ତାଲିବାନ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର ମୃତ? ପଢନ୍ତୁ, କଣ ସଫେଇ ରଖିଲା ତାଲିବାନ…

6,527

କନକ ବ୍ୟୁରୋ: ଆଫଗାନିସ୍ତାନରେ ନୂଆ ସରକାର ଗଠନ ପରେ ଏବେ ସେଠାରେ ତାଲିବାନ ସରକାରର ଉପ-ପ୍ରଧାନମନ୍ତ୍ରୀ ଅଛନ୍ତି ମୁଲ୍ଲା ବରାଦର । ହେଲେ ସୋସିଆଲ୍ ମିଡିଆରେ ଏବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଛି । ପଞ୍ଜଶିର ଏନଆରଏଫ୍ ନାମକ ଟ୍ୱିଟର ଆକାଉଣ୍ଟରୁ ଦାବି କରାଯାଇଛି ଯେ, କ୍ଷମତା ପାଇଁ ସଂଘର୍ଷ ଭିତରେ ମୁଲ୍ଲା ବରାଦର ମୃତ୍ୟୁ ବରଣ କରିଛନ୍ତି । ହେଲେ ଏହି ଖବରକୁ ମିଥ୍ୟା ବୋଲି କହିବା ସହିତ ଏହାର ସଫେଇ ରଖିଛି ତାଲିବାନ ।

ତାଲିବାନୀ ମୁଖପାତ୍ର ସୁହେଲ ଶାହିନଙ୍କ ସୂଚନା ମୁତାବକ, ସୋମବାର ମୁଲ୍ଲା ବରଦାରଙ୍କ ମୃତ୍ୟୁ ନେଇ ଯେଉଁ ଖବର ପ୍ରକାଶ ପାଉଛି ତାହା ଭୁଲ ଅଟେ । ଏହି ଖବରରେ କୌଣସି ସତ୍ୟତା ନାହିଁ । ଏହାକୁ ଖବରକୁ ସେ ପୂରାପୂରି ଭାବେ ଖାରଜ କରିଛନ୍ତି ।

ଆଫଗାନିସ୍ତାନ ଉପରେ କବଜା କରିବା ପରେ ଏବେ ସେଠାରେ ନୂଆ ତାଲିବାନୀ ସରକାର ରାଜ କରୁଛି । ଯାହାର ପ୍ରଧାନମନ୍ତ୍ରୀ ଅଛନ୍ତି ମୁଲ୍ଲା ହସନ ଅଖୁନ୍ଦ । ତେବେ ଯେଉଁ ସମୟରେ ସରକାର ଗଠନ ହେବା ନେଇ ଚର୍ଚ୍ଚା ହେଉଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ରେସରେ ଆଗରେ ରହିଥିଲେ ମୁଲ୍ଲା ବରାଦର । ହେଲେ ତାଙ୍କୁ ଉପ-ପ୍ରଧାନମନ୍ତ୍ରୀ ବନେଇ ମୁଲ୍ଲା ହସନ ଅଖୁନ୍ଦଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି । ଯାହାକୁ ନେଇ ସେ ଏବେ ଖୁସି ନଥିବା ଖବର ପ୍ରକାଶ ପାଉଛି ବୋଲି ଦାବି କରାଯାଉଛି ।

ଏହି ଘଟଣା କାରଣରୁ ପଞ୍ଜଶିର ଏନଆରଏଫ୍ ନାମକ ଏକ ଟ୍ୱିଟରରୁ ଖବର ପ୍ରକାଶ ପାଇଥିଲା ଯେ, କ୍ଷମତା ପାଇଁ ସଂଘର୍ଷ ଭିତରେ ମୁଲ୍ଲା ବରାଦର ମୃତ୍ୟୁ ବରଣ କରିଛନ୍ତି । ଏଥିରେ ହକ୍କାନୀ ଗୋଷ୍ଠୀର କିଛି ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ହେଲେ ଏହି ସମ୍ପୂର୍ଣ୍ଣ ଘଟଣାକୁ କାଳ୍ପନିକ କହିବା ସହିତ ଏହାକୁ ଗୁଜବ ବୋଲି ସଫେଇ ରଖିଛି ତାଲିବାନ । ତାଲିବାନ ମୁଖପାତ୍ର ସୁହେଲ ଶାହିନଙ୍କ କହିବା ମୁତାବକ, ମୁଲ୍ଲା ବରାଦର ଗତ କିଛି ଦିନ ହେଲା ମିଡିଆ ସାମ୍ନାକୁ ଆସିନାହାଁନ୍ତି । ଏହାର କାରଣ ହେଉଛି ସେ ବିଦେଶ ମନ୍ତ୍ରୀଙ୍କ ସହିତ କାବୁଲ ଯାତ୍ରା କରିଥିଲେ । ଏହି ସମୟରେ ସେ ଶୀର୍ଷ ନେତୃତ୍ୱ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।