ଆଫଗାନିସ୍ତାନରେ ଭୟଙ୍କର ଖାଦ୍ୟ ସଙ୍କଟ । କିଡନୀ, ନିଜ ଝିଅଙ୍କୁ ବିକ୍ରି କରୁଛନ୍ତି ଲୋକ

260

କନକ ବ୍ୟୁରୋ: ଆଫଗାନିସ୍ତାନରେ ଭୟଙ୍କର ଖାଦ୍ୟ ସଙ୍କଟ । ସ୍ଥିତି ଏମିତି ହୋଇଛି ଯେ, ଅଧାରୁ ଅଧିକ ଜନସଂଖ୍ୟା ଏବେ ଭୋକରେ ଦିନ କାଟୁଛନ୍ତି । ଖାଲି ସେତିକି ନୁହେଁ, ଆହାର ଟିକେ ପାଇବାକୁ ଲୋକମାନେ ନିଜର କିଡନୀ ଓ ଛୁଆକୁ ବିକ୍ରି କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ତେବେ ଆଫଗାନିସ୍ତାନରେ ତାଲିବାନୀ ଶାସନ ଆରମ୍ଭ ହେବା ପରେ ଲୋକଙ୍କ ସ୍ଥିତି ଅଧିକରୁ ଅଧିକ ଖରାପ ହେଉଥିବା ଦେଖିବାକୁ ମିଳିଛି ।

ଆଫଗାନିସ୍ତାନକୁ ଗତ ଅଗଷ୍ଟ ୧୫ ତାରିଖରେ ତାଲିବାନୀମାନେ ନିଜ କବଜାକୁ ନେଇଥିଲେ । ଆଉ ଏହାପରେ ଅନ୍ତର୍ଜାତୀୟ ସ୍ତରରୁ ଆଫଗାନିସ୍ତାନକୁ ମିଳୁଥିବା ଅନେକ ସାହାଯ୍ୟ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ଏବେ ସେଠାକାର ଅଧିବାସୀଙ୍କ ଜୀବନ ଦୁର୍ବିସହ ହୋଇପଡିଛି ।

ହେରାତ ସହରର ୨୦ କିଲୋମିଟର ଦୂରରେ ଥିବା ଏକ ଅଂଚଳରେ ଲୋକମାନେ ଅତି କଷ୍ଟରେ ଜୀବନ ଜିଉଛନ୍ତି । କୌଣସି ବି ଘରେ ବିଜୁଳି, ପାଣି ନଥିବାବେଳେ, ଅସହ୍ୟ ଶୀତରେ ଲୋକମାନେ ସମୟ କାଟୁଛନ୍ତି । ତେବେ ଶୀତ ବଢିବା ସହିତ ଲୋକଙ୍କ ଜୀବନ ଆହୁରି କଷ୍ଟକର ହୋଇପଡିଛି । ଅଧିକାଂଶ ଘରେ ଏବେ ବି ଚୁଲି ଜଳିନଥିବା ସହ କିଛି ଲୋକ କେବଳ ଚା ପିଇ ଜୀବନ ବଞ୍ଚୁଛନ୍ତି ।

୩୮ ବର୍ଷୀୟ ଅବଦୁଲ କାଦିର ତୁର୍କୀର ଏକ ନ୍ୟୁଜ୍ ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେଇ କହିଛନ୍ତି, ସେ କିଛି ଦିନ ତଳେ ଖାଦ୍ୟ ଅଭାବରୁ ତାଙ୍କ ଝିଅକୁ ମାତ୍ର ଦେଢ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ତା ସହିତ ସେ ତାଙ୍କର କିଡନୀ ବିକିବାକୁ ମଧ୍ୟ ହସ୍ପିଟାଲ ଯାଇଥିଲେ । ତେବେ ଡାକ୍ତର ତାଙ୍କୁ କିଡନୀ ବିକ୍ରି କରିବାକୁ ମନା କରିବା ପରେ ସେ ଏବେ ଦୁଃଖ କଷ୍ଟରେ ସମୟ କାଟୁଛନ୍ତି ।

ସେହିପରି ଆଫଗାନିସ୍ତାନର ଆଉ ଜଣେ ନାଗରିକ ଗୁଲବୁଦ୍ଦିନଙ୍କ କହିବା ମୁତାବକ, କିଛି ଦିନ ତଳେ ସେ ତାଙ୍କର ୧୨ ବର୍ଷୀୟ ଝିଅକୁ ବିକ୍ରି କରିଦେଇଥିଲେ । ତାହା ପୁଣି ମାତ୍ର ୨ ଲକ୍ଷ ୬୨ ହଜାରରେ । ତେବେ ଏହାପରେ ମଧ୍ୟ ଟଙ୍କାର ଅଭାବ ଦେଖା ଦେବାରୁ ସେ ତାଙ୍କର ଆଉ ଜଣେ ଝିଅକୁ ମଧ୍ୟ ୧ଲକ୍ଷ ୧୨ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ । ଏହିଭଳି ଅନେକ ଲୋକଙ୍କ ଜୀବନ ଏବେ ଆଫଗାନିସ୍ତାନରେ ଦୁର୍ବିସହ ହୋଇପଡିଛି । ଲୋକମାନେ ରୁଟି ଖଣ୍ଡେ ପାଇବାକୁ ନିଜର କିଡନୀ ବିକ୍ରି କରିବାକୁ ପ୍ରସ୍ତୁତ ଅଛନ୍ତି । ତା ସହିତ ଆଉ କିଛି ଲୋକ ନିଜ ପରିବାରର ସଦସ୍ୟଙ୍କୁ ମଧ୍ୟ ବିକ୍ରି କରିବା ଆରମ୍ଭ କଲେଣି ।