ଆଫଗାନିସ୍ତାନର ନିଆରା ଦୃଶ୍ୟ । କାବୁଲରେ ତାଲିବାନୀଙ୍କ ସପକ୍ଷରେ ମହିଳାଙ୍କ ଶୋଭାଯାତ୍ରା

255

କନକ ବ୍ୟୁରୋ : ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନର ନିୟମକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଶେଷ କରି ମହିଳାମାନଙ୍କ ପାଇଁ ତାଲିବାନ ଲାଗୁ କରିଥିବା ସରିଆ ନିୟମକୁ ନେଇ ଏବେ କାବୁଲ ସମେତ ଆଫଗାନିସ୍ତାର ବିଭିନ୍ନ ସହରରେ ମହିଳାମାନେ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଏମିତି ସମୟରେ କାବୁଲରେ ଦେଖିବାକୁ ମିଳିଛି ନିଆରା ଚିତ୍ର । ତାଲିବାନ ସପକ୍ଷରେ ରାଲି କରିଛନ୍ତି ଆଫଗାନିସ୍ତାର ମହିଳା । ଶତାଧିକ ମହିଳା ବୁର୍ଖା ପିନ୍ଧିବା ସହ ତାଲିବାନ ପତକା ଏବଂ ପ୍ଲାକାର୍ଡ ଧରି ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ରାସ୍ତାରେ ରାଲି କରୁଥିବା ବେଳେ ବନ୍ଧୁକଧାରୀ ସୁରକ୍ଷାକର୍ମୀମାନେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି ।
‘ଯେଉଁ ମହିଳା ଆଫଗାନିସ୍ତାନ ଛାଡି ଚାଲିଯାଇଛନ୍ତି ସେମାନେ ଆମ ଦେଶର ନୁହେଁ’, ‘ଆମେ ତାଲିବାନ ସରକାର ଏବଂ ନିୟମରେ ସନ୍ତୁଷ୍ଟ ଅଛୁ’ ମହିଳାମାନେ ଏଭଳି ଲେଖାଥିବା ପ୍ଲାକାର୍ଡ ଧରିଥିବା ଦେଖିବାକୁ ମିଳିଛି । ଯେଉଁମାନେ ବିନା ଅନୁମତିରେ ବିକ୍ଷୋଭ କରୁଛନ୍ତି ସେମାନେ ତାଙ୍କୁ ବିରୋଧ କରିଛନ୍ତିି । ଜଣେ ମହିଳା କହିଛନ୍ତି, ‘ତାଲିବାନ ସରକାରକୁ ଆସିବା ପରେ ଇତିହାସ ବଦଳିଛି । ଆଉ ବିନା ବୁର୍ଖରେ ମହିଳାମାନଙ୍କୁ ଦେଖିବାକୁ ମିଳିବନି । ଏହା ଦ୍ୱାରା ଆମେ ସୁରକ୍ଷିତ ରହିବୁ । ଆମେ ପୁରା ସାମର୍ଥ୍ୟ ସହ ଆମ ସରକାରଙ୍କୁ ସହଯୋଗ କରିବୁ’ । ଶିକ୍ଷା ଓ ଚାକିରି କ୍ଷେତ୍ରରେ ସେମାନଙ୍କ ଅଧିକାର ପାଇଁ ଆଫଗାନିସ୍ତାନରେ ସପ୍ତାହ ହେବ ମହିଳାମାନେ ବିଭିନ୍ନ ସହରରେ ବିକ୍ଷୋଭ କରୁଛନ୍ତି ।