ତାଲିବାନ ବଦଳାଇବାକୁ ଚାହୁଁନାହିଁ ଦଣ୍ଡନୀତି, ଆଫଗାନକୁ ଫେରୁଛି ହାତକାଟିବା ଭଳି ବର୍ବର ଦଣ୍ଡ

130

କନକ ବ୍ୟୁରୋ : ସାରା ବିଶ୍ୱ ଆଶା କରୁଛି କି ତାଲିବାନ ଆଫଗାନିସ୍ତାନରେ ତା’ର ପୁରୁଣା ଆଇନ ଲାଗୁ ନକରି ମୁଖ୍ୟସ୍ରୋତରେ ସାମିଲ ହେବ । ହେଲେ ତାଲିବାନ ଏବେ ଏମିତି ଏକ ଆଇନ ଘୋଷଣା କରିଛି, ଯାହାକୁ ଶୁଣିବା ପରେ ସାରା ବିଶ୍ୱ ଚକିତ ହୋଇ ପଡିଛି । ତାଲିବାନ ସରକାରରେ ସାମିଲଥିବା ମୁଲ୍ଲା ନୁରଓଦ୍ଧିନ ତୁରାବି କହିଛନ୍ତି କି ଦୋଷୀକୁ ଫାଶି ଓ ହାତ କାଟିଦେବା ଭଳି ଦଣ୍ଡ ପୁଣିଥରେ ଆଫଗାନିସ୍ତାନରେ ଲାଗୁ ହେବାକୁ ଯାଉଛି । ଏହି ଘୋଷଣା ପରେ ବିଶ୍ୱରେ ନ୍ୟାୟ ବ୍ୟବସ୍ଥା ଉପରେ ଭରଶା କରୁଥିବା ଲୋକଙ୍କୁ ଝଟକା ଲାଗିଛି ।

ତାଲିବାନ ସରକାରରେ ସାମିଲ ହୋଇଥିବା ମୁଲ୍ଲା ନୁରଓଦ୍ଧିନ ତୁରାବୀ ‘ଦ ଏସୋସିଏଟେଡ ପ୍ରେସ’ କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଫାଶି ଓ ଶରୀରର କୌଣସି ଅଙ୍ଗ କାଟିବା ଭଳି ଦଣ୍ଡ ପୁଣି ଆଫଗାନରେ ଲାଗୁ କରାଯିବ । ହେଲେ ଏବେ ଦଣ୍ଡରେ ଦଣ୍ଡିତ କରାଯିବା ବେଳେ ତାହାକୁ ସାର୍ବଜନିକ ପ୍ରଦର୍ଶନ କରାଯିବ ନାହିଁ ।

ମୁଲ୍ଲା ନୁରଦ୍ଦିନ କହିଛନ୍ତି କି ଲୋକଙ୍କୁ ଷ୍ଟାଡିୟମରେ ଏଭଳି ଦଣ୍ଡ ଦେବାକୁ ନେଇ ଲୋକମାନେ ଆମକୁ ସମାଲୋଚନା କରୁଥିଲେ । ହେଲେ ଆମେ ସେମାନଙ୍କୁ ଆଇନ ଓ ଦଣ୍ଡ ବାବଦରେ କିଛି କହିନାହୁଁ । ସେ ଆହୁରି କହିଛନ୍ତି କି ‘ଆମେ ଦୁନିଆକୁ କହିବାକୁ ଚାହୁଁନାହୁଁ ଆମର ଦଣ୍ଡ ବ୍ୟବସ୍ଥା କିଭଳି ରହିବ , ଆମେ ଇସଲାମର ପାଳନ କରିବୁ ଓ କୁରାନ ଆଧାରରେ ଆମର ଆଇନ ପ୍ରସ୍ତୁତ କରିବୁ ।’

ତାଲିବାନ ନେତା ନୁରଦ୍ଦିନ କହିଛନ୍ତି କି ସୁରକ୍ଷା କାରଣରୁ ଦୋଷୀଙ୍କ ହାତ କାଟିଦେବା ନିହାତି ଆବଶ୍ୟକ । ଏଭଳି ଦଣ୍ଡ ପାଇବା ଫଳରେ ଦେଶରେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା କମିବ ବୋଲି ସେ ଦାବି କରିଛନ୍ତି । ଏନେଇ ତାଲିବାନ କ୍ୟାବିନେଟରେ ବିଚାର ବିମର୍ଷ ଚାଲିଥିବା କଥା ସେ କହିଛନ୍ତି । ଏନେଇ ତାଲିବାନ ଏକ ନୀତି ବିକଶିତ କରୁଥିବା କଥା ସେ ଗଣମାଧ୍ୟମକୁ କହିଛନ୍ତି ।