ଭୋକ ବିକଳରେ ଆଫଗାନିସ୍ତାନ । ଅଙ୍ଗ ବିକୁଛନ୍ତି,ପିଲାଙ୍କୁ ନିଶା ଦେଇ ଶୁଆଇ ଦେଉଛନ୍ତି

239

କନକ ବ୍ୟୁରୋ : ପୁଞ୍ଜିବାଦ ବ୍ୟବସ୍ଥାର ଯୁଦ୍ଧ କେବଳ କ୍ଷମତା ଦଖଲ କରିବାର ଏକ ପ୍ରହେଳିକା । ନା ଏ ଯୁଦ୍ଧରୁ ସାଧାରଣ ଲୋକଙ୍କୁ କିଛି ମିଳେ ନା ଏ ଯୁଦ୍ଧରୁ କିଛି ସାମାଜିକ ବିକାଶ ହୋଇପାରେ     ।  ଏ ଯୁଦ୍ଧ କେବଳ ଧାର୍ମିକ ଉନ୍ମାଦନା ଓ ପୁଞ୍ଜିପତିମାନେ ଲୁଟପାଟ କରି ସଂପତ୍ତି ଠୁଳ କରିବାର ଏକ ଛଳନା । ଏ ଛଳନା ଭିତରେ ବିଶ୍ୱର ଅନେକ ରାଷ୍ଟ୍ର ଫଶି ରହିଛନ୍ତି । ଇରାନ ଠାରୁ ଇରାକ ସମେତ ସାଉଦୀ ଆରବର ଅନେକ ଦେଶ । କେଉଁଠି ହିଜାବ ପାଇଁ ତ କେଉଁଠି ଧର୍ମରକ୍ଷା ନାରେ ଚାଲିଛି ଯୁଦ୍ଧ ।

ଏସବୁ ଭିତରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ଥ ହୋଇଛି ଆଫଗାନିସ୍ତାନ ଭଳି ଏକ ଛୋଟ ଦେଶ । ତାଲିବାନୀମାନେ ଧାର୍ମିକ ଯୁଦ୍ଧ ନାମରେ ଆମେରିକାର ପ୍ରରୋଚନାରେ ଯେଭଳି ଭାବେ ଆଫଗାନିସ୍ତାନରେ ନରସଂହାର କରି ତାକୁ ଦଖଲ କଲେ ତାହା ବିଶ୍ୱ ଇତିହାସରେ ଏକ କଳାଫର୍ଦ୍ଦ ହୋଇ ରହିବ । ହେଲେ ତାଲିବାନୀମାନେ ଆଫଗାନର ଶାସନ ଡୋର ନିଜ ହାତକୁ ନେବା ପରେ ସେଠିକାର ସାଧାରଣ ଲୋକ ଓ ମହିଳାମାନେ କିଭଳି ଦୁଖ ଦୁର୍ଦ୍ଦଶା ଓ ଭୋକରେ କାଳ କାଟୁଛନ୍ତି ତାହା ହିଁ ଆଜି ସାରା ବିଶ୍ୱ ଆଗରେ ପ୍ରଶ୍ନ ଠିଆ କରିଛି ।

ନା ଚାକିରୀ ଅଛି ନା ରୋଜଗାର କରିବାର ଅନ୍ୟ କିଛି ମାଧ୍ୟମ । ମହିଳାମାନଙ୍କୁ ଘରୁ ବାହାରିବାକୁ ମନା ତ ଶିକ୍ଷା ଉପରେ ଚାବୁକର ପ୍ରହାର । ଏହାରି ଭିତରେ ଭୋକ ଭଳି ଏକ ଅମାନିଆ ଜୀବ ନା ସେ ତୁମ ରୋଜଗାର ଦେଖିବ ନା ବୟସ ନା ଶିକ୍ଷା ତାକୁ ଆବଶ୍ୟକ ଖାଦ୍ୟ । ଯେମିତି ପୁଞ୍ଜିବାଦକୁ ଆବଶ୍ୟକ କ୍ଷମତା । ଏ ଭୋକ ଏବେ ଆଫଗାନିସ୍ତାନବାସୀଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । ଖାଦ୍ୟ ସଂକଟ ଏତେ ଉକ୍ରଟ ହୋଇଛି ଯେ କିଛି ଲୋକ ଖାଦ୍ୟ ଯୋଗାଡ କରିବାକୁ ନିଜର ଅଙ୍ଗ ବିକ୍ରି କରିଦେଉଛନ୍ତି ତ କିଛି ଲୋକ ନିଜ ବଢିଲା ଝିଅକୁ ସାମନ୍ତବାଦୀ ବ୍ୟବସ୍ଥାର ପ୍ରତିନିଧିମାନଙ୍କ ହାତକୁ ଟେକି ଦେଉଛନ୍ତି । ସବୁଠାରୁ ଦୁଖର କଥା ବାପା ମା ମାନେ କୁନି କୁନି ପିଲାଙ୍କ ଭୋକ ଦେଖିପାରୁ ନାହଁନ୍ତି । ଆପଣ କୁହନ୍ତୁ ଆପଣ କଣ ସହି ପାରିବେ ଆପଣଙ୍କ ଅପାରଗ ପଣିଆ ପାଇଁ ଆପଣଙ୍କ ପିଲା ଭୋକ ବିକଳରେ ରାତି ରାତି ଅନିଦ୍ର ହେଉଛି । ବାଶ୍ ଠିକ୍ ସେଇକଥା ବି ଦେଖିପାରୁ ନାହାଁନ୍ତି ଆଫଗାନିସ୍ତାନର ବାପା ମା ମାନେ । ସେମାନେ ବାଧ୍ୟ ହୋଇ ସେମାନଙ୍କ ପିଲାଙ୍କୁ ଭୋକରୁ ବଞ୍ଚାଇବାକୁ ନିଶା ବଟିକା ଦେଇ ଶୁଆଇ ପକାଉଛନ୍ତି ।