ତାଲିବାନ ପ୍ରଶାସନର ଏହି ପଦକ୍ଷେପ ପରେ ବିଶ୍ୱରେ ଚମକିଲା ଆଫାଗାନିସ୍ଥାନ ମୁଦ୍ରା ଆଫଗାନି । ୩ମାସରେ ମୁଦ୍ରା ମୂଲ୍ୟର ୯ ପ୍ରତିଶତ ବୃଦ୍ଧି
କନକ ବ୍ୟୁରୋ : ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନର ମୁଦ୍ରା ଆଫଗାନି ଚଳିତ ତ୍ରୈମାସିରେ ବିଶ୍ୱର ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଦ୍ରା ଭାବେ ଉଭା ହୋଇଛି । ବ୍ଲୁମବର୍ଗ ଦ୍ୱାରା ସଂଗୃହିତ ତଥ୍ୟରୁ ଏହା ପ୍ରକାଶ ପାଇଛି । ଏହି ସମୟ ମଧ୍ୟରେ ଆଫଗାନିସ୍ତାନ ମୁଦ୍ରା ଆଫଗାନ ମୂଲ୍ୟର ୯ ପ୍ରତିଶତ ବୃଦ୍ଧି ହୋଇଛି । ଏହାର କାରଣ ଭାବେ କୋଟି କୋଟି ଡଲାର ମାନବୀୟ ସହାୟତାର ପ୍ରବାହ ଓ ଏସୀୟ ପଡୋଶୀ ଦେଶମାନଙ୍କ ସହ ବାଣିଜ୍ୟ ବୃଦ୍ଧି ।

Kanak News is now on WhatsApp
Join and get latest news updates delivered to you via WhatsApp
ଦୁଇବର୍ଷ ତଳେ ଆଫଗାନିସ୍ତାନର କ୍ଷମତା ଦଖଲ ପରେ ତାଲିବାନ ନିଜ ମୁଦ୍ରା ଉପରେ ଦୃୃଢ ଦଖଲ ବଜାୟ ରଖିବା ପାଇଁ ଅନେକ ପଦକ୍ଷେପ ନେଇଛି । ଏହି ପଦକ୍ଷେପଗୁଡିକ ମଧ୍ୟରେ ସ୍ଥାନୀୟ କାରବାରରେ ଡଲାର ଏବଂ ପାକିସ୍ତାନୀ ଟଙ୍କା ବ୍ୟବହାର ଉପରେ କଟକଣା ଲଗାଇବା ଏବଂ ଦେଶ ବାହାରେ ଆମେରିକୀୟ ଡଲାର ପରିବହନ ଉପରେ କଠୋର ପ୍ରତିବନ୍ଧକ ଅନ୍ତର୍ଭୁକ୍ତ ।
ବ୍ଲୁମବର୍ଗ ରିପୋର୍ଟ ମୁତାବକ ତାଲିବାନ ପ୍ରଶାସନ ଅନଲାଇନ ଟ୍ରେଡିଂକୁ ମଧ୍ୟ ଅପରାଧୀକରଣ କରିଛନ୍ତି ଏବଂ ଏହି ନିୟମ ଉଲଙ୍ଘନକାରୀଙ୍କୁ ଜେଲ ଯିବାକୁ ଧମକ ଦିଆଯାଇଛି । ତେବେ ଏହି ଘଟଣା ସତ୍ୱେ ମଧ୍ୟ ଆଫଗାନିସ୍ତାନ ଦାରିଦ୍ର୍ୟ ଗ୍ରସ୍ତ ଦେଶଭାବେ ପରିଗଣିତ ହୋଇଛି । ଯାହାର ବିଶ୍ୱ ମାନବାଧିକାର ରେକର୍ଡ ସବୁଠାରୁ ଖରାପ ରହିଛି । ଆଫଗାନିର ମୂଲ୍ୟର ବର୍ଷକ ମଧ୍ୟରେ ୧୪ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ କଲମ୍ବିଆ ଓ ଶ୍ରୀଲଙ୍କାର ମୁଦ୍ରାକୁ ପଛରେ ପକାଇ ବିଶ୍ୱ ତାଲିକାରେ ତୃତୀୟ ସ୍ଥାନ ହାସଲ କରିଛି ।
ଅନ୍ତର୍ଜାତୀୟ କଟକଣା ଯୋଗୁଁ ଆଫଗାନିସ୍ତାନ ବିଶ୍ୱ ଆର୍ଥିକ ବ୍ୟବସ୍ଥାରୁ ବହୁମାତ୍ରାରେ ବିଚ୍ଛିନ ହୋଇପଡିଛି । ବିଶ୍ୱବ୍ୟାଙ୍କର ଏକ ରିପୋର୍ଟରେ ଉଚ୍ଚ ବେକାରୀ, ଦୁଇ ତୃତୀୟାଂଶ ପରିବାର ମୌଳିକ ଆବଶ୍ୟକତା ବହନ କରିବାକୁ ସଂଘର୍ଷ କରୁଥିବା ଏବଂ ମୁଦ୍ରାସ୍ପୀତି ଭଳି ଗମ୍ଭୀର ସ୍ଥିତି ଉପରେ ଆଲୋକପାତ କରାଯାଇଛି ।
କିଛି ଅର୍ଥନୈତିକ ଅସୁବିଧାକୁ ଦୂର କରିବା ପାଇଁ ଜାତିସଂଘ ୨୦୨୧ ଶେଷରୁ ଅର୍ଥ ବିନିଯୋଗ କରୁଛି । ଜାତିସଂଘ ଅତିକମରେ ୧୮ ମାସ ପାଇଁ ଗରିବଙ୍କୁ ସହାୟତା କରିବାକୁ ମୋଟ ୪୦ ନିୟୁତ ଡଲାର ପଠାଇବ ।