ଅଗଷ୍ଟ ପରେ ଏୟାର ଲିଫ୍ଟ ଡେଡଲାଇନକୁ କୋହଳ କରିବାକୁ ରାଜି ହେଲା ତାଲିବାନ : ଅଗଷ୍ଟ ୩୧ ପରେ ଦେଶ ଛାଡ଼ି ପାରିବେ ଆଫଗାନ ନାଗରିକ

ହେଲେ ଦେଖାଇବାକୁ ପଡ଼ିବ ଆବଶ୍ୟକୀୟ କାଗଜପତ୍ର

211

କନକ ବ୍ୟୁରୋ : ଆଫଗାନିସ୍ଥାନରେ ତାଲିବାନୀ କବଜା ପରେ ସେଠାରେ ଭୟର ସ୍ଥିତି । ଦେଶ ଛାଡ଼ି ବିଦେଶ ପଳାଇଯିବାକୁ ବହୁ ଆଫଗାନବାସୀ ଚାହୁଁଛନ୍ତି । ତେବେ ନିକଟରେ ତାଲିବାନ ଘୋଷଣା କରିଥିଲା ଯେ, ଆଫଗାନବାସୀଙ୍କୁ ଦେଶ ଛାଡ଼ି ଯିବାକୁ ଦିଆଯିବ ନାହିଁ । ହେଲେ ଏବେ ୩୧ ଅଗଷ୍ଟ ପରେ ଆଫଗାନବାସୀଙ୍କୁ ଦେଶ ଛାଡ଼ିବାକୁ ଅନୁମତି ଦେଇପାରେ । ଆଫଗାନିସ୍ତାନକୁ ଜର୍ମାନୀ ପ୍ରତିନିଧିଙ୍କ ବୟାନରୁ ଏଭଳି କିଛି ଆଶା ଦେଖାଦେଇଛି । ଜର୍ମାନୀ ପ୍ରତିନିଧି ମାର୍କସ୍ ପଜେଲ ନିଜ ଟୁଇଟରେ ଲେଖିଛନ୍ତି ଯେ, ତାଲିବାନ ନେତୃତ୍ୱ ସହ ଆଲୋଚନା ବେଳେ ଏଭଳି କିଛି ପ୍ରତିଶ୍ରୁତି ମିଳିଛି । ୩୧ ଅଗଷ୍ଟ ପରେ ଆଫଗାନବାସୀଙ୍କୁ ଉପଯୁକ୍ତ କାଗଜପତ୍ର ଥିଲେ, ବିଦେଶ ଯିବାକୁ ଅନୁମତି ମିଳିବ ।

ସେପଟେ ଦେଶମାନେ ତାଲିବାନ ସହ ଆଲୋଚନା କରିବା ଜରୁରୀ ବୋଲି ଜର୍ମାନୀ ଚାନ୍ସଲର ଅଂଜେଲା ମର୍କେଲ କହିଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ୩୧ ଅଗଷ୍ଟ ସୁଦ୍ଧା ନିଜ ସବୁ ସୈନିକଙ୍କୁ ଆଫଗାନିସ୍ତାନରୁ ଫେରାଇ ଆଣିବ ଆମେରିକା । ହେଲେ ଏହା ତାଲିବାନୀଙ୍କ ବ୍ୟବହାର ଉପରେ ନିର୍ଭର କରୁଛି । ଏହା ସହ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଆବଶ୍ୟକ ପଡିଲେ ୩୧ ଅଗଷ୍ଟ ପରେ ମଧ୍ୟ ନିଜ ସୈନିକଙ୍କୁ କାବୁଲରେ ରଖାଯାଇପାରେ । ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସୈନିକଙ୍କୁ ଆଫଗାନିସ୍ତାନ ଛାଡିବା ନେଇ ତାଲିବାନର ଚେତାବନୀ ପରେ ବାଇଡେନଙ୍କ ଏପରି ବୟାନ୍ ଆସିଛି ।