ତାଲିବାନ ସମର୍ଥନରେ ବାହାରିଲେ ପୂର୍ବତନ ଷ୍ଟାର କ୍ରିକେଟର, ପ୍ରଂଶସାରେ ପୋତି ପକାଇଲେ । 

286

କନକ ବ୍ୟୁରୋ  :  ବିଶ୍ୱର ଅଧିକାଂଶ ଦେଶ ତାଲିବାନ ସରକାରକୁ ମାନ୍ୟତା ଦେଉନଥିବା ବେଳେ ଆଫଗାନିସ୍ତାନର ସ୍ଥିତି ଉପରେ ନଜର ରଖିଛନ୍ତି । ତାଲିବାନର କଠୋର ଶାସନ ଆଇନ ପାଇଁ ଅଧିକାଂଶ ଦେଶ ତାଲିବାନ ସରକାରକୁ ବିଶ୍ୱାସକୁ ନେଇପାରୁନାହାନ୍ତି । କିନ୍ତୁ ଏଭଳି ସ୍ଥିତିରେ ଆଫଗାନିସ୍ତାନ କ୍ରିକେଟ ଟିମର କୋଚ୍ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଲୁଜନର ତାଲିବାନର ସମର୍ଥନ କରିବା ସହ ପ୍ରଂଶସା କରିବାକୁ ପଛାଇ ନାହାନ୍ତି । ଆଫଗାନିସ୍ତାନ କ୍ରିକେଟ ଟିମକୁ ତାଲିବାନ ସମର୍ଥନ ଓ ସାଥ ଦେଉଥିବାରୁ ଏଭଳି ପ୍ରଂଶସା କରିଛନ୍ତି କ୍ଲୁଜନର ।

କ୍ଲୁଜନର ଏକ ସାକ୍ଷାତକାରରେ କହିଛନ୍ତି, ତାଲିବାନ ସରକାର କ୍ରିକେଟକୁ କେବଳ ସମର୍ଥନ କରୁନାହାନ୍ତି ବରଂ ଏହାର ପ୍ରଚାର ଓ ପ୍ରସାର ମଧ୍ୟ କରୁଛନ୍ତି । ଆମ୍ ଟିମକୁ ନେଇ ତାଲିବାନ ସରକାର ବହୁତ ଖୁସି ଥିବା ବେଳେ କିଭଳି ଟିମ୍ ଆଗକୁ ଭଲ ପ୍ରଦର୍ଶନ କରିବ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି । ଆଉ ଏହା ଆଫଗାନିସ୍ତାନ କ୍ରିକେଟ ପାଇଁ ବଡ ଧରଣର ପରିବର୍ତ୍ତନ । ଆଉ ଏହି ପରିବର୍ତ୍ତନ ସହ ଖାପ ଖୁଆଇବାକୁ କିଛି ସମୟ ଲାଗିବ । କ୍ଲୁଜନର ଏବେ ଦକ୍ଷିଣ ଆଫ୍ରିକାରେ ଥିବା ବେଳେ ଟିମର ଅଧିକାଂଶ ଖେଳାଳୀ ଟ୍ରେନିଂ କ୍ୟାମ୍ପରେ ଭାଗ ନେଉଥିବା କହିଛନ୍ତି ।  ଟି-୨୦ ବିଶ୍ୱକପ ପାଇଁ ଆମ ଟିମ୍ ୟୁଇଏରେ ଗୋଟିଏ ମାସ ପୂର୍ବରୁ କ୍ୟାମ୍ପ ପକାଇବାକୁ ଯୋଜନା କରିଥିଲୁ । କିନ୍ତୁ ଏହା ସମ୍ଭବପର ହୋଇନାହିଁ । ତେବେ ପୂରା ଟିମକୁ ୟୁଏଇ ଭିସା ମିଳିବା ମାତ୍ରେ ଯେତେଶୀଘ୍ର ୟୁଏଇରେ ପହଞ୍ଚିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି କ୍ଲୁଜନର ।

କ୍ଲୁଜନର କହିଛନ୍ତି ଆଫଗାନିସ୍ତାନ ପାଖରେ ବିଶ୍ୱର ଭଲ ସ୍ପିନର ରହିଛନ୍ତି । ଯେଉଁମାନେ ଅନ୍ୟ ଦେଶରେ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିବାର ଅଭିଜ୍ଞତା ରଖିଛନ୍ତି । ତେଣୁ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ଅନ୍ୟ ମାନଙ୍କ ପାଇଁ ଏତେ ସହଜ ହେବ ନାହିଁ ।

ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନ କ୍ରିକେଟର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ବୋଲି କୁହାଯାଉଥିଲା । ଏପରିକି ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଭାଗ ନେଇପାରିବ କି ନାହିଁ ତାହାକୁ ନେଇ ଆଶଙ୍କା ରହିଛି । ଏଭଳି ସ୍ଥଳେ କ୍ଲୁଜନରଙ୍କ ବୟାନ ଆଫଗାନିସ୍ତାନ କ୍ରିକେଟ ପାଇଁ ନୂଆ ଆଶା ସୃଷ୍ଟି କରିଛି ।