ବଢୁଛି ବେରୋଜଗାରୀ, ଅସହ୍ୟ ହେଉଛି ଭୋକର ଦାଉ । ଗୋଟିଏ ପିଲାକୁ ବଞ୍ଚାଇବାକୁ ଆଉ ଗୋଟିଏ ପିଲା ବିକୁଛନ୍ତି ଆଫଗାନବାସୀ

120

କନକ ବ୍ୟୁରୋ : ଧାର୍ମିକ ମୌଳବାଦୀ ତାଲିବାନୀଙ୍କ କବଜାକୁ ଆଫଗାନିସ୍ତାନ ଚାଲିଯିବା ପରେ ଏବେ ସେଠିକାର ଚିତ୍ର ସାରା ବିଶ୍ୱକୁ ଚମକାଇ ଦେଇଛି । ପୁଣି ବିଶ୍ୱବାସୀ ଚିନ୍ତା କରିବାକୁ ବାଧ୍ୟ ହୋଇଛନ୍ତି ଯେ ମାନବ ସଭ୍ୟତାର ବିକାଶ ପାଇଁ ଧାର୍ମିକ ମୌଳବାଦୀମାନେ କେତେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି । ମଣିଷ ଜାତିର ବିକାଶ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରର ଆବଶ୍ୟକତା ଆଗରେ ଧର୍ମ ଯେ ତୁଚ୍ଛ ଏକଥା ଆପଣ କେବଳ ଆଫଗାନର ଚିତ୍ର ଦେଖିଲେ ଜାଣିପାରିବେ । ଆଫଗାନରେ ତାଲିବାନ ସରକାର ଗଠନ କରିବାର ୧୦୦ ଦିନ ପୁରଣ ହୋଇଛି । ଏହି ୧୦୦ ଦିନ ମଧ୍ୟରେ ଆଫଗାନବାସୀଙ୍କ ପାଇଁ ତାଲିବାନ ସରକାର କେବଳ ବେରୋଜଗାର, ଖାଦ୍ୟାଭାବ ଓ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ବଞ୍ଚିତ କରିବା ଭଳି ଉପହାର ଦେଇଛି ।

ଗୋଟିଏ ପଟେ ଆଫଗାନରେ ତାଲିବାନ ସରକାର ସରିଆ ଆଇନ ଲାଗୁ କରି ମହିଳା ଓ ପୁରୁଷ ମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବାରେ ଲାଗିଥିବା ବେଳେ ଅନ୍ୟପଟେ ବେରୋଜଗାର ଓ ଖାଦ୍ୟାଭାବ ଭଳି ସଂକଟ ଭିତରେ ଗତି କରୁଛନ୍ତି ଉଭୟ ପୁରୁଷ ଓ ମହିଳା । ତାଲିବାନ ସରକାରରେ ଆଫଗାନରେ ଭୁଷୁଡି ପଡିଥିବା ଅର୍ଥ ବ୍ୟବସ୍ଥାର ଭୟଙ୍କର ଚିତ୍ର ଏବେ ବିଶ୍ୱବାସୀଙ୍କ ଛାତି ଥରାଇ ଦେଇଛି । ଅବସ୍ଥା ଏଭଳି ହୋଇଛି ଯେ ଗୋଟିଏ ପରିବାର ସେମାନଙ୍କ ପେଟକୁ ଦାନା ଯୋଗାଡ କରିବାକୁ ନାବାଳିକା ଝିଅମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏହି କ୍ରମରେ ମଣିଷ ସଭ୍ୟତାର ସବୁଠାରୁ କଳଙ୍କିତ ଅଧ୍ୟାୟ ବାଲ୍ୟ ବିବାହ ପ୍ରଥା ପୁଣିଥରେ ଆଫଗାନରେ ଉଜିବୀତ ହେବାକୁ ଯାଉଛି ।

ରୋଜଗାର ନାହିଁ, ସରକାରଙ୍କ ସହାୟତା ନାହିଁ ଏହାସହ ଦେଶରେ ଖାଦ୍ୟର ଘୋର ସଂକଟ । ଏହାରି ଭିତରେ ବଞ୍ଚିବାକୁ ପଡିବ । ତେଣୁ ପ୍ରଥମେ କିଛି ନା କିଛି କରି ଖାଦ୍ୟ ଯୋଗାଡ କରିବାକୁ ପଡିବ । ଏହି ଚିନ୍ତାରେ ଆଫଗାନବାସୀ । ଉପାୟ ନାହିଁ । ଧର୍ମ ନାମରେ ରାଜୁତି କରୁଥିବା ତାଲିବାନ ସରକାରଙ୍କ ଆଖିରେ ଏହି ଚିତ୍ର କିଛି ବି ପ୍ରଭାବ ପକାଉ ନାହିଁ । ସାଧାରଣ ଲୋକ କରିବେ କଣ ? ଉପାୟ ଶୂନ୍ୟ ହୋଇ ନିଜର କୁନି କୁନି ନାବାଳିକା ଝିଅଙ୍କୁ ଖାଦ୍ୟ ବଦଳରେ ବିକ୍ରି କରିବାରେ ଲାଗିଛନ୍ତି ସେମାନେ । ଥରେ ଭାବିଲେ ଏହି ନାବାଳିକା କନ୍ୟମାନଙ୍କୁ ଯେଉଁମାନେ କିଣୁଛନ୍ତି ସେମାନଙ୍କର ଗୋଟିଏ ଉର୍ଦ୍ଦେଶ୍ୟ ବାହାହେବା । ଥରେ ଚିନ୍ତା କରନ୍ତୁ ତ ଜଣେ ୧୨/୧୪ ବର୍ଷର ନାବାଳିକା ସହ ଜଣେ ପରିପକ୍ୱ ବୟସର ପୁରୁଷ  ବାହାଘର କେତେ ଯନ୍ତ୍ରଣା ଦାୟକ, ଏହା ସମାଜକୁ କି ବାର୍ତ୍ତା ପହଂଚାଇବ । ଆମେ ବିଂଶ ଶତାବ୍ଦୀରେ କଣ ଏହା ଆଶା କରିଥିଲୁ । ଆମେ ମହାକାଶରେ ଫଳ ଫଳାଇ ସାରିଥିବା ମାନବ ସଭ୍ୟତା, ଆମେ ଦ୍ୱିତୀୟ ଜହ୍ନ ତିଆରି କରିପାରିଥିବା ବିଜ୍ଞାନ ଯୁଗର ମଣିଷ । ଏସବୁ ଭିତରେ କିଛି ଧାର୍ମିକ ମୌଳବାଦୀ ଆମ ମାନବ ସଭ୍ୟତାକୁ କେଉଁ ଆଡକୁ ନେଇ ଯାଉଛନ୍ତି । ଯେଉଁଠି ଖାଲି ଭୋକ, ବେରୋଜଗାର, ଲିଙ୍ଗ ଭିତିରେ ଅସମାନତା ଏହା କେବେ ବି ମାନବ ସଭ୍ୟତାର ବିକାଶ ପାଇଁ ଉପଯୁକ୍ତ ନା ଆମକୁ ପୁଣିଥରେ ସେହି ଜଙ୍ଗଲ ସଭ୍ୟତା ଫେରାଇ ନେବାର ପ୍ରୟାସ ।