ଝିଅମାନଙ୍କ ବିଦେଶରେ ପଢିବାର ସ୍ବପ୍ନ ଉପରେ ରୋକ ଲଗାଉଛି ତାଲିବାନ

ଆଫଗାନିସ୍ତାନ ବିଶ୍ୱବିଦ୍ୟାଳୟରେ ଝିଅପିଲାଙ୍କ ଆଡମିଶନ୍ ବନ୍ଦ

85

“ତାଲିବାନ ସରକାର ଆଫଗାନିସ୍ତାନର ମହିଳାମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ କରିଦେବା ପରେ ମୋର କେବଳ ଗୋଟିଏ ଆଶା ବାକି ଥିଲା । ମୁଁ କୌଣସି ପ୍ରକାରେ ଛାତ୍ରବୃତ୍ତି ପାଇ ବିଦେଶ ଯିବାକୁ ଚାହୁଁଥିଲିକିନ୍ତୁ ମୋର ଏ ସ୍ବପ୍ନ ମଧ୍ୟ ପୁରଣ ହୋଇପାରିଲା ନାହିଁ । ”

ଆଫଗାନିସ୍ତାନର 20 ବର୍ଷ ବୟସ୍କ ଛାତ୍ର ନତାଇ ପରବୀଜ ଏଆରପୋର୍ଟରେ ନିଜର ଏହି  ଯନ୍ତ୍ରଣାଦାୟକ କାହାଣୀ ବର୍ଣ୍ଣନା କରୁଥିଲେ । ନତାଇ କହିଛନ୍ତି ଯେ ତାଙ୍କ ଦେଶରେ ବିଶ୍ୱବିଦ୍ୟାଳୟରେ ପଢିବାରେ ବହୁତ ସମସ୍ଯା ଥାଇ ମଧ୍ୟ ସେ ଅଧ୍ୟୟନ ଛାଡି ନାହାଁନ୍ତି । ତାଙ୍କର ଏହି ଅଧ୍ୟବସାୟ  ହେତୁ ସେ ଦୁବାଇ ବିଶ୍ୱବିଦ୍ୟାଳୟର ଛାତ୍ରବୃତ୍ତି ପାଇବାକୁ ମନୋନୀତ ହେଇଥିଲେ । ୟୁଏଇର ଜଣାଶୁଣା  ବ୍ୟବସାୟୀ ଶେଖ ଖାଲଫ ଅହମ୍ମଦ ଅଲ ହାବଟୋର ଏହି ଛାତ୍ରବୃତ୍ତି ଆରମ୍ଭ କରିଛନ୍ତି । ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ତାଲିବାନ ବିଶ୍ୱବିଦ୍ୟାଳୟରେ ଆଡମିଶନ ବନ୍ଦ କରିଦେବା ପରେ ଡିସେମ୍ବର 2022 ରେ ଏହି ଛାତ୍ରବୃତ୍ତି ଆରମ୍ଭ ହୋଇଥିଲା । ରିପୋର୍ଟ ଅନୁସାରେ ପ୍ରାୟ 100 ମହିଳା ଏହି ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛନ୍ତି। ବିଦେଶରେ ରହୁଥିବା କିଛି ଆଫଗାନିସ୍ତାନ ଷ୍ଟୁଡେଣ୍ଟ  ମଧ୍ୟ ଏହି ଛାତ୍ରବୃତ୍ତି ପାଇ ଉଚ୍ଚଶିକ୍ଷା ପାଇଁ  ଦୁବାଇରେ ପହଞ୍ଚିଛନ୍ତି ।

ଦେଶ ବାହାରକୁ ଯିବାକୁ ବାରଣ

ବୁଧବାର ଦିନ ନତାଇ ପରବୀଜ ନିଜ ପରିବାରଠୁ ବିଦାୟ ନେଇ ବିମାନବନ୍ଦର ଅଭିମୁଖେ ଯାତ୍ରା କରିଥିଲେ। କିନ୍ତୁ ସେ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କର ସବୁ ସ୍ବପ୍ନ ଭାଂଗିଯାଇଥିଲା । ତାଲିବାନ୍ ଅଧିକାରୀ ଆମ ଟିକେଟ୍ ଏବଂ ଷ୍ଟୁଡେଣ୍ଟ  ଭିସା ଦେଖିବା ମାତ୍ରେ କହିଥିଲେ ଯେ ମହିଳା ଛାତ୍ରଙ୍କୁ ଷ୍ଟୁଡେଣ୍ଟ ଭିସାରେ ଆଫଗାନିସ୍ତାନ ଛାଡିବାକୁ ଅନୁମତି ନାହିଁ ।

ବିମାନବନ୍ଦରରୁ ଫେରିଥିବା ଅନ୍ୟ 60 ଜଣ ଆଫଗାନୀ ଝିଅମାନଙ୍କମଧ୍ୟରେ ନତାଇ ମଧ୍ୟ ଅଛନ୍ତି ।

ତାଲିବାନ ସରକର ମହିଳାମାନଙ୍କୁ ଏକୁଟିଆ ଯାତ୍ରା କରିବାକୁ ବାରଣ କରିଛି। ସେମାନେ କେବଳ ସ୍ୱାମୀ କିମ୍ବା ଭାଇ, ମାମୁଁ କିମ୍ବା ବାପାଙ୍କ ପରି ପୁରୁଷ ସମ୍ପର୍କୀୟଙ୍କ ସହିତ ବିଦେଶ ଯାଇପାରନ୍ତି ।  ମହିଳାମାନଙ୍କ ସହିତ ଆସୁଥିବା ଏହି ସମ୍ପର୍କୀୟମାନଙ୍କୁ ‘ମହରମ’ କୁହାଯାଏ ।

ମହରମ ମାନଙ୍କ ସହ ଥାଇ ମଧ୍ୟ ଅନେକ ମହିଳା ବିଦେଶ ଯିବାରୁ ବଞ୍ଚିତ ହେଉଛନ୍ତି । ନତଇ  କହିଛନ୍ତି ଯେ ବିମାନ ଭିତରେ ତିନିଜଣ ମହିଳା ଥିଲେ ଯେଉଁମାନେ ସହ ମହରମ ଥିଲେ କିନ୍ତୁ ତାଲିବାନ ଶାସନର ‘ସଦାଚାର ଓ ଦୁରାଚାର’  ମନ୍ତ୍ରଣାଳୟର ଲୋକମାନେ ସେମାନଙ୍କୁ ବିମାନରୁ ବାହାର କରିଦେଇଥିଲେ ।