ଭାରତରେ ପଶିଛନ୍ତି ଆଫଗାନିସ୍ତାନ ଆତଙ୍କବାଦୀ! ସେନା କ୍ୟାମ୍ପରେ କରିପାରନ୍ତି ଆକ୍ରମଣ, ସତର୍କ କଲା ଗୁଇନ୍ଦା ବିଭାଗ ।

406

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ କବଜା କରିବା ଭାରତର ଚିନ୍ତା ବଢାଇଥିଲା । ଆଉ ଏବେ ଏହି ଚିନ୍ତା ଦ୍ୱିଗୁଣିତ ହୋଇଛି ଯେତେବେଳେ ଆଫଗାନୀ ଆତଙ୍କବାଦୀ ଭାରତରେ ପଶିଥିବା ନେଇ ଖବର ସାମ୍ନାକୁ ଆସିଛି । ଏନେଇ ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରି କରିଛି ।ଏପରିକି ଏହି ଆତଙ୍କବାଦୀଙ୍କ ଦ୍ୱାରା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ବଡ ଧରଣର ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଆଉ ସବୁଠୁ ବଡ କଥା ହେଲା, ଏହି ଆତଙ୍କବାଦୀଙ୍କ ଟାର୍ଗେଟରେ ସେନା କ୍ୟାମ୍ପ ନଚେତ ବଡ ବଡ ସରକାରୀ ଅନୁଷ୍ଠାନ ରହିଥିବା ଗୁଇନ୍ଦା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ଉରି ସେକ୍ଟର ବାଟେ କିଛି ଆଫଗାନୀ ଆତଙ୍କବାଦୀଙ୍କୁ ଭାରତକୁ ପଠାଯାଇଛି । ଆଫଗାନୀ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇ ପାକିସ୍ତାନ ଆତଙ୍କବାଦୀ ଫେରୁଥିବା ବେଳେ ଭାରତୀୟ ଯବାନଙ୍କ ସହ ମୁହାଁମୁହିଁ ହୋଇଥିଲା । ଯେଉଁଥିରେ ଜଣେ ଭାରତୀୟ ଯବାନ ଆହତ ହୋଇଛନ୍ତି ଓ ଆତଙ୍କବାଦୀ ଛାଡି ଯାଇଥିବା ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଗତ ସେପ୍ଟେମ୍ବର ୧୮ ତାରିଖରେ ଆଫଗାନ ଆତଙ୍କବାଦୀ ମାନେ ଉରି ସେକ୍ଟର ଦେଇ ଭାରତ ଆସିଥିବା କୁହାଯାଉଛି ।

ଏହି ଗୁଇନ୍ଦା ସୂଚନା ମିଳିବା ପରେ ଉରି ସେକ୍ଟରରେ ଜୋରଦାର ଖାନତଲାସି କରାଯାଉଛି । ଯେହେତୁ ଏହି ଆତଙ୍କବାଦୀ ମାନେ ଆଫଗାନିସ୍ତାନରୁ ଆସିଛନ୍ତି ତେଣୁ ଏମାନେ ସହଜରେ କାଶ୍ମୀର ବାସିନ୍ଦାଙ୍କ ସହ ମିଶିପାରିବେ ନାହିଁ । ତେଣୁ ସମସ୍ତ ସନ୍ଦିଗ୍ଧ ସ୍ଥାନରେ ଜୋରଦାର ତଲାସୀ ଅଭିଯାନ ଜାରି ରଖିଛି ଭାରତୀୟ ସେନା । ଏହାଛଡା ସେନା କ୍ୟାମ୍ପ ଓ ବିଭିନ୍ନ ସରକାରୀ ସଂସ୍ଥାର ସୁରକ୍ଷାକୁ ମଧ୍ୟ ବଢାଇ ଦିଆଯିବା ସହ ସତର୍କ କରାଯାଇଛି ।