜେସନର ରେଞ୍ଜର୍ସ କ୍ୟାପ ଟାଉନ ପାଖ ଟେବଲ ପାହଡ ନିକଟରେ ୬୪ ଟି ପେଙ୍ଗୁଇନ ମରି ପଡିଥିବାର ଦେଖିବାକୁ ପାଇଥିଲେ । ଏହି ନ୍ୟାସନାଲ ପାର୍କରେ ପେଙ୍ଗୁଇନ ମାନଙ୍କୁ ସଂରକ୍ଷିତ କରି ରଖାଯାଇଥାଏ । ପେଙ୍ଗୁଇନର ଏହି ପ୍ରଜାତି ଇଣ୍ଟରନ୍ୟାସନାଲ ୟୁନିୟନ ଫର କଞ୍ଜରଭେସନ ଅଫ୍ ନେଚରରେ ଲାଲ୍ ସୂଚୀରେ ରହିଛନ୍ତି ।

ସାନପାର୍କ ନିଜର ଫେସବୁକ ପେଜରେ ଏକ ପୋଷ୍ଟ କରିଛି ଓ ଲେଖିଛି କି ପେଙ୍ଗୁଇନମାନେ ଗୁରୁବାର ଅପରାହ୍ନ କିମ୍ବା ଶୁକ୍ରବାର ସକାଳେ ମୃତ୍ୟୁବରଣ କରିଛନ୍ତି । ମୃତ ପେଙ୍ଗୁଇନ ମାନଙ୍କ ଶରୀରରେ କୌଣସି ଆଘାତର ଦାଗ ନାହିଁ । ହେଲେ ସେମାନଙ୍କ ମୃତ ଶରୀରକୁ ଯେତେବେଳେ ପୋଷ୍ଟମର୍ଟମ କରାଯାଇଥିଲା ସେତେବେଳେ ସ୍ପଷ୍ଟ ହୋଇଥିଲା ଯେ ସେମାନଙ୍କ ଆଖିକୁ ମହୁମାଛିମାନେ ଆକ୍ରମଣ କରିବା ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି ।

ହେଲେ ଏହି ରିପୋର୍ଟକୁ ନେଇ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ ମହୁମାଛି ଯେତେବେଳେ କାହାକୁ ଆକ୍ରମଣ କରେ ସେତେବେଳେ ସେ ପୁରା ଶରୀରକୁ ଆକ୍ରମଣ କରିଥାଏ । କେବଳ ଶିକାରର ଗୋଟିଏ ଅଙ୍ଗକୁ ଟାର୍ଗେଟ କରିବା ଏକ ଆଶ୍ଚର୍ଯ୍ୟକର ଘଟଣା । ବୈଜ୍ଞାନିକ ଡେଭିଡ କହିଛନ୍ତି କି ଏହାଏକ ଦୁର୍ଲ୍ଲଭ ଘଟଣା ଓ ଏହା କେବେ ହୋଇ ନଥାଏ ।