ନର୍ଦନ ଏଲାୟନ୍ସର ଦାବି । ପଞ୍ଜଶୀର ଦଖଲ କରିବାକୁ ଆସିଥିବା ୩୫୦ ତାଲିବାନ ଆତଙ୍କବାଦୀ ମୃତ, ୪୦ ଜଣଙ୍କୁ ବନ୍ଧକ ରଖାଯାଇଛି

184

କନକ ବ୍ୟୁରୋ : ଆଫଗାନିସ୍ତାନରୁ ଆମେରିକା ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବା ପରେ ବି ତାଲିବାନୀ ଆତଙ୍କବାଦୀମାନେ ପଞ୍ଜଶୀର ଦଖଲ କରିବାରେ ସମର୍ଥ ହୋଇପାରି ନାହାନ୍ତି । ଏହି କ୍ଷେତ୍ରକୁ ଦଖଲ କରିବାକୁ ତାଲିବାନ ତରଫରୁ ଶହ ଶହ ଯୋଦ୍ଧାଙ୍କୁ ସେଠାକୁ ପଠାଯାଉଛି, ମାତ୍ର ଆତଙ୍କବାଦୀମାନେ ସେଠାରେ ମହଜୁତ ଥିବା ନର୍ଦନ ଏଲାୟନ୍ସକୁ ଟକ୍କର ଦେବାରେ ସକ୍ଷମ ହେଉ ନଥିବା ଜଣାପଡିଛି । ଏହାରି ମଧ୍ୟରେ ନର୍ଦନ ଏଲାୟନ୍ସ ତରଫରୁ ଏକ ଟ୍ୱିଟ ଯୋଗେ ଦାବି କରାଯାଇଛି କି, ପଞ୍ଜଶୀର ଦଖଲ କରିବାକୁ ଆସିଥିବା ତାଲିବାନୀ ଯୋଦ୍ଧାଙ୍କ ମଧ୍ୟରୁ ପାଖା ପାଖି ୩୫୦ ଜଣଙ୍କୁ ଏନଆରଏଫ ତରଫରୁ ହତ୍ୟା କରାଯାଇଛି । କେବଳ ସେତିକି ନୁହେଁ ୪୦ ଜଣ ତାଲିବାନୀ ଯୋଦ୍ଧାଙ୍କୁ ଏନଆରଏଫ ବନ୍ଧକ ରଖିଥିବା କଥା ବି ଟ୍ୱିଟର ମାଧ୍ୟମରେ ଦାବି କରାଯାଇଛି । ଏହି କ୍ରମରେ ଏନଆରଏଫ ତରଫରୁ ଅନେକ ଆମେରିକୀୟ ବାହନ ଓ ଅସ୍ତ୍ରଶସ୍ତ୍ର ଜବତ କରିଥିବା କଥା ବି କୁହାଯାଇଛି ।

ଅନ୍ୟପଟେ ସୋମବାର ରାତିରେ ବି ନ୍ୟାସନାଲ ରେଜିମେଣ୍ଟଓ ଫୋର୍ସ (ଏନଆରଏଫ) ତରଫରୁ ତାଲିବାନୀ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା କଥା ଏନଆରଏଫ ଦାବି କରିଥିବା ବେଳେ ଯୁଦ୍ଧ ବେଳେ ନିଜ ସେନାର ୨ ଜଣ ଯବାନ ଗୁରୁତର ହୋଇଥିବା କଥା କୁହାଯାଇଛି । ଏହାସହ ଅହମ୍ମଦ ମସୁଦଙ୍କ ନେତୃତ୍ୱରେ ପଞ୍ଜଶୀର ଦଖଲ କରିବାକୁ ଯାଇଥିବା ତାଲିବାନୀ ଆତଙ୍କୀଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ହତ୍ୟା କରାଯାଇଥିବା ଦାବି କରାଯାଇଛି ।

ସେପଟେ ତାଲିବାନ ପକ୍ଷରୁ ପଞ୍ଜଶୀର ଦଖଲ ନେଇ ଚାଲିଥିବା ଯୁଦ୍ଧ ବିରତି ଆଲୋଚନା ବାରମ୍ବାର ହୋଇଥିଲେ ବି ଏଥିରୁ କିଛି ନିଷ୍କର୍ସ ବାହାରି ନଥିବା ଜଣାପଡିଛି ।