ଏବେ ବି ତାଲିବାନୀଙ୍କ କବଜାକୁ ସମ୍ପୂର୍ଣ୍ଣ ଆସି ନାହିଁ ଆଫଗାନିସ୍ତାନ : ଆତ୍ମସମର୍ପଣ କରିବାକୁ ମନାକଲେ ଅହମ୍ମଦ ମାସୁଦ, କହିଲେ ହୋଇପାରେ ଗୃହଯୁଦ୍ଧ

543

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ କବଜା କରିଥିଲେ ବି ବର୍ତ୍ତମାନ ସୁଦ୍ଧା ପଞ୍ଜଶିର ପ୍ରଦେଶ ତାଲିବାନ କବଜାକୁ ଆସିନାହିଁ । ଏହାରି ମଧ୍ୟରେ ନିର୍ବାସିତ ଆଫଗାନ ରାଷ୍ଟ୍ରପତି ଅସରଫ ଘନିଙ୍କ ମନ୍ତ୍ରିମଣ୍ଡଳରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ଜେନେରାଲ ବିସମିଲ୍ଲା ମହମ୍ମଦି ତାଲିବାନ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି । ସେ କହିଛନ୍ତି , ପଞ୍ଜଶିର ଘାଟି ତାଲିବାନ ବିରୋଧରେ ସଂଗ୍ରାମ ଜାରି ରଖିବ । ଅସରଫ ଗନି ଦେଶଛାଡି ପଳାଇଥିବାବେଳେ ବିସମିଲ୍ଲା ମହମ୍ମଦଙ୍କ ଘୋଷଣା ତାଲିବାନ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ପଞ୍ଜଶିରରେ ସେନା ତାଲିବାନ ବିରୋଧରେ ଲଢେଇ ଜାରି ରଖିବ । ଏଭଳି ସ୍ଥିତିରେ, ତାଲିବାନର ପଂଜସିର ଦଖଲ ତାଲିବାନ ପାଇଁ ଦିନକୁ ଦିନ ଜଟିଳ ହେଉଛି । ଆଫାଗନିସ୍ତାନର ଅଭେଦ୍ୟ ଦୁର୍ଗ ହେଉଛି ଏହି ପଞ୍ଜଶିର । ଏଠାରେ କେବେ ବି ତାଲିବାନର ଦବଦବା ରହିନାହିଁ । ଏଠାରେ ମୋଟ ଜନସଂଖ୍ୟା ହେଉଛି ପ୍ରାୟ ୨ ଲକ୍ଷ । କାବୁଲର ଉତରରେ ପ୍ରାୟ ୧୫୦ କିଲୋମିଟର ଦୂରରେ ଏହି ଅଂଚଳ ଅଛି । ଏଠାରେ ଲୋକେ ତାଲିବାନକୁ ଡରନ୍ତି ନାହିଁ । ବରଂ ତାଲିବାନ ବିରୋଧରେ ଯୁଦ୍ଧ କରିବାକୁ ଡାକରା ଦେଇଛନ୍ତି । ୭୦- ୮୦ ଦଶକରେ ତାଲିବାନ ଏହି ପ୍ରଦେଶକୁ ଦଖଲ ପାଇଁ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲା ।

ଅନ୍ୟପଟେ ପଞ୍ଜଶିରର ମୁଖ୍ୟ ତଥା ବଡ ବିରୋଧୀ ଅହମ୍ମଦ ମାସୁଦଙ୍କୁ ଆତ୍ମସମର୍ପଣ ପାଇଁ କହିଛି ତାଲିବାନ । କିନ୍ତୁ ତାଲିବାନୀଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରି ନାହାଁନ୍ତି ଅହମ୍ମଦ । ଆଉ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ଏପରିକି ତାଲିବାନୀଙ୍କ ଆତଙ୍କ ଜାରି ରହିଲେ ଦେଶର ସ୍ଥିତି ଗୃହଯୁଦ୍ଧ ଆଡକୁ ଗତି କରୁଛି ବୋଲି କହିଛନ୍ତି । ପଞ୍ଜଶିରର ୧୦ ହଜାର ସୈନ୍ୟ ତାଲିବାନଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ।