ଆଫଗାନରେ ତାଲିବାନୀଙ୍କ ବର୍ବର କାଣ୍ଡ, କାଟିଦେଲେ ମହିଳା ଭଲ୍ଲି ବଲ୍ ଖେଳାଳୀଙ୍କ ମୁଣ୍ଡ

196

କନକ ବ୍ୟୁରୋ : ଯେବେଠାରୁ ଆଫଗାନିସ୍ତାନରେ ତାଲିବାନୀଙ୍କ ସରକାର ଆରମ୍ଭ ହୋଇଛି ସେବେଠୁ ଖେଳ ଓ ଖେଳାଳୀଙ୍କ ଭବିଷ୍ୟତ ସଂକଟ ଭିତରେ ରହିଛି । ଏବେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିଛି   । ତାଲିବାନୀ ଯୋଦ୍ଧାମାନେ ଜଣେ ଆଫଗାନ ମହିଳା ଭଲ୍ଲି ବଲ୍ ଖେଳାଳୀଙ୍କ ମୁଣ୍ଡ କାଟି ହତ୍ୟା କରିଛନ୍ତି ।

ଜୁନିୟର ମହିଳା ଭଲ୍ଲି ବଲ୍ ଟିମର କୋଚ ଏଜ ଅର୍ନ୍ତରାଷ୍ଟ୍ରୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ମହଜବୀନ ହକିମୀ ନାମକ ଜଣେ ମହିଳା ଭଲ୍ଲି ବଲ୍ ଖେଳାଳୀଙ୍କୁ ଅକ୍ଟୋବର ମାସ ଆରମ୍ଭରେ ତାଲିବାନୀମାନେ ମୁଣ୍ଡକାଟି ହତ୍ୟା କରିଛନ୍ତି । ଏନେଇ ବାହାରେ ପ୍ରକାଶ ନକରିବାକୁ ସେମାନେ ମହଜବୀନଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲେ ।

କହିରଖୁ କି ଆଫଗାନରେ ଯେତେବେଳେ ଅସରଫ ଘନିଙ୍କ ସରକାର ଥିଲା ସେତେବେଳେ ମହଜବୀନ କାବୁଲ ଲୋକାଲ କ୍ଲବ ରେ ଭାଗ ନେଇଥିଲେ । ସେ କ୍ଲବର ଜେଣ ତାରାକା ଖେଳାଳୀ ଥିଲେ । ଏବେ ତହଜବୀନଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦଳ ପ୍ରଶିକ୍ଷକଙ୍କ କହିବା ମୁତାବକ ଅଗଷ୍ଟ ମାସରେ ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ଦଖଲ କଲା ସେତେବେଳେ ଏହି ଟିମର ଜଣେ କି ଦୁଇଜଣ ଖେଳାଳୀ ବାହାର ଦେଶକୁ ପଳାୟନ କରିବାରେ ସଫଳ ହୋଇଥିଲେ । ହେଲେ ମହଜବୀନ ବାହାରକୁ ପଳାଇଯିବାରେ ସକ୍ଷମ ହୋଇ ନଥିଲେ । ଯାହା ଫଳରେ ତାଙ୍କୁ ଜୀବନ ଦେବାକୁ ପଡିଛି ।

ସୂଚନା ଥାଉକି ଆଫଗାନରେ ତାଲିବାନୀ ମାନଙ୍କ ଶାସନ ଆରମ୍ଭ ହେବା ପରେ ମହିଳା ମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି । ଆଫଗାନରେ ସବୁପ୍ରକାର ଖେଳ ଓ ଖେଳାଳୀଙ୍କ ଉପରେ ଚାପ ପକାଯାଉଛି । ପ୍ରଶିକ୍ଷକଙ୍କ କହିବା ମୁତାବକ ଏବେ ସବୁଠାରୁ ସଂକଟରେ ରହିଛନ୍ତି ମହିଳା ଖେଳାଳୀ ।